ପାହାଡ଼ି କନ୍ୟାକୁ ଅଶ୍ରୁଳ ବିଦାୟ

କଳ୍ପନାଙ୍କ ବଳିଦାନ ବ୍ୟର୍ଥ ଯିବନି: କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ବର : ଅଦମ୍ୟ ସାହସୀ ଓଡ଼ିଶାର ପାହାଡି କନ୍ୟା କଳ୍ପନା ଦାଶଙ୍କୁ ଅଶ୍ରୁଳ ବିଦାୟ ମିଳିଛି। ରାଜ୍ୟ କ୍ରୀଡ଼ା ଦୁନିଆକୁ ଶୋକ ସାଗରରେ ଭସାଇ ଦେଇଥିବା ଏହି ପ୍ରଥମ ଓଡ଼ିଆ ଏଭେରେଷ୍ଟର୍‌ ରବିବାର ରାତିରେ ପୁରୀ ସ୍ବର୍ଗଦ୍ବାରରେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି। ନିଜ ସ୍ବପ୍ନକୁ ସାକାର କରି ଦ୍ବିତୀୟ ଥର ଏଭେରେଷ୍ଟ ଆରୋହଣ କରି ବିରଳ କୀର୍ତିମାନ ପ୍ରତିଷ୍ଠା କରିଥିବା ଏହି ବିରଳ ବ୍ୟକ୍ତିତ୍ବଙ୍କୁ ରାଜ୍ୟବାସୀ ଲୋତକଭରା ଶ୍ରଦ୍ଧାଞ୍ଜଳିରେ ବିଦାୟ ଦେଇଛନ୍ତି। ଏକାଦଶାହରେ ହିଁ କଳ୍ପନାଙ୍କ ଅନ୍ତ୍ୟେଷ୍ଟି ସମ୍ପନ୍ନ ହୋଇଛି। ମେ’ ୨୩ ତାରିଖରେ ଓଡ଼ିଶାରେ ନିର୍ବାଚନୀ ଫଳାଫଳର ମାହୋଲ ଚାଲିଥିବା ବେଳେ ୫୩ ବର୍ଷୀୟା କଳ୍ପନାଙ୍କ ମୃତ୍ୟୁର ଖବର ସମସ୍ତଙ୍କୁ ସ୍ତବ୍‌ଧ କରି ଦେଇଥିଲା। ପ୍ରଥମ ସଫଳତାର ୧୧ ବର୍ଷ ପରେ ଶାଢ଼ୀ ପରିଧାନ କରି ଏଭେରେଷ୍ଟ୍ ଆରୋହଣର ନିଆରା ସଫଳତା ଅର୍ଜନ କରି‌ ଫେରୁଥିବା ବେଳେ ବାଲକୋନି ଅଞ୍ଚଳରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।

ଶନିବାର କଳ୍ପନାଙ୍କ ପାର୍ଥୀବ ଶରୀର ଫେରିବାର ଥିଲେ ମଧ୍ୟ କାଠମାଣ୍ଡୁ ଆସିଥିବା ବିମାନ ବିଳମ୍ଭ ହେବାରୁ ଏବଂ ନୂଆଦିଲ୍ଲୀରୁ ଭୁବନେଶ୍ବର ସଂଯୁକ୍ତ ବିମାନ ଛାଡ଼ିଦେବାରୁ ଏହା ସମ୍ଭବ ହୋଇନଥିଲା। ରବିବାର ପୂର୍ବାହ୍ନରେ କଳ୍ପନାଙ୍କ ମରଶରୀର ଏଆର ଇଣ୍ଡିଆ ବିମାନଯୋଗେ ଭୁବନେଶ୍ବର ପହଞ୍ଚିବା ପରେ ସିଧାସଳଖ କଳିଙ୍ଗ ଷ୍ଟାଡିୟମ୍‌ ପରିସରରେ ଶେଷ ଦର୍ଶନ ପାଇଁ ରଖାଯାଇଥିଲା। ରାଜ୍ୟବାସୀଙ୍କ ପକ୍ଷରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, କ୍ରୀଡ଼ାବିତ୍‌, ସାମାଜିକ କର୍ମୀ, ପରିବାରବର୍ଗ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରଥମେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ‘ଅଗ୍ରଣୀ ପର୍ବତାରୋହୀ କଳ୍ପନା ଦାଶ ଓଡ଼ିଶା ପାଇଁ ଖ୍ୟାତି ଆଣିଥିଲେ। ବ୍ୟକ୍ତିଗତ ଉଦାହରଣ ଜରିଆରେ ସେ ସଫଳତା ଅର୍ଜନ କରିଥିଲେ। ଯୁବ ପବର୍ତାରୋହୀଙ୍କ ପାଇଁ ସେ ପ୍ରେରଣା ହୋଇ ରହିବେ ବୋଲି ଶ୍ରୀ ବେହେରା ପ୍ରକାଶ କରିଥିଲେ। କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ସହିତ ଆଲୋଚନା ପରେ ଉଦ୍ଧାରକାରୀ ସେର୍ପା ଦଳ ଏବଂ ଅନ୍ୟ ଅଧିକାରୀମାନେ ତତ୍ପରତା ଦେଖାଇବାରୁ ଠିକଣା ସମୟରେ କଳ୍ପନାଙ୍କ ଶରୀରକୁ ଠାବ ଏବଂ ଅଣାଯାଇପାରିଲା ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। କଳ୍ପନାଙ୍କ ବଳିଦାନ ବ୍ୟର୍ଥ ଯିବନି, ତାଙ୍କ ସ୍ମୃତି ସାଇତା ହୋଇ ରହିବ ଏବଂ ପଦ୍ମଶ୍ରୀ ଦାବି କଥା ମଧ୍ୟ ବିଚାର କରାଯିବ ବୋଲି କହିଥିଲେ ଶ୍ରୀ ବେହେରା। ରବିବାର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ମଧ୍ୟ ପୁଷ୍ପଗୁଚ୍ଛ ଦେଇ କଳ୍ପନାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମହିଳା, ଶିଶୁ କଲ୍ୟାଣ ଏବଂ ମିଶନ୍ ଶକ୍ତି ବିଭାଗ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇବାକୁ କଳିଙ୍ଗ ଷ୍ଟାଡିୟମ୍‌ ପହଞ୍ଚିଥିଲେ। କଳ୍ପନା ଦାଶଙ୍କ ସ୍ମୃତି ଉଦ୍ଦେଶ୍ୟରେ କିଛି କରିବା ଲାଗି ନିଶ୍ଚିତ ସରକାରୀ ସ୍ତରରେ ଉଦ୍ୟମ ହେବ। ଆଉ ଜଣେ କଳ୍ପନା ଦାଶ ବାହାର କରିବା ଲାଗି ମଧ୍ୟ ପ୍ରୟାସ ଜାରି ରହିବ ବୋଲି କହିଥିଲେ ମନ୍ତ୍ରୀ ସାହୁ। କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ବିଶାଲ କୁମାର ଦେବ, ନିର୍ଦେଶକ ଭିନିଲ କ୍ରିଷ୍ଣା, ଉପ ନିର୍ଦେଶକ ମନୋଜ ପାଢ଼ୀ, ରଂଜିତ ପରିଡ଼ା, ସହକାରୀ ନିର୍ଦେଶକ ସନାତନ ସାହୁ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

କଳିଙ୍ଗ ଷ୍ଟାଡିୟମ୍‌ରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ବ୍ୟକ୍ତିଙ୍କ ମଧ୍ୟରେ ଥିଲେ ଅଲିମ୍ପିଆନ୍ ଦୂତି ଚାନ୍ଦ, ଅନ୍ୟତମ ଏଭେରେଷ୍ଟର୍‌ ଯୋଗାବ୍ୟାସ ଭୋଇ, ବିଶ୍ବକପ୍ ବିଜେତା ଦୃଷ୍ଟିହୀନ କ୍ରିକେଟର୍ ମହମ୍ମଦ ଜାଫର୍ ଇକବାଲ୍‌, ପୂର୍ବତନ ବିଧାୟକ ପ୍ରିୟଦର୍ଶି ମିଶ୍ର, କ୍ରୀଡ଼ା ସଂଗଠକ ନବରଂଜନ ପଟ୍ଟନାୟକ, ପର୍ଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ, ଇଣ୍ଡିଆନ୍ ରେଡକ୍ରସ ସୋସାଇଟି ଓଡ଼ିଶା ଶାଖା ସମ୍ପାଦକ ଡକ୍ଟର କଳ୍ପନା ଦାସ, ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି, ରୁଦ୍ରପ୍ରସନ୍ନ ରଥ, ମମତା ସାମନ୍ତରାୟ, କ୍ରୀଡ଼ା ଓ ଯୁବସେବା ବିଭାଗର ବହୁ କର୍ମଚାରୀ ଓ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀ ମଧ୍ୟ ଶେଷ ଦର୍ଶନ କରିଥିଲେ।

କାଠମାଣ୍ଡୁରୁ କଳ୍ପନାଙ୍କୁ ଆଣିବାକୁ ଯାଇଥିବା ୩ ଜଣିଆ ଓଡ଼ିଶା ଦଳର ସଦସ୍ୟ ପ୍ରଥମ ଓଡ଼ିଆ ପୁରୁଷ ଏଭେରେଷ୍ଟର୍‌ ଗଣେଶ ଚନ୍ଦ୍ର ଜେନା, କଳ୍ପନାଙ୍କ ଭାଇ ପ୍ରଦୀପ ଦାସ ଏବଂ ସହଯୋଗୀ ରଂଜିତ କର୍ମି ମଧ୍ୟ ଅଶ୍ରୁଳ ବିଦାୟ ଜଣାଇଥିଲେ। ଏହା ପରେ କଳ୍ପନାଙ୍କୁ ନିଜ ଭିଟାମାଟି ଢେଙ୍କାନାଳ ନିଆଯିବା ପରେ ସେଠାରେ ଅପରାହ୍ନରେ ଜିଲ୍ଲାପାଳ ଏବଂ ଜିଲ୍ଲାବାସୀଙ୍କ ପକ୍ଷରୁ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ପୁରୀ ସ୍ବର୍ଗଦ୍ବାରରେ ରାତିରେ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହୋଇଥିଲା। ସୂଚନା‌ଯୋଗ୍ୟ, ଗତ ମେ’ ୨୩ ତାରିଖରେ କଳ୍ପନା ଶାଢ଼ୀ ପରିଧାନ କରି ଏଭେରେଷ୍ଟ ଶିଖର ଛୁଇଁ ବିରଳ କୀର୍ତିମାନ କରିବାର କିଛି ଘଣ୍ଟା ପରେ ବାଲକୋନି ଅଞ୍ଚଳରେ ପ୍ରାଣ ହରାଇଥିଲେ। ଏଭ‌େରେଷ୍ଟ୍‌ରେ ଚଳିତ ବର୍ଷ ଟ୍ରାଫିକ୍ ଜାମ ହେବାରୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା ମୃତ୍ୟୁର ଅନ୍ୟତମ କାରଣ ବୋଲି କୁହାଯାଉଥିଲେ ମଧ୍ୟ ୫୩ ବର୍ଷୀୟା କଳ୍ପନାଙ୍କ ମୃତ୍ୟୁ ଉପରୁ ସମ୍ପୂର୍ଣ୍ଣ ପରଦା ଉଠିନାହିଁ। ୨୦୦୮ ମସିହାରେ ତୃତୀୟ ପ୍ରୟାସରେ କଳ୍ପନା ପ୍ରଥମ ଥର ପାଇଁ ଏଭେରେଷ୍ଟ ଆରୋହଣ କରି ଓଡ଼ିଶା ଇତିହାସରେ ନୂଆ ଫର୍ଦ ଯୋଡ଼ିଥିଲେ।

ସମ୍ବନ୍ଧିତ ଖବର