ନାଗପୁରରେ ଲକ୍‌ଡାଉନ, ବିପଦକୁ ଡାକୁଛି ଗଞ୍ଜାମ 

ଭାୟା ନାଗପୁର ପ୍ରତ୍ୟହ ଓଡ଼ିଶା ଆସୁଛି ଟ୍ରେନ୍‌,  ବ୍ରହ୍ମପୁର ଷ୍ଟେସନରେ ଯାଞ୍ଚ ନାହିଁ

ମୁମ୍ବାଇ-ଭୁବନେଶ୍ବର କୋଣାର୍କରେ ଆସୁଛନ୍ତି ଯାତ୍ରୀ

ବ୍ରହ୍ମପୁର: କରୋନା ହଟ୍‌ସ୍ପଟ୍‌ ଥିଲା ଗଞ୍ଜାମ। ଏବେ ସ୍ଥିତି ସ୍ବାଭାବିକ ହୋଇଛି। ବହୁ ପ୍ରୟାସ ପରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିଛି। କିନ୍ତୁ ମହାରାଷ୍ଟ୍ର ସମେତ ୬ଟି ରାଜ୍ୟରେ କରୋନା ଏବେ ପୁଣି କାୟା ବିସ୍ତାର କରି ଚାଲିଛି। ସେ ସବୁ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି।ମହାରାଷ୍ଟ୍ରରେ କ‌ୋଭିଡ଼୍‌ ସ୍ଥିତି ଗମ୍ଭୀର ହେବା ସହ ପୁଣି ଲକ୍‌ଡାଉନ୍‌ ଜାରି ହୋଇଛି। ନାଗପୁରରେ ସଂକ୍ରମଣ ସ୍ଥିତି ଅତ୍ୟନ୍ତ ଗମ୍ଭୀର। ଏହାପରେ ଓଡ଼ିଶାରେ ଗତ କିଛିଦିନ ହେଲା ପୁଣି କଟକଣା ଫେରିଛି। ରେଳ ଷ୍ଟେସନ୍‌ ଓ ବସ୍‌ଷ୍ଟାଣ୍ଡ୍‌ ଗୁଡ଼ିକରେ ଯାଞ୍ଚ୍‌ କଡ଼ାକଡ଼ି କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟହ ଅହମ୍ମଦାବାଦ, ମୁମ୍ବାଇ ଓ ନାଗପୁରରୁ ଓଡ଼ିଶାକୁ ଟ୍ରେନ୍‌ ଆସୁଛି। କିନ୍ତୁ ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ଓହ୍ଲାଉଥିବା ଯାତ୍ରୀଙ୍କ ଆଦୌ ଯାଞ୍ଚ୍‌ ହେଉନାହିଁ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆ ନଯିବା, ଖୋଲା ଛାଡ଼ିଦେବା ଅର୍ଥ ଜିଲ୍ଲାକୁ ପୁଣି ବିପଦ ମୁହଁରେ ଠେଲିଦେବା ସଙ୍ଗେ ସମାନ। ଏହି ଟ୍ରେନ୍‌ରେ ମହାରାଷ୍ଟ୍ର ଓ ନାଗପୁରରୁ ଯଦି ସଂକ୍ରମିତ ଗଞ୍ଜାମକୁ ଆସନ୍ତି, ତେବେ ଜିଲ୍ଲାର ସଂକ୍ରମଣ ହାର ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇଛି। ପ୍ରତିଷେଧ ବ୍ୟବସ୍ଥା ନ କରି ଜିଲ୍ଲା ପ୍ରଶାସନ ଜାଣିଶୁଣି କରୋନାକୁ ପୁଣି ହାତଠାରି ଡାକୁଥିବା ଅଭିଯୋଗ ହେଉଛି।

ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ରରେ ଗତ ୨୪ଘଣ୍ଟାରେ ୧୪ହଜାର ୩୧୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ଅତିକ୍ରମ କରିଛି। ନାଗପୁରରେ ଆସନ୍ତା ୧୫ରୁ ୨୧ ତାରିଖ ଯାଏ ଲକ୍‌ଡାଉନ୍‌ ଜାରି ହୋଇଛି। ମହାରାଷ୍ଟ୍ର ପୁଣି କରୋନା ହଟ୍‌ସ୍ପଟ୍‌ ପାଲଟିଥିବା ବେଳେ ସେଠାରୁ ଗଣ୍ଡା ଗଣ୍ଡା ଟ୍ରେନ୍‌ ଓଡ଼ିଶା ଆସୁଛି। ଉକ୍ତ ଟ୍ରେନ୍‌ ଗୁଡ଼ିକ ସମସ୍ତ ପ୍ରମୁଖ ଷ୍ଟେସନରେ ରହଣି କରୁଛି। ସେଠାରୁ ପ୍ରତ୍ୟହ ଶହ ଶହ ଯାତ୍ରୀ ଆସୁଛନ୍ତି। ସୋମବାର, ମଙ୍ଗଳବାର, ବୁଧବାର ଓ ଶନିବାର ଅହମ୍ମଦାବାଦ୍‌-ପୁରୀ ଟ୍ରେନ୍‌ ଆସୁଛି। ଭୋର୍‌ ୪ଟା ୧୭ମିନିଟ୍‌ରେ ଏହି ଟ୍ରେନ୍‌ ବ୍ରହ୍ମପୁର ଷ୍ଟେସନ୍‌ରେ ଲାଗୁଛି। ଉକ୍ତ ଟ୍ରେନ୍‌ ଭାୟା ନାଗପୁର ହୋଇ ଆସୁଛି। ସେହିପରି ଶୁକ୍ରବାର ଗାନ୍ଧୀଧାମ-ପୁରୀ ଏବଂ ଓଖା-ପୁରୀ ସୁରତରୁ ଆସୁଛି। ଏହି ଟ୍ରେନ ଦ୍ବୟ ମଧ୍ୟ ନାଗପୁରରେ ରହଣି ଅଛି। ସେହିପରି ମୁମ୍ବାଇରୁ ପ୍ରତ୍ୟହ କୋଣାର୍କ ସୁପର୍‌ଫାଷ୍ଟ୍‌ ଏକ୍ସପ୍ରେସ୍‌ ଆସୁଛି। ଏହି ଟ୍ରେନ୍‌ଟି ବ୍ରହ୍ମପୁରରେ ପ୍ରତ୍ୟହ ରାତି ୮ଟାରେ ପହଞ୍ଚୁଛି। ବ୍ରହ୍ମପୁର ଷ୍ଟେସନ୍‌ର ସମସ୍ତ ପ୍ର‌ବେଶ ବନ୍ଦ କରି ଯାତ୍ରୀଙ୍କ ପାଇଁ ଗୋଟିଏ ପ୍ରବେଶ ପଥ ରହିଛି। ସେହି ଗୋଟିଏ ପ୍ରବେଶ ପଥ ଦେଇ ଯାତ୍ରୀ ପ୍ରବେଶ ଓ ପ୍ରସ୍ଥାନ କରୁଛନ୍ତି। ଷ୍ଟେସନ୍‌ରେ ଯାଞ୍ଚ୍‌କୁ କଡ଼ାକଡ଼ି କରିବା ଲାଗି ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ ଥିବା ସତ୍ତ୍ବେ ଯାତ୍ରୀଙ୍କ ଯାଞ୍ଚ୍‌ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ଯାବତ୍‌ କୌଣସି ପଦକ୍ଷେପ ନିଆ ଯାଇନାହିଁ।
ବିଶେଷ କରି ମହାରାଷ୍ଟ୍ର ଓ ଗୁଜରାଟରୁ ଆସୁଥିବା ଟ୍ରେନ୍‌ ଯାତ୍ରୀଙ୍କ ଯାଞ୍ଚ୍‌ କରା ଯାଉନାହିଁ। କିନ୍ତୁ ରେଳ ବିଭାଗ ପକ୍ଷରୁ ଦୁଇ ଜଣ ଟିଟିଇ ଟିକେଟ୍‌ ଯାଞ୍ଚ୍‌ ବେଳେ କେବଳ ଥର୍ମାଲ ସ୍କ୍ରିନିଂ କରୁଛନ୍ତି। ସେଠାରେ ଯାଞ୍ଚ୍‌ ବେଳେ ବି ଯଦି କୌଣସି ଯାତ୍ରୀଙ୍କ କିଛି ଲକ୍ଷଣ ଦେଖାଦେଉଛି ସେମାନଙ୍କ ଚିକିତ୍ସା ଲାଗି କୌଣସି ବ୍ୟବସ୍ଥା ନାହିଁ। ମହାରାଷ୍ଟ୍ର ଓ ଗୁଜରାଟରୁ ପୁଣି ସଂକ୍ରମିତ ଆସି ଗଞ୍ଜାମରେ ସଂକ୍ରମଣ ବ୍ୟାପିବା ସମ୍ଭାବନା ବଢ଼ିଯାଇଛି। ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମହାରାଷ୍ଟ୍ର, ଗୁଜରାଟରୁ ଆସୁଥିବା ଟ୍ରେନ୍‌ରେ ଯାତ୍ରୀଙ୍କ ଯାଞ୍ଚ ଲାଗି ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି। ଗତବର୍ଷ ପ୍ରଶାସନ ପକ୍ଷରୁ ପ୍ରବାସୀଙ୍କ ଯାଞ୍ଚ‌୍ ପାଇଁ ଯେଉଁଭଳି ପଦକ୍ଷେପ ନିଆଯାଇଥିଲା, ବର୍ତ୍ତମାନ ‌ସେଭଳି ପଦକ୍ଷେପ ନେବାକୁ ଦାବି ହେଉଛି। ଅନ୍ୟପକ୍ଷରେ ସଂକ୍ରମିତଙ୍କୁ ନେଇ ଆସୁଥିବା ଟ୍ରେନ୍‌କୁ ରୋକା ଯାଉନାହିଁ। ଅଥଚ ରାଜ୍ୟ ଭିତରେ ପାସେଞ୍ଜର୍‌ ଟ୍ରେନ୍‌ ଚଳାଚଳ ବନ୍ଦ ରଖାଯାଇଛି। ଏହାଦ୍ବାରା ଜନସାଧାରଣ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ସମ୍ବନ୍ଧିତ ଖବର