ଶିକୁଳିରେ ବନ୍ଧା ଜୀବନ, ବୃଦ୍ଧ ବାପାମାଆ କାନ୍ଧରେ ଭେଣ୍ଡିଆ ପୁଅର ବୋଝ

ବ୍ୟାସନଗର  : ଶିକୁଳିରେ ବନ୍ଧା ହେଇଛି ଭେଣ୍ତିଆ ପୁଅ। ନାଁ ଖାଇବାରେ ରୁଚିଅରୁଚି, ନାଁ ସ୍ବାଭାବିକ ଜୀବନ ବଞ୍ଚିବାର ଶୈଳୀ। ପରିସ୍ଥିତି ଏମିତି ଯେ, ନିଜ ପୁଅକୁ ଶିକୁଳିରେ ବାନ୍ଧି ରଖୁଛି ମାଆ। ଟ୍ରଲି ଟାଣି ପେଟକୁ ଦି’ ମୁଠା ଦାନା ଯୋଗାଡ଼ କରୁଥିବା ବାପା ମଧ୍ୟ ମାନସିକ ଦିବ୍ୟାଙ୍ଗ ଶିକୁଳିରେ ବନ୍ଧା ପୁଅକୁ ସାଙ୍ଗରେ ନେଇ ଯାଉଛନ୍ତି। ଏଭଳି ଦୃଶ୍ୟ ଯାଜପୁର ଜିଲ୍ଲା ବ୍ୟାସନଗର ପୌରଞ୍ଚଳର ୨୦ ନମ୍ବର ୱାର୍ଡ ଦଳା ଗ୍ରାମରେ ଦେଖିବାକୁ ମିଳିଛି।

ଦଳା ଗ୍ରାମର ପୁରସ୍ତମ ମଳିକ (୬୦) ଟ୍ରଲି ଚଳାଇ ପରିବାର ପ୍ରତିପୋଷଣ କରନ୍ତି। ମାନସିକ ଦିବ୍ୟାଙ୍ଗ ସାନପୁଅ ସାଗର ଘର ପିଣ୍ଢାରେ ବନ୍ଧା ହୋଇ ରହୁଛନ୍ତି। ପୁରସ୍ତମଙ୍କ ବଡ଼ପୁଅ ସମୀରଙ୍କର ୨୦୨୦ ରେ ଅକାଳ ମୃତ୍ୟୁ ହୋଇଥିଲା। ସାନପୁଅ ସାଗର ପିଲାବେଳୁ ବାପାମାଆଙ୍କ ବେକରେ ବନ୍ଧା। ଏକମାତ୍ର ଝିଅ ଭାନୁବତୀଙ୍କୁ ଏଯାଏ ବାହା ଦେଇପାରିନାହାନ୍ତି। ୪ ପ୍ରାଣୀ କୁଟୁମ୍ବଙ୍କ ପେଟରେ ଦାନା ଦେବାକୁ ଟ୍ରଲି ଟାଣି ପୁରସ୍ତମ ଯାହା ରୋଜଗାର କରୁଛନ୍ତି ତାହା ନିଅଣ୍ଟ ହେଉଛି। ଅନ୍ୟପକ୍ଷରେ ସାଗରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୭୫ ପ୍ରତିଶତ ଭିନ୍ନକ୍ଷମ ପ୍ରମାଣପତ୍ର ମିଳିଛି। ହେଲେ ତାଙ୍କୁ କୌଣସି ସରକାରୀ ଯୋଜନାରେ ସାମିଲ କରାଯାଇନାହିଁ। ବୟସ ବଢ଼ିବା ସଙ୍ଗେସଙ୍ଗେ ସାଗର ଦିନକୁଦିନ ଅଧିକ ପ୍ରତିକ୍ରିୟାଶୀଳ ହୋଇପଡ଼ୁଛନ୍ତି। ପୁଅର କାର୍ଯ୍ୟକଳାପ ବିପଜ୍ଜନକ ହେଉଥିବାରୁ ବାପାମାଆ ତାଙ୍କୁ ଶିକୁଳିରେ ବାନ୍ଧି ରଖିଛନ୍ତି।

ପରିବାର ପ୍ର‌ତିପୋଷଣ କଷ୍ଟକର ହେଉଥିବା ବେଳେ ପୁଅର ଚିକିତ୍ସା ସମ୍ଭବ ହେଉନାହିଁ। ପୌର କାର୍ଯ୍ୟାଳୟ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଗୁହାରି କରୁଥିଲେ ମଧ୍ୟ କେହି ଗୁରୁତ୍ବ ଦେଉନଥିବା ପୁରସ୍ତମ ଅଭିଯୋଗ କରିଛନ୍ତି। ବଡ଼ ଡାକ୍ତରଖାନା ନେଇ ଚିକିତ୍ସା କରାଇଲେ ପୁଅ ଭଲ ହୋଇଯିବ ବୋଲି କିଛିଲୋକ କହୁଛନ୍ତି। ହେଲେ ଏଥିପାଇଁ ତାଙ୍କ ନିକଟରେ ଆବଶ୍ୟକ ଅର୍ଥ ନାହିଁ। ପୁଅର ଉଚ୍ଚତର ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବାକୁ ପୁରସ୍ତମ ଅନୁରୋଧ କରିଛନ୍ତି। ଏସମ୍ପର୍କରେ ଦଳା ୱାର୍ଡର ପ୍ରାକ୍ତନ କାଉନସିଲର ନିରୁପମା ସାହୁଙ୍କୁ ପଚାରିବାରୁ, ପୁରସ୍ତମଙ୍କ ପାଇଁ ପୌର ଅଧିକାରୀଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିବା କହିଛନ୍ତି। ପ୍ରାକ୍ତନ କାଉନସିଲର ଶ୍ରୀମତୀ ସାହୁ ଭଦ୍ରକର ସରକାରୀ ମାନସିକ ଅନଗ୍ରସର ଡାକ୍ତରଖାନା ସହିତ ଯୋଗାଯୋଗ କରି ସମୀରଙ୍କ ପାଇଁ ଔଷଧର ବ୍ୟବସ୍ଥା କରିଛନ୍ତି। ଉଚ୍ଚତର ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଲେ ସମୀର ସୁସ୍ଥ ହୋଇପାରନ୍ତେ ବୋଲି ଶ୍ରୀମତୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର