ଏନ୍‌ଟିପିସି ପ୍ରକଳ୍ପ ନେଇ ଚିଠି ଲଢ଼େଇ : ଅନୁମତି ଦିଅ, ୨୨ରେ ଶିଳାନ୍ୟାସ କରିବା

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶକ୍ତି ମନ୍ତ୍ରୀ, ଧର୍ମେନ୍ଦ୍ର କହିଲେ, ରାଜ୍ୟର ଯୁକ୍ତି ତଥ୍ୟ ଆଧାରିତ ନୁହେଁ

ଭୁବନେଶ୍ୱର : ଏନ୍‌ଟିପିସିର ତାଳଚେର ପ୍ରକଳ୍ପ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ ଚିଠି ଲଢ଼େଇ ଜାରି ରହିଛି। ଏହି ପ୍ରସଙ୍ଗରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ପ୍ରକଳ୍ପକୁ ଅନୁମତି ମିଳୁ ନ ଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ରାଜ୍ୟ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ ଏହାର ଜବାବ ଦେଇ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର୍‌ କେ ସିଂହଙ୍କୁ ୧୨ ତାରିଖରେ ଚିଠି ଲେଖିଲେ। ପୁଣି କେନ୍ଦ୍ର ଶକ୍ତି ମନ୍ତ୍ରୀ ଶ୍ରୀ ସିଂହ ଗତ ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ରାଜ୍ୟ ଉଠାଇଥିବା ବିଭିନ୍ନ ପ୍ରଶ୍ନର ଜବାବ ଦେଇଛନ୍ତି। ଆଉ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି, ଆପଣ ତାଳଚେର ପ୍ରକଳ୍ପକୁ ତୁରନ୍ତ ଅନୁମତି ଦେବାକୁ ପଦକ୍ଷେପ ନିଅନ୍ତୁ। ଆସନ୍ତା ୨୨ ତାରିଖରେ ପ୍ରଧାନମନ୍ତ୍ରୀ ତାଳଚେର ଯାଉଛନ୍ତି। ତେଣୁ ଏହି ସୁଯୋଗକୁ ବ୍ୟବହାର କରି ଆପଣଙ୍କ ଉପସ୍ଥିତିରେ ପ୍ରକଳ୍ପର ଶିଳାନ୍ୟାସ କରିବା।

ଅପର ପକ୍ଷରେ ରାଜ୍ୟ ଶକ୍ତି ମନ୍ତ୍ରୀ ତାଙ୍କ ଚିଠିରେ ଦେଇଥିବା ବିଭିନ୍ନ ଯୁକ୍ତିକୁ ସମାଲୋଚନା କରି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି କହିଛନ୍ତି, ୨୦୨୧ ସୁଦ୍ଧା ଟିଟିପିଏସ୍‌ ପ୍ରକଳ୍ପ ପୁରୁଣା ହୋଇଯିବ ଓ ପର୍ଯ୍ୟାବରଣ କାରଣରୁ ବନ୍ଦ ହେବ। ଏନ୍‌ଟିପିସି ଏହାର ସମ୍ପ୍ରସାରଣ କରି ନୂଆ ଟେକ୍ନୋଲୋଜିରେ ପୁଣି ପ୍ରକଳ୍ପକୁ ନିର୍ମାଣ କରିବ। ଏହି ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ଯୁକ୍ତି ତଥ୍ୟ ଓ ସତ୍ୟ ଉପରେ ଆଧାରିତ ନୁହେଁ। ରାଜ୍ୟ ସରକାର ଏନ୍‌ଟିପିସିର ୧୨ ପ୍ରକଳ୍ପରୁ ବିଜୁଳି କ୍ରୟ ପାଇଁ ନିଜେ ପାଓ୍ଵାର୍‌ ପର୍‌ଚେଜିଂ ଏଗ୍ରିମେଣ୍ଟ୍‌(ପିପିଏ) କରିଛନ୍ତି। ଏହି ପ୍ରକଳ୍ପରୁ ବିଜୁଳି କିଣିବା ମହଙ୍ଗା ହୋଇଥିବା କହି ଓଡ଼ିଶାର ଟିଟିପିଏସ୍‌ ଫେଜ୍‌-୩କୁ ପ୍ରତ୍ୟାଖ୍ୟାନ କରିବା ଓଡ଼ିଶାର ଶିଳ୍ପାୟନକୁ ଧକ୍କା ଦେବ। କେନ୍ଦ୍ର ସରକାର ରାଜ୍ୟରେ ରେଳ, ବିମାନବନ୍ଦର ଓ ବିଜୁଳି ଆଦି ଢାଞ୍ଚାଗତ ବିକାଶରେ ହଜାର ହଜାର କୋଟି ଟଙ୍କା ମୁକ୍ତ ହସ୍ତରେ ବ୍ୟୟ କରୁଛନ୍ତି। ରାଜ୍ୟ ସରକାର ଏଥିରେ ସହଯୋଗୀ ହେବା କଥା। ତେଣୁ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ପ୍ରକଳ୍ପକୁ ଅନୁମତି ଦେବାକୁ ଶ୍ରୀ ପ୍ରଧାନ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ କେନ୍ଦ୍ର ଶକ୍ତି ମନ୍ତ୍ରୀ ଶ୍ରୀ ସିଂହ ଯୁକ୍ତି ଦର୍ଶାଇଛନ୍ତି, ୨୦୧୦ ମସିହାରେ ହୋଇଥିବା ଚୁକ୍ତି ଅନୁଯାୟୀ ତାଳଚେର ପ୍ରକଳ୍ପରୁ ଉତ୍ପାଦିତ ବିଦ୍ୟୁତ ୟୁନିଟ୍‌ ପିଛା ୨ ଟଙ୍କା ୬୮ ପଇସା ସ୍ଥିର ହୋଇଥିଲା। କିନ୍ତୁ ବର୍ତ୍ତମାନ ବିଭିନ୍ନ ଖର୍ଚ୍ଚ ବଢ଼ିଯାଉଥିବାରୁ ୟୁନିଟ୍‌ ପିଛା ୩ ଟଙ୍କା ୪୦ ପଇସା ହୋଇଛି। ଆସନ୍ତା ୨୫ ବର୍ଷ ପାଇଁ ଓଡ଼ିଶାକୁ ବିଜୁଳି ଯୋଗାଇବାକୁ ଏହି ଦର ସମ୍ପୂର୍ଣ୍ଣ ଠିକ୍‌ ଅଟେ। ତେବେ ସିଇଆର୍‌ସିଙ୍କ ଦ୍ୱାରା ପ୍ରକୃତ ଦର ପରେ ନିର୍ଦ୍ଧାରଣ କରାଯିବ। ବର୍ତ୍ତମାନ ତାଳଚେର ପ୍ଲାଣ୍ଟ୍‌ ୨୦୨୧ରେ ବନ୍ଦ ହେବ। ତେଣୁ ଅତ୍ୟାଧୁନିକ ଜ୍ଞାନକୌଶଳ ସହ ନୂଆ ପ୍ଲାଣ୍ଟର ତୁରନ୍ତ ନିର୍ମାଣର ଆବଶ୍ୟକତା ଜରୁରି।

ସେହିପରି ବିହାରରେ ଏନ୍‌ଟିପିସିର ବର୍‌ହ-୧ ଓ ବର୍‌ହ-୨ପ୍ରକଳ୍ପରୁ ଅଣାଯାଉଥିବା ବିଦ୍ୟୁତ ଆଉ ନ ଆଣିବା ପାଇଁ ଓଡ଼ିଶାର ପ୍ରସ୍ତାବ ସମ୍ପର୍କରେ ଶ୍ରୀ ସିଂହ କହିଛନ୍ତି, କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ କେନ୍ଦ୍ରୀୟ ବିଜୁଳି ଉତ୍ପାଦନ କେନ୍ଦ୍ରରୁ ବିଭିନ୍ନ ରାଜ୍ୟକୁ ବିଜୁଳି ଯୋଗାଣର ବ୍ୟବସ୍ଥା କରାଯାଇଛି। ନିୟମ ଅନୁଯାୟୀ ଯଦି ଗୋଟିଏ ରାଜ୍ୟ ତା’ର ଭାଗ ନ ନେବାକୁ ଚାହିଁବ, ତେବେ ଅନ୍ୟ ଗୋଟିଏ ରାଜ୍ୟ ତାହାକୁ ଗ୍ରହଣ କରିବାକୁ ରାଜି ହେବା ଦରକାର। ସେ ପର୍ଯ୍ୟନ୍ତ ବିଜୁଳି ନ ନେବାକୁ କୌଣସି ରାଜ୍ୟ ସିଧାସଳଖ ମନା କରିପାରିବେ ନାହିଁ। କାରଣ ବିଜୁଳି ଉତ୍ପାଦନ ପାଇଁ କେନ୍ଦ୍ର ସରକାର ପୁଞ୍ଜିନିବେଶ କରିସାରିଛନ୍ତି। ତେଣୁ ଓଡ଼ିଶା ସରକାରଙ୍କ ପ୍ରସ୍ତାବକୁ ଅନ୍ୟ ରାଜ୍ୟକୁ ଦିଆଯିବା ସହ ମନ୍ତ୍ରଣାଳୟ େଓ୍ଵବ୍‌ସାଇଟ୍‌ରେ ମଧ୍ୟ ଅପ୍‌ଲୋଡ୍‌ ହେବ। ଆଉ ଗୋଟିଏ ରାଜ୍ୟ ଆଗ୍ରହ ପ୍ରକାଶ କଲେ ଓଡ଼ିଶାର ପ୍ରସ୍ତାବ କାର୍ଯ୍ୟକାରୀ ହୋଇପାରିବ। ସେହିପରି ବର୍‌ହ-୧ ଓ ବର୍‌ହ-୨ ପ୍ରକଳ୍ପ ବଦଳରେ ଏନ୍‌ଟିପିସିର କଣିହା ଓ ତାଳଚେର ପ୍ରକଳ୍ପରୁ ଓଡ଼ିଶାକୁ ବିଦ୍ୟୁତ ଯୋଗାଣ ବର୍ତ୍ତମାନ ପାଇଁ ସମ୍ଭବ ନୁହେଁ। କାରଣ କଣିହା ଓ ତାଳଚେର ପ୍ରକଳ୍ପର ହିତାଧିକାରୀ ରାଜ୍ୟ ତାହାକୁ ଛାଡ଼ିବା ନେଇ କୌଣସି ପ୍ରସ୍ତାବ ଦେଇ ନାହାନ୍ତି।

ଏନ୍‌ଟିପିସି ବୋର୍ଡ ତାଳଚେର ପ୍ରକଳ୍ପରେ ୯୭୮୫ କୋଟି ଟଙ୍କା ପୁଞ୍ଜିନିବେଶ ପାଇଁ ମଞ୍ଜୁର କରିସାରିଛି। ଏଥି ପାଇଁ ପରିବେଶ ମଞ୍ଜୁରି ମିଳିସାରିଥିଲା ବେଳେ ଓଡ଼ିଶା ସରକାରଙ୍କ ଉଚ୍ଚ କ୍ଷମତାସମ୍ପନ୍ନ କମିଟିର ଅନୁମତି ବାକି ଅଛି। ତେଣୁ ମୁଖ୍ୟମନ୍ତ୍ରୀ ଏଥିରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ଅନୁମତି ଦେବାକୁ କେନ୍ଦ୍ର ମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶା ବହୁ ଦୃଷ୍ଟିରୁ ଲାଭବାନ ହେବ ବୋଲି ଶ୍ରୀ ସିଂହ ଆଶାପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର