ଯୁକ୍ତ୨ ଇ-ମୂଲ୍ୟାୟନରେ ବିଳମ୍ବ, ଖୋଲିଲା ସ୍ବତନ୍ତ୍ର ମେଲ୍‌ ଆଇଡି

ସୁରୁଖୁରରେ ଆରମ୍ଭ ହେଲା ମାନୁଆଲ ମୂଲ୍ୟାୟନ, ଏବେ ସୁଦ୍ଧା ୭୦% ଅଧ୍ୟାପକଙ୍କ ନାମ ପଞ୍ଜୀକରଣ

ଭୁବନେଶ୍ବର: ୫୮ଟି ଅଫ୍‌ଲାଇନ୍‌ ତଥା ମାନୁଆଲ ମୂଲ୍ୟାୟନ କେନ୍ଦ୍ର‌ରେ ଯୁକ୍ତ୨ ଖାତାଦେଖା ଆଜିଠାରୁ ସୁରୁଖୁରରେ ଆରମ୍ଭ ହୋଇଛି। ମୂଲ୍ୟାୟନରେ ନିୟୋଜିତ ଅଧ୍ୟାପକମାନେ ଗତକାଲି ନାମ ପଞ୍ଜୀକରଣ କରିବା ସହ ତାଲିମ୍‌ ନେଇଥିଲେ। ୫ଟି ପର୍ଯ୍ୟନ୍ତ ଖାତା ମଧ୍ୟ ଦେଖିଥିଲେ। ତେବେ ଆଜିଠାରୁ ବିଧିବଦ୍ଧ ଭାବେ ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ୭୦ ପ୍ରତିଶତ ଅଧ୍ୟାପକ ମୂଲ୍ୟାୟନରେ ସାମିଲ ହୋଇଛନ୍ତି। ତେବେ ଇ-ମୂଲ୍ୟାୟନରେ କିଛିଟା ସମସ୍ୟା ଉପୁଜିଛି। ଟିସିଏସ୍‌ ବଦଳରେ ନୂଆ କମ୍ପାନିକୁ ଇ-ମୂଲ୍ୟାୟନ ଦାୟିତ୍ବ ଦିଆଯାଇଥିବାରୁ କେତେକ ଇ-ମୂଲ୍ୟାୟନ କେନ୍ଦ୍ରରେ ଠିକ୍‌ ସମୟରେ ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗର କିଛି ବିଷୟର ଉତ୍ତର ଖାତା ମୂଲ୍ୟାୟନ ହୋଇପାରି ନ ଥିବା ଜଣାପଡ଼ିଛି। ଏଭଳି ସମସ୍ୟା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ତତ୍ପରତା ପ୍ରକାଶ କରାଯିବା ସହ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯାଇଛି। ମୂଲ୍ୟାୟନ ଦାୟିତ୍ବ ନେଇଥିବା ମେରିଟ୍ରାକ୍ସ କମ୍ପାନି ସହ ପରିଷଦର ବରିଷ୍ଠ ଅଧିକାରୀମାନେ ବୈଠକ କରିଥିଲେ। ଏହାପରେ ନିଷ୍ପତ୍ତି ନିଆଯାଇଛି ଯେ ଯେଉଁ କେନ୍ଦ୍ରରେ ସମସ୍ୟା ସୃଷ୍ଟି ହୋଇଛି, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାହାର ସମାଧାନ କରାଯିବ। ଏଥିସହ ମୂଲ୍ୟାୟନ କେନ୍ଦ୍ରରେ ସମସ୍ୟା ହେଲେ ତୁରନ୍ତ ଜଣାଇବାକୁ ପରିଷଦ ପକ୍ଷରୁ ଏକ ସ୍ବତନ୍ତ୍ର ମେଲ୍‌ ଆଇଡି ଖୋଲାଯାଇଛି। ଏନେଇ ସମସ୍ତ ମୂଲ୍ୟାୟନ କେନ୍ଦ୍ର ଅଧିକାରୀଙ୍କୁ ଅବଗତ କରାଯାଇଛି। ‌କେନ୍ଦ୍ର ଅଧିକାରୀମା‌ନେ ଲିଖିତ ଆକାରରେ ପରୀକ୍ଷା ନିୟନ୍ତ୍ରକଙ୍କୁ ଜଣାଇପାରିବେ। ସଙ୍ଗେ ସଙ୍ଗେ ସମସ୍ୟାର ସମାଧାନ କରାଯିବ। ପରିଷଦର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ୩୬ଟି ଇ-ମୂଲ୍ୟାୟନ କେନ୍ଦ୍ର ହୋଇଛି। ଗତକାଲି ଅଧ୍ୟାପକମାନେ ନାମ ପଞ୍ଜୀକରଣ କରିଛନ୍ତି। ଆଜି ବାଲେଶ୍ବର, କଟକ ସମେତ କେତେକ ଜିଲ୍ଲାରେ ଇ-ମୂଲ୍ୟାୟନରେ ସମସ୍ୟା ହୋଇଥିବା ଦୃଷ୍ଟିକୁ ଆସିବା ପରେ ପଦକ୍ଷେପ ନିଆଯାଇଛି। ଇ-ମୂଲ୍ୟାୟନ ଦାୟିତ୍ବ ନେଇଥିବା କମ୍ପାନି ସହ ଆଲୋଚନା ହୋଇଛି। ୧୧ ତାରିଖଠାରୁ ସବୁଆଡ଼େ ମୂଲ୍ୟାୟନ ସ୍ବାଭାବିକ୍‌ ହେବ। ତେବେ ୧୧ ତାରିଖରେ ୪ଟି ଲୋକସଭା କ୍ଷେତ୍ରରେ ନିର୍ବାଚନ ହେବାକୁ ଥିବାରୁ ଏବେ ସେଠାରେ ମୂଲ୍ୟାୟନ କରାଯିବ ନାହିଁ। ନିର୍ବାଚନ ସରିବା ପରେ ମୂଲ୍ୟାୟନ ଆରମ୍ଭ କରାଯିବ ବୋଲି ଅଧିକାରୀଜଣକ କହିଛନ୍ତି।

ସମ୍ବନ୍ଧିତ ଖବର