କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି: ଘରୋଇ ହସ୍ପିଟାଲର ବଳକା ୧୭ଲକ୍ଷ ଟିକା ସରକାରଙ୍କୁ ଦିଅ

ଭୁବନେଶ୍ବର : ରାଜ୍ୟରେ ଥିବା ‌ଘରୋଇ ହସ୍ପିଟାଲମାନଙ୍କୁ ଯେତିକି ଟିକା ଆବଣ୍ଟିତ ହୋଇଛି, ତାହାର ଯଥେଷ୍ଟ କମ୍ ଟିକା ହସ୍ପିଟାଲମାନେ ଆଣିଛନ୍ତି। ଓଡ଼ିଶାରେ କମ୍ ସଂଖ୍ୟକ ଘରୋଇ ହସ୍ପିଟାଲ ପାଇଁ ରାଜ୍ୟ ଘରୋଇ ହସ୍ପିଟାଲଙ୍କୁ ଆବଣ୍ଟିତ ଟିକା ଆସିପାରୁନାହିଁ। ତେଣୁ ଜୁନ୍ ଓ ଜୁଲାଇ ମାସରେ ଘରୋଇ ହସ୍ପିଟାଲର ୧୭ଲକ୍ଷ ୧୯ହଜାର ୨ଶହ ଡୋଜ୍ ଟିକା ରାଜ୍ୟ ସରକାରଙ୍କୁ ପ୍ରଦାନ କରିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।

କେନ୍ଦ୍ର ସରକାରଙ୍କ ପରିବର୍ତ୍ତିତ ଟିକା ନୀତିରେ ୨୫ ପ୍ରତିଶତ ଟିକା ଘରୋଇ ହସ୍ପିଟାଲ ସିଧାସଳଖ ଟିକା ପ୍ରସ୍ତୁତକାରୀ କମ୍ପାନିଠାରୁ କିଣିପାରିବେ। ତେବେ ଜୁନ୍‌ ମାସରେ ଓଡ଼ିଶାର ଘରୋଇ ହସ୍ପିଟାଲ ପାଇଁ କୋଭାକ୍ସିନ୍ ଓ କୋଭିସିଲ୍‌ଡ ଟିକାକୁ ମିଶାଇ ସମୁଦାୟ ୯ଲକ୍ଷ ୨୫ହଜାର ୫୬୦ ଡୋଜ୍ ଆବଣ୍ଟିତ ହୋଇଥିବା ବେଳେ ଘରୋଇ ହସ୍ପିଟାଲମାନେ ୬୬ହଜାର ୫ଶହ ଡୋଜ୍ ଆଣିଛନ୍ତି। ଏହା ଆବଣ୍ଟିତ ଟିକାର ମାତ୍ର ୭.୨ ପ୍ରତିଶତ। ଆହୁରି ୮ଲକ୍ଷ ୫୯ଜାର ୬୦ ଡୋଜ୍ ବଳକା ରହିଛି। ସେହିପରି ଜୁଲାଇ ମାସରେ ୧୦ଲକ୍ଷ ୧୬ହଜାର ୯୭୦ ଡୋଜ୍ ଆବଣ୍ଟିତ ହୋଇଥିବା ବେଳେ ଘରୋଇ ହସ୍ପିଟାଲ ୧୫.୪ ପ୍ରତିଶତ ଅର୍ଥାତ୍ ୧ଲକ୍ଷ ୫୬ହଜାର ୮୩୦ ଡୋଜ୍ ଟିକା କିଣିବା ନେଇ ଇଚ୍ଛା ଜାହିର କରିଛନ୍ତି। ତେଣୁ ଚଳିତ ମାସ ଆହୁରି ୮ଲକ୍ଷ ୬୦ହଜାର ୧୪୦ ‌ଡୋଜ୍ ବଳକା ରହିଛି।

ରାଜ୍ୟର ସମୁଦାୟ ସ୍ବାସ୍ଥ୍ୟ ବ୍ୟବସ୍ଥାର ମାତ୍ର ୫ପ୍ରତିଶତ ହେଉଛି ଘରୋଇ ହସ୍ପିଟାଲ। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାରଙ୍କ ୭୫:୨୫ ଆନୁପାତିକ ବ୍ୟବସ୍ଥାରେ ଓଡ଼ିଶା ଘରୋଇ ହସ୍ପିଟାଲ ଟିକା ହରାଇବାର ଆଶଙ୍କା ରହିଛି। ନିକଟରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଆନୁପାତିକ ବ୍ୟବସ୍ଥାରେ ପରିବର୍ତ୍ତନ କରି ଏହାକୁ ୯୫:୫ କରିବା ଲାଗି ଅନୁରୋଧ କରିଥିଲେ। ଏହାଦ୍ବାରା ଘରୋଇ ହସ୍ପିଟାଲକୁ ମିଳିବାକୁ ଥିବା ବଳକା ଟିକା ରାଜ୍ୟ ସରକାର ପାଇପାରିବେ। ରାଜ୍ୟରେ ଦୈନିକ ୩.୫ଲକ୍ଷ ଲୋକଙ୍କୁ ଟିକା ଦେବାର କ୍ଷମତା ରହିଛି। ଜୁଲାଇ ମାସରେ ଓଡ଼ିଶା ପାଇବାକୁ ଥିବା ୩୦ଲକ୍ଷ ୫୦ହଜାର ୯୧୦ ଡୋଜ୍‌ ଟିକା ଆସନ୍ତା ୮/୧୦ଦିନ ଭିତରେ ଶେଷ ହୋଇଯିବ। ତେଣୁ ଘରୋଇ ହସ୍ପିଟାଲମାନଙ୍କୁ ଆବଣ୍ଟିତ ହୋଇଥିବା ଟିକାର ବଳକା ଅଂଶକୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବା ଲାଗି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର