ବାତ୍ୟାର ୧୨ ଦିନ ପରେ ବି ବିଜୁଳି ଯୋଗାଣ ହୋଇନଥିବାରୁ ଜଗତସିଂହପୁରରେ ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ଜଗତସିଂହପୁର : ବିଜୁଳି ପାଇଁ ଜଗତସିଂହପୁରରେ ରଘୁନାଥପୁର ବ୍ଲକ ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ । ବାତ୍ୟାର ୧୨ ଦିନ ପରେ ବି ବିଜୁଳି ଯୋଗାଣ ହୋଇନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଯାହାକୁ ନେଇ କଟକ-ପାରାଦୀପ ରାସ୍ତା ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ପାଣି ପାଇଁ ବି ଲୋକେ ବହୁ ହଇରାଣ ହେଉଥିବା ଜଣା ପଡ଼ିଛି ।

ଗତ ୩ ତାରିଖରେ ହୋଇଥିବା ବାତ୍ୟା ଫନିରେ ଜଗତସିଂହପୁରରେ ୬୦ ପ୍ରତିଶତ କ୍ଷତି ହୋଇଥିଲା । ସାମୁଦ୍ରିକ ବାତ୍ୟା ପ୍ରଭାବ ଜଗତସିଂହପୁର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରଭାବିତ ଲୋକଙ୍କୁ ଉପଯୁକ୍ତ ସେବା ଓ ରିଲିଫ୍‌ ଦିଆ ନ ଯିବା ପ୍ରତିବାଦରେ ମଧ୍ୟ ଗତକାଲି ବିରିଡ଼ିରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।

ଏପରିକି ବାତ୍ୟା ଆଶ୍ରୟସ୍ଥଳରେ ଆଶ୍ରୟ ନେଇଥିବା ଲୋକମାନଙ୍କ ନିକଟରେ ଏପର୍ଯ୍ୟନ୍ତ କୌଣସି ରିଲିଫ ପହଞ୍ଚି ପାରିନଥିବା ବେଳେ କଟିଥିବା ବିଜୁଳି ଯୋଗାଣକୁ ଏଯାବତ ସଜଡ଼ା ଯାଇପାରି ନାହିଁ । ଏହାର ପ୍ରତିବାଦରେ ଗତକାଲି ବିରିଡ଼ି ବ୍ଲକର ବିଭିନ୍ନ ଛକରେ ହଜାର ହଜାର ସଂଖ୍ୟାରେ ଲୋକ ରାସ୍ତାକୁ ଓହ୍ଲାଇଥିଲୋ ଯାହା ଫଳରେ ଦୀର୍ଘ ୭ଘଣ୍ଟା ଧରି ଜଗତସିଂହପୁର-କଟକ ରାସ୍ତା ଅବରୋଧ ହୋଇ ରହିଥିବାରୁ ଏହି ରାସ୍ତାରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା ।

ସମ୍ବନ୍ଧିତ ଖବର