ମଦ, ମଦୁଆଙ୍କ ଉପଦ୍ରବ ନେଇ ବିଧାନସଭାରେ ଉଦ୍‌ବେଗ

ମଦ ବିକ୍ରେତାଙ୍କୁ ପୁରସ୍କାର ପ୍ରଦାନ ସରକାରଙ୍କ ନିଷ୍ପତ୍ତି ନୁହେଁ : ମନ୍ତ୍ରୀ, ଅବକାରୀ ନୀତି ମହିଳାଙ୍କ ସ୍ବାର୍ଥ ଅନୁକୂଳ ହେଉ : ସୌମ୍ୟରଞ୍ଜନ

ଭୁବନେଶ୍ବର : ରାଜ୍ୟରେ ଚୋରା ମଦ କାରବାର ବଢ଼ିଚାଲିଛି। ମଦୁଆଙ୍କ ଉପଦ୍ରବ ବି ବଢ଼ିଛି। ଏହା ଦ୍ବାରା ବିଭିନ୍ନ ସ୍ଥାନରେ ସାମାଜିକ ସମସ୍ୟା ଉତ୍କଟ ହେଉଛି। ତେଣୁ ସରକାର ଏ ଦିଗରେ କଠୋର ପଦକ୍ଷେପ ନିଅନ୍ତୁ।

ଆଜି ବିଧାନସଭାର ପ୍ରଶ୍ନକାଳରେ ଦଳମତ ନିର୍ବିଶେଷରେ ବିଧାୟକମାନେ ଏମିତି ଉଦ୍‌ବେଗ ପ୍ରକାଶ କରିଥିଲେ। ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ, ମଦର କ୍ଷତିକାରକ ବ୍ୟବହାରକୁ ପ୍ରତିହତ କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି। ପ୍ରତି ଜିଲ୍ଲାରେ ମଦର ଅପକାରିତା ବିଷୟରେ ବୁଝାଇବା ପାଇଁ ଜିଲ୍ଲା ପ୍ରଶାସନକୁ ଏକ ଲକ୍ଷ ଟଙ୍କା ଲେଖାଏ ଅର୍ଥ ଦିଆଯାଉଛି। ମଦ ବୋତଲ ଉପରେ ମଦ୍ୟପାନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଲେଖାଯାଉଛି। ଚୋରା ମଦ କାରବାର ବନ୍ଦ କରିବାକୁ ଚଢ଼ାଉ ଜୋର୍‌ଦାର୍ କରାଯାଉଛି।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ରାଜ୍ୟରେ ମଦ୍ୟପଙ୍କ ସଂଖ୍ୟା, ମଦ ବିକ୍ରି ଓ ମଦ ବିକ୍ରେତାଙ୍କ ସମ୍ପର୍କରେ ମୂଳ ପ୍ରଶ୍ନ କରିଥ‌ିଲେ। ଉତ୍ତରରେ ଅବକାରୀ ମନ୍ତ୍ରୀ ଦର୍ଶାଇଥିଲେ, ରାଜ୍ୟରେ ମଦ୍ୟପାନ ଅଭ୍ୟସ୍ତ ବ୍ୟକ୍ତିବିଶେଷଙ୍କୁ କିପରି ଗୁଣାତ୍ମକ, ନିରାପଦ ଓ ଉଚିତ ମୂଲ୍ୟରେ ସରକାରୀ ସ୍ବୀକୃତିପ୍ରାପ୍ତ ମଦ ଦୋକାନ ମାଧ୍ୟମରେ ମଦ ଉପଲବ୍ଧ ହେବ, ତାହା ସରକାର ନିଶ୍ଚିତ କରିଥା’ନ୍ତି। ୨୦୦୯-୧୦ ଆର୍ଥିକ ବର୍ଷରେ ଅବକାରୀ ରାଜସ୍ବ ୮୪୮.୯୬ କୋଟି ଟଙ୍କା ଥିଲା ବେଳେ ୨୦୧୮-୧୯ରେ ଏହି ପରିମାଣ ୩୯୨୫.୪୧ କୋଟି ଟଙ୍କାରେ ପହଞ୍ଚିଛି।

ଶ୍ରୀ ମାଝୀ ସରକାରଙ୍କ ଆଭିମୁଖ୍ୟ ଦୋମୁହାଁ ବୋଲି ଆରୋପ ଲଗାଇଥିଲେ। ଗୋଟିଏ ପଟେ ମଦ ବିକ୍ରେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି କହୁଥିଲା ବେଳେ ଅନ୍ୟ ପଟେ ନିଶା ନିବାରଣ ନେଇ ସଚେତନତା ସୃଷ୍ଟି କରୁଛନ୍ତି ବୋଲି ସେ କହିଥିଲେ। କିନ୍ତୁ ମନ୍ତ୍ରୀ କହିଥିଲେ, ମଦ ବିକ୍ରେତାଙ୍କୁ ପୁରସ୍କାର ପ୍ରଦାନ କଥା ଷ୍ଟାଣ୍ଡିଂ କମିଟି ପ୍ରସ୍ତାବ ‌େଦଇଥିଲା, ଯେଉଁଥିରେ କି ଗୃହର ସବୁ ଦଳର ବିଧାୟକ ସଦସ୍ୟ ଅଛନ୍ତି। ଏହା ସରକାର ନିଷ୍ପତ୍ତି ନୁହେଁ।

ବିଜେଡି ସଭ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ଯୁକ୍ତି ଉପସ୍ଥାପନ କରିଥିଲେ, ଏହା ଏକ ସ୍ପର୍ଶକାତର ପ୍ରସଙ୍ଗ। ଏ ସରକାର ବାରମ୍ବାର ବହୁ ମତରେ ଆସିବା ପଛରେ ମହିଳାମାନଙ୍କର ବିଶେଷ ଅବଦାନ ରହିଛି। ତେଣୁ ମହିଳାଙ୍କ ଆବେଗକୁ ଲକ୍ଷ୍ୟ ରଖି ସେମାନଙ୍କ ସ୍ବାର୍ଥ ଅନୁକୂଳ ଅବକାରୀ ନୀତି ପ୍ରସ୍ତୁତ କରାଯିବା ଉଚିତ। ଯଦି ମଦକୁ ସମ୍ପୂର୍ଣ୍ଣ ବାରଣ କରାଯିବ, ତେବେ ଓଡ଼ିଶା ପରି ଗରିବ ରାଜ୍ୟ ରାଜସ୍ବ ହରାଇବାର ଆଶଙ୍କା ରହିଛି। ପୁଣି ମଦ ବନ୍ଦକୁ ଠିକ୍ ଭାବେ କାର୍ଯ୍ୟକାରୀ କରା ନ ଗଲେ, ଚୋରା ମଦ ବିକ୍ରି ବଢ଼ିବା ସହ ଚୋରା ମଦ ବିକ୍ରେତା ସକ୍ରିୟ ହୋଇ ଉଠିବେ। ଏହା ମହରଗରୁ ଯାଇ କାନ୍ତାରରେ ପଡ଼ିଲା ପରି ହେବ। ତେବେ ଲୁକ୍‌କାୟିତ ଭାବେ ମଦ କେତେ ହାନି କରୁଛି ତାହାକୁ ବି ଆକଳନ କରିବାର ଆବଶ୍ୟକତା ଅଛି। ମଦ୍ୟ ପାନ ଯୋଗୁ କେତେ ଯେ ଦୁର୍ଘଟଣା ଘଟୁଛି, ତାହାର ହିସାବ ନାହିଁ। ଏହା ଦ୍ବାରା ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଉପରେ ଚାପ ପଡ଼ୁଛି। ତେଣୁ ରାଜ୍ୟରେ ମଦ ବନ୍ଦ ପାଇଁ ଏକ ନିରପେକ୍ଷ ଓ ଅନାସକ୍ତ କମିଟି ଗଠନ କରାଯାଉ। ମଦ ପାଇଁ ମିଳୁଥିବା ରାଜସ୍ବ ଓ ତାହା ସମାଜକୁ କରୁଥିବା ହାନିର ବିଭିନ୍ନ ଦିଗକୁ ନିଆଯାଇ ମୂଲ୍ୟ ବିଶ୍ଳେଷଣ କରାଯାଉ। ସେହି ଅନୁଯାୟୀ ସରକାର ପଦକ୍ଷେପ ନିଅନ୍ତୁ।

ଉତ୍ତରରେ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ, ବିଧାୟକଙ୍କ ଯୁକ୍ତିକୁ ସମ୍ମାନ ଜଣାଉଛି। ଏହି ପ୍ରସ୍ତାବ ଉପରେ ବିଭାଗ ପକ୍ଷରୁ ବିଚାର ଆଲୋଚନା କରାଯିବ।

ବିଜେଡି ସଭ୍ୟ ନୃସିଂହ ସାହୁ ତାଙ୍କ ନିର୍ବାଚନମଣ୍ଡଳୀର ନିର୍ଦ୍ଦିଷ୍ଟ ସ୍ଥାନରେ ଚୋରା ମଦ କାରବାର ହେଉଥିବା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ସିଧାସଳଖ ରାଜ୍ୟ ସ୍ତରରୁ ସ୍କ୍ବାର୍ଡ ପଠାଇ ଯାଞ୍ଚ୍ କରିବାକୁ କହିଥିଲେ। ସ୍କ୍ବାର୍ଡ ପଠାଇବେ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।

ପ୍ରତାପ କେଶରୀ ଦେବ କହିଥିଲେ, ଯେଉଁ ଜାଗାରେ ମଦ ଯୋଗୁ ମହିଳାମାନେ ଅତ୍ୟ‌ାଚାରିତ ହେଉଛନ୍ତି, ସେଠାରେ ମଦ ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯାଉ। ମନ୍ତ୍ରୀ କହିଥିଲେ, ବହୁ ଜିଲ୍ଲାରେ ଏ ନେଇ ଚଢ଼ାଉ କରାଯାଉଛି। ନିର୍ଦ୍ଦିଷ୍ଟ ଅଞ୍ଚଳ କଥା‌ ଥିଲେ, ବିଧାୟକ ଲେଖିକି ଦେଲେ ପଦକ୍ଷେପ ନିଆଯିବ।

କଂଗ୍ରେସ ସଭ୍ୟ ସି ଏସ୍ ରାଜନ ଏକା ସୁନ୍ଦରଗଡ଼ରେ ବେଆଇନ୍ ମଦ କାରବାର ଯୋଗୁ କିପରି ସମସ୍ୟା ସୃଷ୍ଟି ହେଉଛି, ତାହା ଉଲ୍ଲେଖ କରିଥିଲେ। ବିଜେପି ସଭ୍ୟ ସୁବାସ ପାଣିଗ୍ରାହୀ କହିଥିଲେ, ସରକାର ଯଦି ମଦରୁ ଅଧିକ ରାଜସ୍ବ ଚାହୁଁଛନ୍ତି, ତେବେ ମଦ ଦୋକାନଗୁଡ଼ିକର ‌ଲାଇସେନ୍ସ ନବୀକରଣ ନ କରି ଖୋଲା ଟେଣ୍ଡର୍ କରନ୍ତୁ। ମନ୍ତ୍ରୀ କହିଥିଲେ, ସରକାର ବି ସେୟା ଚାହୁଁଛନ୍ତି। କିନ୍ତୁ ଏ ସଂକ୍ରାନ୍ତୀୟ ମାମଲା କୋର୍ଟର ବିଚାରାଧୀନ ଅଛି। ବିଜେଡି ସଭ୍ୟ ଶଶିଭୂଷଣ ବେହେରା ଅତିରିକ୍ତ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର