ଅଧିକ ମଦ ଦୋକାନ ଖୋଲିବେ ସରକାର, ପ୍ରସ୍ତାବ ପଠାଇବାକୁ ଚିଠି ଲେଖିଛି ଅବକାରୀ ବିଭାଗ

ସର୍ବସାଧାରଣଙ୍କ ଗୋଚର ପାଇଁ ନୋଟିସ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛି ସାରା ଭାରତ। ଓଡ଼ିଶା ସରକାର ଦୁଇ ବର୍ଷ ଧରି ରାଜ୍ୟରେ ମହାତ୍ମା ଗାନ୍ଧୀ ଜୟନ୍ତୀ ପାଳନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାରେ ଗାଁ ଗଣ୍ଡାରେ ନିଶା ନିବାରଣ ନେଇ ଆନ୍ଦୋଳନ ତେଜିଲାଣି। ମହିଳାମାନେ ରାଜରାସ୍ତାକୁ ଓହ୍ଲାଉଛନ୍ତି। ନବକୃଷ୍ଣ ଚୌଧୁରୀ ସରକାର ସମୟର ନିଶା ନିବାରଣ ଆଇନ କାର୍ଯ୍ୟକାରୀ କରିବା ଲାଗି ଦାବି ଜୋର ଧରୁଛି। ହେଲେ ସରକାର ମଦ ଉପରେ କଟକଣା ଜାରି କରିବା ପରିବର୍ତେ ଆୟ ବୃଦ୍ଧି ନିଶାରେ ଅଧିକ ମଦ ଦୋକାନ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିବା ସଂପର୍କରେ ଖବର ମିଳିଛି। ଅଧିକରୁ ଅଧିକ ବିଦେଶୀ ମଦ ଦୋକାନ ଖୋଲିବା ନେଇ ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଛି। ଅବକାରୀ ବିଭାଗ ଦି’ ପାଦ ଆଗକୁ ଯାଇ ଅଧୀକ୍ଷକମାନଙ୍କୁ ପ୍ରସ୍ତାବ ମାଗିଛି। ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ ବୁଦ୍ଧିଜୀବୀ ଓ ମଦ ବିରୋଧୀ ଆନ୍ଦୋଳନ କରୁଥିବା ସାମାଜିକ ସଂଗଠନମାନଙ୍କୁ ଆଚମ୍ବିତ କରିଛି।

ନଭେମ୍ବର ୭ ତାରିଖ ଦିନ ଯାଜପୁର ଜିଲ୍ଲା ଅବକାରୀ ଅଧୀକ୍ଷକ ଜିଲ୍ଲାର ଅଧିକାରୀମାନଙ୍କୁ ଚିଠି ଲେଖି ନୂତନ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଖୋଲିବାକୁ ପ୍ରସ୍ତାବ ମାଗିଛନ୍ତି। କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ କଟକଣାକୁ ଦୃଷ୍ଟିରେ ରଖି ତଥା ନିଷିଦ୍ଧାଞ୍ଚଳ ବାହାରେ ଆଉ କେଉଁଠି କେଉଁଠି ମଦ ଦୋକାନ ଖୋଲାଯାଇପାରିବ, ତାହା ଚିହ୍ନଟ କରି ନଭେମ୍ବର ୧୧ ତାରିଖ ସୁଦ୍ଧା ଜଣାଅ। ନୂଆ ମଦ ଦୋକାନ ଖୋଲିବା ପାଇଁ ଜିଲ୍ଲା ସ୍ତରରେ ଆସିଥିବା ପ୍ରସ୍ତାବଗୁଡ଼ିକ ପାଇଁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ନୋଟିସ କରିବାକୁ ଅବକାରୀ ବିଭାଗ ଚିଠିରେ ଉଲ୍ଲେଖ କରିଛନ୍ତି। ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ଆଉ ପାଦେ ଆଗକୁ ଯାଇ ନଭେମ୍ବର ୮ ତାରିଖ ଦିନ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖିଛନ୍ତି। ବିଭାଗର ଯୁଗ୍ମ ସଚିବ ଏସ୍ ବି କେ ପ୍ରଧାନ ଉଲ୍ଲେଖ କରିଛନ୍ତି ‌େଯ ୨୦୧୯-୨୦ ଅବକାରୀ ନୀତି ଅନୁଯାୟୀ ବିଭିନ୍ନ ମେଳା ମହୋତ୍ସବ ସମୟରେ ଅସ୍ଥାୟୀ ଭାବେ ମଦ ଦୋକାନ ଖୋଲିବାର ଯେଉଁ ପ୍ରାବଧାନ ରହିଛି, ତାହାକୁ ଅନେକ ଜିଲ୍ଲାପାଳ ଅନୁପାଳନ କରୁନାହାନ୍ତି। ଏ ସଂକ୍ରାନ୍ତ ଅନେକ ଦରଖାସ୍ତ ଉଚ୍ଚ ଅଧିକାରୀ ପାଇଛନ୍ତି। ଜିଲ୍ଲାପାଳମାନେ ଯୋଗ୍ୟ ବା ଉପଯୁକ୍ତ ଦରଖାସ୍ତକୁ ଏଭଳି ଅନୁମତି ଦେବାରୁ ବଞ୍ଚିତ ନ କରିବା ଲାଗି କୁହାଯାଇଛି। ଅବିଳମ୍ବେ ଏହି ଆବେଦନ ଉପରେ ପଦକ୍ଷେପ ନେବାଲାଗି ବିଭାଗ ଜିଲ୍ଲାପାଳଙ୍କୁ ଜଣାଇଛି। ଏ କ୍ଷେତ୍ରରେ ମଧ୍ୟ ମଦରୁ ଅଧିକ ରାଜସ୍ବ ସଂଗ୍ରହ ସଂପର୍କରେ କର୍ତୃପକ୍ଷ ଠାରିଛନ୍ତି।

ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏ ସଂକ୍ରାନ୍ତରେ ଗଣମାଧ୍ୟମକୁ କହିଛନ୍ତି ଯେ ଚଳିତ ବର୍ଷ କୌଣସି ନୂତନ ମଦଦୋକାନ ଖୋଲିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ। ୨୦୨୦-୨୧ ଅବକାରୀ ନୀତିରେ ଏହା ଉପରେ ବିଚାର କରାଯିବ। କିନ୍ତୁ ଜିଲ୍ଲାସ୍ତରରେ କେଉଁଠି କେଉଁଠି ମଦ ଦୋକାନ ଖୋଲା ଯାଇପାରିବ, ତାର ଏକ ଚିଠା ତାଲିକା ପ୍ରସ୍ତୁତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଆର୍ଥିକ ଦୁଃସ୍ଥିତି ଭିତରକୁ ଓଡ଼ିଶା ଠେଲି ହୋଇଯାଉଛି। ବିଭିନ୍ନ ଲୋକାଭିମୁଖୀ ଯୋଜନା ଘୋଷଣା ପରିପ୍ରେକ୍ଷୀରେ ରାଜସ୍ବ ବୃଦ୍ଧି ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେଲାଣି। ରାଜ୍ୟର ନିଜସ୍ବ ଆୟ ବୃଦ୍ଧି କରିବା ଲାଗି ଇତିମଧ୍ୟରେ ସରକାର ସ୍ବତନ୍ତ୍ର ଭାବେ କୌଣସି ପଦକ୍ଷେପ ନେଇନାହାନ୍ତି। ଏ କ୍ଷେତ୍ରରେ ନିଶାରୁ ରାଜସ୍ବ ଆୟ ବଢ଼ାଇବା ଭଳି ଏକ ସହଜ ଉପାୟ ଲକ୍ଷ୍ୟରେ ଏବେ ସରକାର ମାତିଛନ୍ତି। ନିଜେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଅବକାରୀ ବିଭାଗ ଦାୟିତ୍ବରେ ମଧ୍ୟ ଅଛନ୍ତି। ଏଣୁ ଏ ପ୍ରକ୍ରିୟାଟି ଅଧିକ ସହଜସାଧ୍ୟ ହୋଇଥିବା କୁହାଯାଉଛି।

ଅବକାରୀ ବିଭାଗର ରେକର୍ଡ଼ କହୁଛି, ୨୦୧୯ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସାରା ରାଜ୍ୟରେ ୧୧୫୯ଟି ସ୍ଥାନରେ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଖୋଲିବାକୁ ଲାଇସେନ୍ସ ପ୍ରଦାନ କରାଯାଇଛି। ସେଥିରୁ ୧୦୬୪ଟି ବିଦେଶୀ ମଦ ଦୋକାନ ଖୋଲିଛି। ବାକି ୯୫ଟି ବିଭିନ୍ନ କାରଣ ପାଇଁ ଖୋଲା ଯାଇପାରିନି। ଓଡ଼ିଶା ରାଜ୍ୟ ପାନୀୟ ନିଗମର ଲିମିଟେଡ୍‌ର ତଥ୍ୟ ଅନୁଯାୟୀ, ଚଳିତମାସ ୧୧ ତାରିଖ ସୁଦ୍ଧା ଠିପି ବନ୍ଦ ବିଦେଶୀ ମଦ ବିକ୍ରି ୧୦୦ କୋଟି ଛୁଇଁଲାଣି। ଅର୍ଥାତ୍ ରାଜ୍ୟରେ ମଦ ବିକ୍ରି ହୁ ହୁ ହୋଇ ବଢ଼ିବାରେ ଲାଗିଛି। ମଦ ସମେତ ଭାଙ୍ଗ, ତାଡ଼ି, ବିୟର୍, ଠିପି ଖୋଲା ମଦ ଦୋକାନ, ଦେଶୀ ମଦ, ମହୁଲ ପ୍ରସ୍ତୁତ ମଦରୁ ଚଳିତ ବର୍ଷ ଅବକାରୀ ରାଜସ୍ବ ବାବଦରେ ସରକାର ୪ ହଜାର ୬୦୦ କୋଟି ଟଙ୍କା ଆୟ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଗତ ସେପ୍ଟେମ୍ବର ସୁଦ୍ଧା ପ୍ରାୟ ୪୫% ରାଜସ୍ବ ଆଦାୟ ହୋଇସାରିଛି।

ସମ୍ବନ୍ଧିତ ଖବର