ଆଇନକୁ ଫୁଃ! ଏକ୍ସପ୍ରେସ ଟ୍ରେନରେ ଚାଲିଛି ଖୁଲମଖୁଲା ମଦ୍ୟପାନ ! ଦେଖନ୍ତୁ ଭିଡିଓ…

ଭୁବନେଶ୍ୱର: ଟ୍ରେନରେ ମଦ୍ୟପାନ | ସିଏ ପୁଣି ଖୁଲମଖୁଲା | ଓଡ଼ିଶା ଦେଇ ଯାଉଥିବା ଏକ ଏକ୍ସପ୍ରେସ ଟ୍ରେନର ଜେନେରାଲ ବଗିରେ ଏଭଳି କିଛି ଦୃଶ୍ୟ ଏବେ ଚର୍ଚ୍ଚା ସୃଷ୍ଟି କରିଛି | ବାଲେଶ୍ୱରରୁ ଭୁବନେଶ୍ୱର ଯାଉଥିବା ବେଳେ ଜଣେ ଟ୍ରେନ ଯାତ୍ରୀ ଏହି ଭିଡିଓକୁ ନିଜ ମୋବାଇଲରେ ରେକର୍ଡିଂ କରିଥିଲେ | ସୂଚନା ଅନୁଯାୟୀ ପଶ୍ଚିମବଙ୍ଗର ପୁରୁଲିଆରୁ ତାମିଲନାଡୁର ଭିଲୁପୁରମ ଯାଉଥିବା ପିଆରଆର-ଭିଏମ ସାପ୍ତାହିକ ଏକ୍ସପ୍ରେସର ଜେନେରାଲ ବଗିରେ ମଦ୍ୟପାନ ସାଙ୍ଗକୁ ମଦ ବେପାର କରାଯାଉ ଥିବାର ଦୃଶ୍ୟ ସାମ୍ନାକୁ ଆସିଛି |

ଏହି ଟ୍ରେନ ଓଡ଼ିଶାର ବ୍ରହ୍ମପୁର-ଭୁବନେଶ୍ୱର-ଯାଜପୁର-ଭଦ୍ରକ-ବାଲେଶ୍ୱର ଦେଇ ପଶ୍ଚିମବଙ୍ଗକୁ ଯାଇଥାଏ | ତେବେ ଯାଜପୁରରେ କିଛି ଧୂର୍ତ୍ତ ବେପାରୀ ମଦ ଆଣି ଟ୍ରେନ ଭିତରେ ବିକ୍ରି କରିଥାନ୍ତି | ‘ମାଲ ନେବ ମାଲ’ କହି ଏହି ବେପାରୀ ମଦ ପିଇବାକୁ ଇଚ୍ଛା କରିଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚିଯାଆନ୍ତି | ଏହା ପରେ ମଦ ବିକ୍ରି କରିଥାନ୍ତି | ଏତିକିରେ କଥା ସରେ ନାହିଁ, ମଦ ସାଙ୍ଗକୁ ଗ୍ରାହକଙ୍କୁ ଚାଖଣା ମଧ୍ୟ ଯୋଗାଇ ଦେଇଥାନ୍ତି ଏମାନେ | ଅବଶ୍ୟ ଗ୍ରାହକମାନଙ୍କୁ ଏଥିପାଇଁ ବଜାରର ନିର୍ଦ୍ଧାରିତ ମୂଲ୍ୟଠାରୁ କିଛି ଅଧିକ ମୂଲ୍ୟ ଦେବାକୁ ପଡିଥାଏ |

ତେବେ ମଦ ପିଆର ଏହି ଖୋଲା କାର୍ଯ୍ୟକ୍ରମ କିନ୍ତୁ ଅନ୍ୟ ଯାତ୍ରୀଙ୍କ ଉପରେ କଣ ପ୍ରଭାବ ପକାଏ ତାହା ଉପରେ କେବେ କେହି ଦୃଷ୍ଟି ଦେଇନଥାନ୍ତି | ଏଠାରେ ପ୍ରଶ୍ନ ଉଠୁଛି ଟ୍ରେନରେ ବହୁ ସଂଖ୍ୟାରେ ଶିଶୁ, ମହିଳା ଓ ବୃଦ୍ଧ ବ୍ୟକ୍ତି ଯାତ୍ରା କରୁଥିବା ବେଳେ ଏଭଳି ଖୋଲାଖୋଲି ମଦ୍ୟପାନ କେତେ ଦୂର ଯୁକ୍ତିଯୁକ୍ତ | ରେଳ ମନ୍ତ୍ରାଳୟର ସୁରକ୍ଷା କର୍ମଚାରୀ ଏହା ଉପରେ କେବେ ନଜର ଦେବେ ତାହା ସମୟ ହିଁ କହିବ | ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଭାରତୀୟ ଦଣ୍ଡବିଧି ଆଇନ୍‌ ଓ ରେଳ ଆଇନ୍‌ରେ ଟ୍ରେନ୍‌ ଯାତ୍ରା କାଳରେ ଟ୍ରେନ୍‌ରେ ମଦ୍ୟପାନ ଏକ ଧର୍ତ୍ତବ୍ୟ ଓ ଦଣ୍ଡନୀୟ ଅପରାଧ।

ସମ୍ବନ୍ଧିତ ଖବର