ଘରୋଇ ଟିକାକରଣ ହାର ୯୫-୫ % ବଢ଼ାଇବାକୁ କେନ୍ଦ୍ରକୁ ଚିଠି

ଭୁବନେଶ୍ବର : ରାଜ୍ୟରେ ଘରୋଇ ହସ୍ପିଟାଲଙ୍କ ସଂଖ୍ୟା ମାତ୍ର ୫ ପ୍ରତିଶତ। ଏ ପର୍ଯ୍ୟନ୍ତ ରାଜ୍ୟର ୪ଟି ଘରୋଇ ହସ୍ପିଟାଲ ଟିକା ଉତ୍ପାଦନକାରୀଙ୍କଠାରୁ ସିଧାସଳଖ ଟିକା କିଣିବା ଲାଗି ସକ୍ଷମ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ସଂଶୋଧିତ ନିର୍ଦେଶାବଳୀ ଅନୁସାରେ କେନ୍ଦ୍ର ସରକାର ୭୫ ପ୍ରତିଶତ ଟିକା କିଣିବା ସହିତ ଘରୋଇ ହସ୍ପିଟାଲମାନେ ଟିକା ଉତ୍ପାଦନକାରୀ ସଂସ୍ଥାଠାରୁ ୨୫ ପ୍ରତିଶତ ଟିକା କିଣିପାରିବେ। ଯେହେତୁ ରାଜ୍ୟରେ ଘରୋଇ ହସ୍ପିଟାଲ ସଂଖ୍ୟା କମ୍ ଏ ଦୃଷ୍ଟିରୁ ରାଜ୍ୟ ୨୫ ପ୍ରତିଶତ ମଞ୍ଜୁର ଟିକା ହରାଇବାର ଆଶଙ୍କା ରହିଛି। ତେଣୁ ଟିକାର ହାର ୭୫-୨୫ ପ୍ରତିଶତ ବଦଳରେ ୯୫-୫ ପ୍ରତିଶତକୁ ବୃଦ୍ଧି କରିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।

ଆସନ୍ତା ୨୧ତାରିଖରୁ କେନ୍ଦ୍ର ସରକାରଙ୍କ ନୂତନ ଟିକାକରଣ ଅନୁଯାୟୀ ସବୁ ରାଜ୍ୟକୁ ୧୮-୪୪ବର୍ଗ ପାଇଁ ଟିକା ପ୍ରଦାନ କରିବେ। ଉତ୍ପାଦନକାରୀଙ୍କଠାରୁ ୭୫ ପ୍ରତିଶତ ଟିକା କିଣି ସବୁ ରାଜ୍ୟକୁ ବାଣ୍ଟିବେ କେନ୍ଦ୍ର ସରକାର। ଏହାସହ ଘରୋଇ ହସ୍ପିଟାଲମାନେ ୨୫ ପ୍ରତିଶତ ଟିକା ସିଧାସଳଖ କିଣିବା ପାଇଁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ଘରୋଇ ହସ୍ପିଟାଲ ପାଇଁ ଯେଉଁ ୨୫ ପ୍ରତିଶତ ଅଂଶ ନିର୍ଦେଶାବଳୀ ରହିଛି ଏଥିରେ ପରିବର୍ତନ କରିବା ଲାଗି ରାଜ୍ୟ ସରକାର ନିବେଦନ କରିଛନ୍ତି। ଏହାସହ ଘରୋଇ ହସ୍ପିଟାଲମାନଙ୍କ ଟିକାର ଅଂଶକୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବାକୁ ଶ୍ରୀ ମହାପାତ୍ର ଚିଠିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର