ଖୁଚୁରା ବଜାରରେ ଖାଉଟିଙ୍କୁ ଲୁଟ୍‌; ତେଲ, ଗହମର ଦର କମିଛି, ଖାଉଟି କିଣୁଛନ୍ତି ଚଢ଼ା ଦରରେ

ଗହମ କିଲୋ ୨୭, ଅଟା ୩୨ରୁ ୪୪, ରାଇସବ୍ରାନ୍ ଲିଟର ୧୨୦; ଖାଉଟି କିଣୁଛନ୍ତି ୧୪୦ରୁ ୧୬୦ ଟଙ୍କାରେ

କଟକ : ଗହମ ଦର ହ୍ରାସ ପାଉଛି। କିନ୍ତୁ ସେହି ଅନୁଯାୟୀ ବଜାରରେ ଅଟା ଦର ଖସୁନି। ଖାଇବା ତେଲ କ୍ଷେତ୍ରରେ ବି ଅନୁରୂପ ସ୍ଥିତି। ଗହମର ପାଇକାରୀ ଦର କିଲୋ ପିଛା ୨୭ ଟଙ୍କାକୁ ଖସି ଥିବା ବେଳେ ଅଟା କିନ୍ତୁ ବିକ୍ରି ହେଉଛି କିଲୋ ପିଛା ୩୨ରୁ ୪୪ ଟଙ୍କାରେ। ସେହିଭଳି ଖାଇବା ତେଲ ଲିଟର ପିଛା ୩୦ ଟଙ୍କା ଯାଏ ହ୍ରାସ ପାଇଥିଲେ ବି ଖାଉଟି କିନ୍ତୁ ଏହି ସମୟରେ ତାହାର ଅଧା ଲାଭ ବି ପାଇ ପାରି ନାହାନ୍ତି। ପାଇକାରୀ ଦର ହ୍ରାସ ସତ୍ତ୍ବେ ଏହାର ସୁଫଳ ଖୁଚୁରା ବଜାରରୁ ଖାଉଟି ନ ପାଇ ପୂର୍ବଭଳି ଚଢା ଦରରେ ବିଭିନ୍ନ ସାମଗ୍ରୀ କିଣିବା ଘଟଣାରେ ଯୋଗାଣ ବିଭାଗର ସନ୍ଦେହଜନକ ନିରବତା ଖାଉଟିଙ୍କ ସମସ୍ୟାକୁ ବଢାଇ ଦେଇଛି।

The New York Times

ସୂଚନା ଅନୁଯାୟୀ ମାର୍ଚ୍ଚ ମାସରେ ଗଲା ୨୨ ଦିନ ଭିତରେ ଗହମ ଦର ହ୍ରାସ ପାଇ କିଲୋ ୨୭ ଟଙ୍କାରେ ପହଞ୍ଚିଛି। କିନ୍ତୁ ଖୁଚୁରା ବଜାରରେ ଏବେ ଖୋଲା ଅଟା ୩୫ ଓ ୩୮ ଟଙ୍କା କିଲୋ ପିଛା ବିକ୍ରି ହେଉଥିବା ବେଳେ ୫ କିଲୋ ପ୍ୟାକେଟରେ ବିକ୍ରି ‌ହେଉଥିବା ବିଭିନ୍ନ କଂପାନିର ଅଟା ୩୨ରୁ ୪୪ ଟଙ୍କାରେ ବିକ୍ରି ହେଉଛି। ଅର୍ଥାତ ୫ କିଲୋ ପ୍ୟାକେଟ୍ ୧୬୦ରୁ ୨୨୦ ଟଙ୍କା ଯାଏ ବିକ୍ରି ହେଉଛି। ବର୍ତ୍ତମାନର ଗହମ ଦର ଅନୁସାରେ ଅଟା ୫ କିଲୋ ପ୍ୟାକେଟ୍ ଦର ସର୍ବାଧିକ ୧୫୦ ଟଙ୍କାରେ ସୀମିତ ରହିବା କଥା।

