ଅନ୍ୟ ସ୍ଥାନରେ ରଥଯାତ୍ରା ଅନୁମତି ପାଇଁ ପ୍ରାର୍ଥନା, ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମ୍‌କୋର୍ଟରେ ମାମଲା

ନୂଆଦିଲ୍ଲୀ : ରାଜ୍ୟ ସରକାରଙ୍କ ଦ୍ବାରା ଓଡିଶାରେ କେବଳ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦିଆଯାଇଛି ଏବଂ ଅନ୍ୟ କୌଣସି ସ୍ଥାନ ପାଇଁ ଅନୁମତି ଦିଆଯାଇନାହିଁ। ଅନ୍ୟ ସ୍ଥାନଗୁଡ଼ିକରେ ସଂପୂର୍ଣ୍ଣ ରଥଯାତ୍ରା ବନ୍ଦ କରିବା ଧାର୍ମିକ ଅଧିକାର ବିରୋଧୀ ବୋଲି ଦର୍ଶାଇ ରାଜ୍ୟର ବିଭିନ୍ନ ସ୍ଥାନର ଭକ୍ତ ଓ ସେବାୟତମାନଙ୍କ ଦ୍ବାରା ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନଙ୍କ ଜରିଆରେ ସୁପ୍ରିମ୍‌କୋର୍ଟରେ ଓଡ଼ିଶା ହାଇକୋର୍ଟର ଜୁନ ୨୩, ୨୦୨୧ ତାରିଖର ଆଦେଶ ବିରୋଧରେ ଅପିଲ କରାଯାଇଛି।

ରଥଯାତ୍ରା ଆୟୋଜନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ହାଇକୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଥିଲେ। ଆବେଦନକାରୀଙ୍କ ପକ୍ଷରୁ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ଜାରି କରାଯାଇଥିବା ଆଦେଶକୁ ଚ୍ୟାଲେଂଜ କରାଯାଇଛି। ଆବେଦନକାରୀ ବିଶ୍ବ ଗୋ-ସୁରକ୍ଷା ବାହିନୀ ପକ୍ଷରୁ ଦାଖଲ କରାଯାଇଥିବା ଆବେଦନରେ କୁହାଯାଇଛି ଯେ, ରାଜ୍ୟ ସରକାର ଅନେକ ବ୍ୟବସାୟିକ ଗତିବିଧି ପାଇଁ ଅନୁମତି ଦେଇଛନ୍ତି। ଏପରି କି ମଦ ଦୋକାନ ଖୋଲିବା ପାଇଁ ମଧ୍ୟ ଅନୁମତି ଦେଇଛନ୍ତି। ହେଲେ ଶ୍ରୀଜଗନ୍ନାଥଙ୍କ ପାରମ୍ପପରିକ ରୀତିନୀତି ପାଳନ ମାମଲାରେ ଭିନ୍ନମତ ସହ ବିପର୍ଯ୍ୟୟ ପରିଚାଳନା ଆଇନର ଦୁରୁପଯୋଗ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ କେନ୍ଦ୍ରାପଡ଼ା ବଳଦେବଜୀଉଙ୍କ ମନ୍ଦିରରେ କୋଭିଡ୍‌ କଟକଣା ଭିତରେ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଲୋଡ଼ାଯାଇଛି। ରାଜ୍ୟରେ ଥିବା ଅନ୍ୟ ମନ୍ଦିରମାନଙ୍କରେ ରଥଯାତ୍ରା ଅନୁମତି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଜାରି କରନ୍ତୁ ବୋଲି ଆବେଦନକାରୀଙ୍କ ପକ୍ଷରୁ ପ୍ରାର୍ଥନା କରାଯାଇଛି।

ସମ୍ବନ୍ଧିତ ଖବର