ସମବାୟ ଋଣ ପରିମାଣ ୯,୦୦୦ କୋଟିକୁ ବୃଦ୍ଧି, ବର୍ଦ୍ଧିତ ଋଣ ନେଇ ଜିଲ୍ଲାପାଳଙ୍କୁ ସମବାୟ ବିଭାଗ ଲେଖିଲା ଚିଠି

ପ୍ରବାସୀ ଓଡ଼ିଆଙ୍କୁ ଚାଷ କାର୍ଯ୍ୟ ପାଇଁ ମିଳିବ, ନୂତନ କିଷାନ୍ କ୍ରେଡିଟ୍‌ କାର୍ଡ ବି ପ୍ରଦାନ କରାଯିବ

ଭୁବନେଶ୍ବର: ଚଳିତ ବର୍ଷ ଖରିଫ୍‌ ଋଣ ପରିମାଣକୁ ୭ ହଜାର ୫୦୦ କୋଟି ଟଙ୍କାରୁ ୯ ହଜାର କୋଟି ଟଙ୍କାକୁ ସରକାର ବୃଦ୍ଧି କରିଛନ୍ତି। ବର୍ଦ୍ଧିତ ଋଣ ପରିମାଣ ନେଇ ଆଜି ସମବାୟ ବିଭାଗ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛି। ତାଲାବନ୍ଦ ଯୋଗୁଁ ରାଜ୍ୟର ଚାଷୀମାନେ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ପାଇଁ ଧାର୍ଯ୍ୟ ହୋଇଥିବା ଋଣ ପରିମାଣ ପର୍ଯ୍ୟାପ୍ତ ହେବନି ବୋଲି ଗତ ୪ ତାରିଖରେ ସମ୍ବାଦରେ ଖବର ପ୍ରକାଶ ପାଇଥିଲା। ଏବେ ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀମାନଙ୍କୁ ଚାଷକାର୍ଯ୍ୟରେ ନିୟୋଜିତ କରିବା ପାଇଁ ସରକାର ଫସଲ ଋଣ ପ୍ରଦାନ କରିବେ। ଏହାସହିତ ଅଧିକରୁ ଅଧିକ ଚାଷୀମାନଙ୍କୁ ପ୍ରାଥମିକ କୃଷି ସମବାୟ ସମିତିରେ ସାମିଲ କରି ନୂତନ କିଷାନ୍‌ କ୍ରେଡିଟ୍‌ କାର୍ଡ଼ ଯୋଗାଇ ଦିଆଯିବ।

ସୂଚନା ଥାଉକି, ୨୦୨୦-୨୧ ଖରିଫ୍‌ ବର୍ଷ ପାଇଁ ୭ ହଜାର ୫୦୦ କୋଟି ଟଙ୍କାର ଋଣ ପ୍ରଦାନ ନେଇ ସମବାୟ ବିଭାଗ ଶାସନ ସଚିବ ବୀର ବିକ୍ରମ ଯାଦବ ଗତମାସ ୨୪ ତାରିଖରେ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଥିଲେ। କରୋନା ମହାମାରୀ ଯୋଗୁଁ ଋଣ ପ୍ରଦାନ ପାଇଁ ଆବେଦନ ପତ୍ର ପ୍ରକ୍ରିୟା କରିବା ବେଳେ ସାମାଜିକ ଦୂରତା ରକ୍ଷା ନିୟମ ଯେପରି ଅନୁପାଳନ ହେବ ସେଥିପାଇଁ ସତର୍କ ପଦକ୍ଷେପ ନେବାକୁ ପ୍ରାଥମିକ ସମବାୟ ସମିତି, ଡିସିସିବିମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଏହି ଋଣ ପରିମାଣ ପର୍ଯ୍ୟାପ୍ତ ହେବନି ବୋଲି ପୂର୍ବତନ ସମବାୟ ମନ୍ତ୍ରୀ ଓ ବିଶେଷଜ୍ଞ ମତ ରଖିଥିଲେ। ଏବେ ଖରିଫ ଋଣ ପରିମାଣ ବୃଦ୍ଧି ନେଇ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ମୁତାବକ, ତାଲାବନ୍ଦ ସମୟରେ ରାଜ୍ୟକୁ ଲକ୍ଷ ଲକ୍ଷ ପ୍ରବାସୀ ଆସୁଥିବାରୁ ସେମାନଙ୍କର ଖାଦ୍ୟ ନିରାପତ୍ତା ଓ ଜୀବିକା ନିର୍ବାହକୁ ସରକାର ପ୍ରାଥମିକତା ଦେଇଛନ୍ତି। ପ୍ରବାସୀମାନଙ୍କୁ ଯୁଗ୍ମ ଦେୟ ଗୋଷ୍ଠୀରେ ସାମିଲ କରି ଫସଲ ଋଣ ଯୋଗାଇଦେବା ପାଇଁ ନିଷ୍ପତ୍ତି ହୋଇଛି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀ, ପ୍ରକୃତ ଚାଷୀ, ଭାଗଚାଷୀ, ଭୂମିହୀନ କୃଷକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଋଣ ପ୍ରଦାନ କରିବାକୁ ମନ୍ତ୍ରୀ ଶ୍ରୀ ସ୍ବୀଇଁ ନିର୍ଦ୍ଦେଶ ଦେଇଛନ୍ତି। ମତ୍ସ୍ୟ, ଗୋପାଳନ, ପ୍ରାଣୀପାଳନ, କୁକୁଡ଼ା ଚାଷ କ୍ଷେତ୍ରରେ ଅଧିକ ପରିମାଣର କାର୍ଯ୍ୟକାରୀ ମୂଳଧନ ଋଣ ଆକାରରେ ଯୋଗାଇବା ପାଇଁ ଗୁରୁତ୍ବ ଦିଆଯାଇଛି। ଏଥିପାଇଁ ଜିଲ୍ଲାଵାରୀ ଋଣ ପ୍ରଦାନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୨୦୨୦ ଜୁନ୍‌ ଶେଷ ସୁଦ୍ଧା ୫ ହଜାର କୋଟି ଋଣ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ସେପ୍ଟେମ୍ବର ତ୍ରୟମାସିକ ସୁଦ୍ଧା ବାକି ୪ ହଜାର କୋଟି ଋଣ ପ୍ରଦାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅନ୍ତର୍ଗତ ଜବ୍‌ କାର୍ଡ଼ଧାରୀ ଓ ଭୂମିହୀନ ଚାଷୀଙ୍କ କ୍ଷେତ୍ରରେ ଅଧିକ ଯୁଗ୍ମ ଗୋଷ୍ଠୀ ଗଠନ କରି କିଷାନ୍‌ କ୍ରେଡିଟ୍‌ କାର୍ଡ଼ ଜରିଆରେ ସ୍ବଳ୍ପକାଳୀନ ଋଣ ଯୋଗାଇଦିଆଯିବ। ପ୍ରାଥମିକ କୃଷି ସମବାୟ ସମିତି, ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କଗୁଡ଼ିକ ଏ ଦିଗରେ ତ୍ବରିତ୍‌ ପଦକ୍ଷେପ ନେଇ ଫାର୍ମର୍ସ୍‌ କ୍ଲବମାନଙ୍କୁ ସଂଶ୍ଲିଷ୍ଠ କରି ଅଧିକରୁ ଅଧିକ ଯୁଗ୍ମଦେୟ ଗୋଷ୍ଠୀ ଗଠନ ଓ ଋଣ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାଥମିକ ସମବାୟ ସମିତିଗୁଡ଼ିକ ମୋଟ ଋଣର ଅନ୍ତତଃ ୧୦% ପ୍ରଦାନ କରିବେ। ଏହାସହିତ ଅଧିକରୁ ଅଧିକ ଚାଷୀମାନଙ୍କୁ ପ୍ରାଥମିକ କୃଷି ସମବାୟ ସମିତିରେ ସାମିଲ କରି ନୂତନ କିଷାନ କ୍ରେଡିଟ୍‌ କାର୍ଡ଼ ଯୋଗାଇଦିଆଯିବ। ପି.ଏମ୍‌ କିଷାନ୍ ଯୋଜନା ଏବଂ କାଳିଆ ଯୋଜନାର ଯେଉଁ ହିତାଧିକାରୀଙ୍କ କିଷାନ୍ କ୍ରେଡିଟ୍‌ କାର୍ଡ଼ ନାହିଁ ସେମାନଙ୍କ କ୍ଷେତ୍ରରେ କାଗଜପତ୍ର ଯାଞ୍ଚ କରି କାର୍ଡ଼ ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ମିସନ ଶକ୍ତି ଅନ୍ତର୍ଗତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ନୂତନ ଭାବେ ପଞ୍ଜୀକୃତ ହୋଇଥିବା ଗୋଷ୍ଠୀକୁ ମଧ୍ୟ ସମବାୟ ଋଣ ପରିସରଭୁକ୍ତ କରିବା ପାଇଁ କୁହାଯାଇଛି। ସମବାୟ ସଂସ୍ଥା ଦ୍ବାରା ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଓ ୫୦ ହଜାରରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାଷୀମାନଙ୍କୁ ୨% ସୁଧରେ ଋଣ ପ୍ରଦାନ କରାଯାଉଛି।

ସମ୍ବନ୍ଧିତ ଖବର