କେବଳ ଅଟା ନୁହେଁ, ଅଟା ଜାତୀୟ ସାମଗ୍ରୀ ସୁଜି, ମଇଦା ଉତ୍ୟାଦିର ଦର ପାଇକାରୀ ବଜାରରେ ହ୍ରାସ ପାଇଥିଲେ ବି ଖୁଚୁରା ବଜାରରେ ଖାଉଟି ତାହାର ସୁଫଳ ପାଉନାହିଁ। ପାଇକାରୀ ବଜାରରେ ସୁଜି କିଲୋ ପିଛା ୩୬ ଟଙ୍କାକୁ ଖସିଛି। କିନ୍ତୁ ଖୁଚୁରା ବଜାରରେ କିଲୋ ପିଛା ୪୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। ପାଇକାରୀ ମୂଲ୍ୟରେ ମଇଦା କେଜି ପିଛା ୨୯ ଟଙ୍କାକୁ ଖସିଛି। କିନ୍ତୁ ଖୁଚୁରା ବଜାରରେ କିଲୋ ପିଛା ୩୪ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। ପାଇକାରୀ ଓ ଖୁଚୁରା ବଜାରରେ ଯେଉଁଠି ଦାମର ଫରକ ୨/୩ ଟଙ୍କା ରହିବା କଥା, ସେଠି ଦରରେ ଏତେ ଅଧିକ ତାରତମ୍ୟ ରଖି ଏକ ପ୍ରକାର ଖାଉଟିଙ୍କୁ ଖୋଲାଖୋଲି ଶୋଷଣ କରାଯାଉଛି।

ଅନ୍ୟପଟେ ଚଳିତ ମାର୍ଚ୍ଚ ଆରମ୍ଭରୁ ଖାଇବା ତେଲ ଦର ବି ହ୍ରାସ ପାଇଛି। ପାମୋଲିନ୍ ତେଲର ପାଇକାରୀ ମୂଲ୍ୟ ଏବେ ଲିଟର ପିଛା ୯୪ ଟଙ୍କାକୁ ହ୍ରାସ ପାଇଛି। କିନ୍ତୁ ଖୁଚୁରା ବଜାରରେ ଏହା ଲିଟର ପିଛା ୯୮ରୁ ୧୨୦ ଟଙ୍କାରେ ବିକ୍ରି ହେଉଛି। ସୂର୍ଯ୍ୟମୂଖୀ (ସନଫ୍ଲାୱାର) ତେଲର ପାଇକାରୀ ମୂଲ୍ୟ ଲିଟର ପିଛା ୧୨୫ ଟଙ୍କାକୁ ହ୍ରାସ ପାଇଛି। କିନ୍ତୁ ଖୁଚୁରା ବଜାରରେ ଏହା ୧୩୫ ଟଙ୍କା ଲିଟର ବିକ୍ରି ହେଉଛି। ସୋରିଷ ତେଲର ପାଇକାରୀ ମୂଲ୍ୟ ଲିଟର ପିଛା ୧୩୦ ଟଙ୍କାକୁ ଖସିଥିଲେ ବି ଖୁଚୁରା ବଜାରରେ ସୋରିଷ ତେଲ ଲିଟର ପିଛା ମୂଲ୍ୟ ୧୫୦ ଟଙ୍କା ରହିଛି। ରାଇସ୍ ବ୍ରାନ୍ ତେଲ୍ ଲିଟର ପାଇକାରୀ ବଜାରରେ ୧୨୦ ଟଙ୍କାକୁ ଖସିଛି। କିନ୍ତୁ ଖୁଚୁରା ବଜାରରେ ୧୪୦ରୁ ୧୬୦ ଟଙ୍କାରେ ବିକ୍ରି ହେଉଛି। ଡାଲଡା ବନସ୍ପତି ଘିଅର ପାଇକାରୀ ମୂଲ୍ୟ ୧୨୨ ଟଙ୍କାକୁ ହ୍ରାସ ପାଇଥିବା ବେଳେ ଖୁଚୁରା ବଜାରରେ ଏହି ମୂଲ୍ୟ ୧୩୦ ଟଙ୍କା ରହିଛି।

Telegraph India

କଟକର ମାଲଗୋଦାମ ରାଜ୍ୟର ଅନ୍ୟତମ ପ୍ରମୁଖ ପାଇକାରୀ ବଜାର ଭାବେ ଜଣାଶୁଣା। ବ୍ୟବସ୍ଥା ଅନୁଯାୟୀ ନିୟମିତ ସନ୍ଧ୍ୟାରେ ଯୋଗାଣ ବିଭାଗର ଗୁଇନ୍ଦା ଟିମ୍ ମାଲଗୋଦାମର ସମସ୍ତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ବଜାର ମୂଲ୍ୟ ଓ ଗଚ୍ଛିତ ପରିଣାଣ ସମ୍ପର୍କିତ ଏକ ରିପୋର୍ଟ ନେଇଥାଏ। ଏହାଦ୍ବାରା ବଜାରରେ ଖାଦ୍ୟ ଦ୍ରବ୍ୟର ପ୍ରକୃତ ମୂଲ୍ୟ ସହିତ ନିଅଣ୍ଟିଆ ପରିସ୍ଥିତି ଉପରେ ନଜର ରଖାଯାଇପାରେ। ଚଢ଼ା ମୂଲ୍ୟରେ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ଖୁଚୁରା ବ୍ୟବସାୟୀଙ୍କୁ ସ୍କାନରରେ ରଖାଯାଇଥାଏ। କିନ୍ତୁ ଆଜିକୁ ୧୦ ବର୍ଷ ହେବ ମାଲଗୋଦାମକୁ କେହି ଯୋଗାଣ ବିଭାଗର ଅଧିକାରୀ ଏଭଳି ରିପୋର୍ଟ ନେବାକୁ ଆସୁ ନଥିବା ଅଭିଯୋଗ ହେଉଛି।

ଏ ସଂପର୍କରେ ଅତିରିକ୍ତ ଯୋଗଣ ଅଧିକାରୀ ଜ୍ଞାନେନ୍ଦ୍ରୀୟ ମିଶ୍ର କହିଛନ୍ତି ଯେ ମାର୍କେଟ ଇଣ୍ଟେଲିଜେନ୍ସ ବ୍ୟୁରୋ ନିୟମିତ ମାଲଗୋଦାମରୁ ମୂଲ୍ୟ ତାଲିକା ଆଣି ନିକଟସ୍ଥ ରିଟେଲ୍ ଦୋକାନୀଙ୍କ ସହିତ ମେଳ କରୁଛନ୍ତି। ତେଲରେ କେତେ ଟଙ୍କା ଲାଭ ରଖି ଖୁଚୁରା ବଜାରରେ ବିକ୍ରି ହେବ ସେଥିପାଇଁ ସରକାର ସ୍ଥିର କରି ନାହାନ୍ତି। ପ୍ରତିଯୋଗିତା ମୂଳକ ବଜାରରେ ଭିନ୍ନ ଭିନ୍ନ ମୂଲ୍ୟରେ ଏହା ବିକ୍ରି ହେଉଛି। ତଥାପି ଏବେ ଗହମ ଜାତୀୟ ଉତ୍ପାଦ ଓ ତେଲ ଉପରେ ଖୁଚୁରା ମୂଲ୍ୟ ବୃଦ୍ଧି ସମ୍ପର୍କରେ ଯାଞ୍ଚ କରିବାକୁ ମାର୍କେଟ ଇଣ୍ଟେଲିଜେନ୍ସ ବ୍ୟୁରୋକୁ କୁହାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର