ହସିଲେ ‘ରାଉରକେଲା ରଜ ରାଜକୁମାରୀ’

ଅନୁଶ୍ରୀ, ସୋନାଲିକା ଓ ଲିପ୍‌ସିତାଙ୍କୁ ସ୍ବର୍ଣ୍ଣ ମୁଦ୍ରା

ରାଉରକେଲା : ରେଡିଓ ଚକୋଲେଟ୍‌ (୧୦୪ ଏଫ୍‌ଏମ୍‌) ପକ୍ଷରୁ ଆୟୋଜିତ ଅନ୍‌ଲାଇନ୍‌ ରାଉରକେଲା ଜୋନ୍‌ ‘ରଜ ରାଜକୁମାରୀ’ ପ୍ରତିଯୋଗିତାର ପୁରସ୍କାର ବିତରଣୀ ଉତ୍ସବ ରାଉରକେଲା ‘ସମ୍ବାଦ’ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବଟି କୋଭିଡ କଟକଣା ଅନୁସରଣ କରି ପର୍ଯ୍ୟାୟକ୍ରମେ ପୁରସ୍କାର ପ୍ରଦାନ କରା ଯାଇଥିଲା। ଏହି ପ୍ରତିଯୋଗିତାରେ ରାଉରକେଲା ଓ ଏହାର ଆଖପାଖରେ ଶତାଧିକ କିଶୋରୀ ଓ ଯୁବତୀ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ଭିତରୁ ତିନିଜଣ ସ୍ବର୍ଣ୍ଣ ମୁଦ୍ରା ହାସଲ କରିଛନ୍ତି। ସେମାନେ ହେଲେ ଅନୁଶ୍ରୀ ରୟ, ସୋନାଲିକା ମିଶ୍ର ଓ ଲିପ୍‌ସିତା ଦାସ। ଏମାନଙ୍କ ସମେତ ଅନ୍ୟ ପ୍ରତିଯୋଗୀମାନଙ୍କୁ ମଧ୍ୟ ରୁଚି ମସଲା ପକ୍ଷରୁ ଆକର୍ଷଣୀୟ ଉପହାର ପ୍ରଦାନ କରାଯାଇଛି।

ଆୟୋଜିତ କାର୍ଯ୍ୟକ୍ରମରେ ରାଉରକେଲା ଡିଡି ଆସୋସିଏଟ୍‌ (ରୁଚି ମସଲାର ଡିଲର) ପ୍ରଶାନ୍ତ କୁମାର ଦ୍ବିବେଦୀ ଓ ‘ସମ୍ବାଦ’ ରାଉରକେଲା ସଂସ୍କରଣର ମୁଖ୍ୟ ଆଶିଷ ଗଡନାୟକ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଶ୍ରୀ ଦ୍ବିବେଦୀ ରେଡିଓ ଚକୋଲେଟ୍‌ର ଏଭଳି ନିଆରା କାର୍ଯ୍ୟକ୍ରମ ଝିଅମାନଙ୍କ ଭିତରେ ରହିଥିବା ଲୁକ୍କାୟିତ ପ୍ରତିଭାକୁ ଆଗକୁ ଆଣିବାରେ ବେଶ୍‌ ସହାୟକ ହୋଇଛି ବୋଲି ଉଲ୍ଲେଖ କରିବାସହିତ ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଜାରି ରଖିବାକୁ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ।

ରେଡିଓ ଚକୋଲେଟ୍‌ର ପ୍ରୋଗ୍ରାମିଂ ହେଡ୍‌ ଆର୍‌ଜେ ସଂଗ୍ରାମ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ, ଆର୍‌ଜେ ଅନୀଲ, ଟେକ୍ନିକାଲ୍‌ ଆସୋସିଏଟ୍‌ ସୁବ୍ରତ ଓ ତ୍ରିଲୋଚନ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ। ଉଲ୍ଲେଖଯୋଗ୍ୟ, ଗତ ଜୁନ୍‌ ୫ରୁ ୧୬ ତାରିଖ ପର୍ଯ୍ୟନ୍ତ ରେଡିଓ ଚକୋଲେଟର ୪ଟି ଗୀତକୁ ନେଇ ଅନ୍‌ଲାଇନରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶତାଧିକ ଝିଅ ସେହି ଗୀତରେ ଅଭିନୟ/ନୃତ୍ୟ କରି ତା’ର ଭିଡିଓ ପଠାଇଥିଲେ। ଭୁବନେଶ୍ବର ଓ ରାଉରକେଲା ଜୋନ୍‌ ପାଇଁ ଅଲଗା ଅଲଗା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର