ସରକାରଙ୍କ ବନ୍ୟା ମୁକାବିଲା ପ୍ରସ୍ତୁତି ଏମିତି : ଏଯାଏ ପୂରଣ ହେଲାନି ଡ୍ରାଇଭର୍‌ ଓ ଖଲାସୀ ପଦବି

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ୁଛନ୍ତି ଅଭିଜ୍ଞ

କଟକ : ରାଜ୍ୟରେ ବନ୍ୟା ମୁକାବିଲା ପାଇଁ ପ୍ରତିବର୍ଷ ସରକାର ଲଞ୍ଚ୍‌ ଡ୍ରାଇଭର ଓ ଖଲାସୀଙ୍କୁ ନିଯୁକ୍ତି ଦେଇଥାନ୍ତି। ଜୁନ୍‌ରୁ ନଭେମ୍ବର ଯାଏଁ ଛଅ ମାସ ଅସ୍ଥାୟୀ ଭାବେ ଏମାନଙ୍କୁ ନିଯୁ୍କ୍ତି ମିଳେ। ମେ’ରୁ ଆରମ୍ଭ ହେଉଥିବା ଏହି ନିଯୁକ୍ତି ପ୍ରକ୍ରିୟାରେ ଏଥର କିନ୍ତୁ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜୁନ୍‌ ଯାଇ ଜୁଲାଇ ଅଧା ହେବାକୁ ବସିଲାଣି; ଅଥଚ ଏଯାଏଁ ସଂପୂର୍ଣ୍ଣ ହେଇପାରିଲା ନାହିଁ ନିଯୁକ୍ତି। ଏବେ ବି ୧୮୫ ଡ୍ରାଇଭର୍‌ ଓ ଖଲାସୀ ପଦବି ଖାଲି ପଡ଼ିଛି। ଜିଲ୍ଳାପାଳଙ୍କ ହାତକୁ ନିଯୁକ୍ତି କ୍ଷମତା ଚାଲିଯିବା ପରେ ଏଭଳି ପରିସ୍ଥିତି ଉପୁଜିଛି। ଫଳରେ ମେ’ ୧ତାରିଖରେ ସ୍ବତନ୍ତ୍ର ରିଲିଫ୍ କମିସନର(ଏସ୍‌ଆର୍‌ସି) ଜାରି କରିଥିବା ଅସ୍ଥାୟୀ ଲଞ୍ଚ ଡ୍ରାଇଭର୍‌ ଓ ଖଲାସୀ ନିଯୁକ୍ତି ସଂପର୍କିତ ନିର୍ଦେଶ ପାଳନ ହୋଇପାରୁନାହିଁ। ଏଥିରୁ ବନ୍ୟା ମୁକାବିଲା ପ୍ରସ୍ତୁତିରେ ସରକାରୀ ବାବୁମାନେ କେତେ ସଜାଗ ତାହା ସୂଚାଇ ଦେଉଛି।

ଉଲ୍ଲେଖଯୋଗ୍ୟ, ବନ୍ୟା ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନଦୀ, ନାଳରୁ ଲୋକଙ୍କୁ ଉଦ୍ଧାର ତଥା ରିଲିଫ୍ ପହଞ୍ଚାଇବା ପାଇଁ ପ୍ରତିବର୍ଷ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ପ୍ରତିବର୍ଷ ୫୧୦ଜଣ ଲଞ୍ଚ ଡ୍ରାଇଭର୍‌ ଓ ଖଲାସୀଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯାଇଥାଏ। ରାଜ୍ୟ ବନ୍ଦର ଯନ୍ତ୍ରୀଙ୍କ ଅଧୀନରେ ଜୁନ୍‌ ୧ରୁ ‌ନଭେମ୍ବର ଶେଷ ଯାଏ ଛଅ ମାସ ଏମାନଙ୍କୁ ନିଯୁକ୍ତି ମିଳିଥାଏ। ଏମାନଙ୍କ ମଧ୍ୟରୁ ଯେଉଁ ୧୮୫ଜଣଙ୍କୁ ରିଜର୍ଭ ହିସାବରେ ରଖାଯାଇଥାଏ, ସେମାନଙ୍କ ନିଯୁକ୍ତି ସହକାରୀ ନିର୍ବାହୀ ଯନ୍ତ୍ରୀ କରିଥା’ନ୍ତି। କିନ୍ତୁ ଚଳିତ ବର୍ଷ ସ୍ବତନ୍ତ୍ର ରିଲିଫ୍ କମିସନର ଜାରି କରିଥିବା ନିର୍ଦେଶନାମାରେ ରିଜର୍ଭ କର୍ମଚାରୀଙ୍କ ନିଯୁକ୍ତି ଜିଲ୍ଲାପାଳ କରିବେ ବୋଲି ଜାରି କରିବା ପରେ ବିବାଦ ଉପୁଜିଛି। ଜିଲ୍ଲାପାଳମାନେ ଗଲା ଦଶ ବର୍ଷରୁ ଅଧିକ ଦିନ ହେବ ଲଗାତର କାର୍ଯ୍ୟ କରି ଆସୁଥିବା ଅଭିଜ୍ଞ ଡ୍ରାଇଭର୍‌ ଓ ଖଲାସୀଙ୍କୁ ନିଯୁକ୍ତି ନ ଦେଇ ବିଜ୍ଞପ୍ତିରେ ବୟସ ସମେତ କେତେକ ସର୍ତ୍ତ ରଖିଥିଲେ। ଏହା ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ନିର୍ଦେଶକୁ ଉଲ୍ଲଂଘନ କରୁଥିବା ଅଭିଯୋଗ କରି ଗତ ମାସରେ ଅସ୍ଥାୟୀ ଲଞ୍ଚ ଡ୍ରାଇଭର୍‌ ଓ ଖଲାସୀ ମହାସଂଘ ରାଣୀହାଟସ୍ଥିତ ସହକାରୀ ନିର୍ବାହୀ ଯନ୍ତ୍ରୀ(ବନ୍ଦର)ଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଅଗ୍ରାଧିକାର ଭିତ୍ତିରେ ସେମାନଙ୍କୁ ନିଯୁକ୍ତି ଦେବାକୁ ଦାବି କରିଥିଲା। କିନ୍ତୁ ଅଧ୍ୟାବଧି ନିଯୁକ୍ତି ଦିଗରେ କୌଣସି ପଦକ୍ଷେପ ନିଆଯାଇନଥିବା ମହାସଂଘ ସଂପାଦକ ହିମାଂଶୁ ପଣ୍ଡା ଅଭିଯୋଗ କରିଛନ୍ତି।

ସେ କହିଛନ୍ତି ଜିଲ୍ଲାପାଳଙ୍କ ହାତକୁ କ୍ଷମତା ଚାଲିଯିବା ପରେ ସେମାନେ ନିଯୁକ୍ତିରେ ମନମାନି ତଥା ପ୍ରିୟାପ୍ରୀତି ତୋଷଣ କରୁଛନ୍ତି। ସ୍ବତନ୍ତ୍ର ରିଲିଫ୍ କମିସନର ଏବଂ ବନ୍ଦର ଯନ୍ତ୍ରୀଙ୍କ ପାଖେ ଫେରାଦ୍ ହେବା ପରେ ବି କୌଣସି ସୁଫଳ ମିଳୁନାହିଁ। ପ୍ରତିଦିନ ରିଜର୍ଭ କର୍ମଚାରୀମାନେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ୁଛନ୍ତି। ପୁରୀ ଅସ୍ତରଂଗ ଅଂଚଳର ଈଶ୍ବର ବେହେରା ଜଗତସିଂହପୁର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟକୁ ଯିବା ପରେ ଦୁର୍ଘଟଣାର ଶିକାର ହୋଇ ଆଜି ପ୍ରାଣ ହରାଇଥିବା ସେ ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ଗୋଟିଏ ପଟେ ଆବଶ୍ୟକ ଲଞ୍ଚ ଡ୍ରାଇଭର ଓ ଖଲାସୀଙ୍କ ଅଭାବ ଏବଂ ଅନ୍ୟପଟେ ଏସ୍‌ଆର୍‌ସିଙ୍କ ନିର୍ଦେଶନାମାକୁ ଜିଲ୍ଲାପାଳମାନେ ପାଳନ କରୁନଥିବା ଅଭିଯୋଗ ଭିତରେ ଯଦି ବନ୍ୟା ପରିସ୍ଥିତି ଉପୁଜେ ତେବେ ଏହାର ମୁକାବିଲା କିଭଳି ହେବ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର