୧୦୮ ଗରା ପାଣିରେ ଗାଧୋଇ ମହାପ୍ରଭୁଙ୍କୁ ଜ୍ୱର : ଅଣସରରେ ରହିବେ ୧୪ ଦିନ

ପୁରୀ : ମହାପ୍ରଭୁଙ୍କ ମହାସ୍ନାନ ପର୍ବ ଶେଷ ହୋଇଛି। ହାତୀ ବେଶରେ ଭକ୍ତଙ୍କୁ ସାହାଣମେଲା ଦର୍ଶନ ଦେବା ପରେ ୧୦୮ ଗରା ପାଣିରେ ଗାଧୋଇଥିବା ମହାପ୍ରଭୁ ଏବେ ଜ୍ୱରରେ ପଡ଼ିବେ। ଅସୁସ୍ଥ ହୋଇ ଅନବସରରେ ରହିବେ ମହାପ୍ରଭୁ। ଅଣସର ଘରେ ଚିକିତ୍ସା ଚାଲିବ। ଭକ୍ତଙ୍କ ସହ ଦେଖାସାକ୍ଷାତ ହେବ ନାହିଁ ମହାପ୍ରଭୁଙ୍କର। ଦିନେ ଅଧେ ନୁହେଁ, ଦୀର୍ଘ ୧୪ ଦିନ ଧରି ଅନବସରରେ ରହିବେ ଶ୍ରୀଜିଉ। ଜୁଲାଇ ୧୩ ତାରିଖ ଦିନ ମହାପ୍ରଭୁ ସୁସ୍ଥ ହୋଇ ଭକ୍ତଙ୍କୁ ଦେବେ ନବଯୌବନ ଦର୍ଶନ। ଆଉ ୧୪ ତାରିଖ ଦିନ ଆରମ୍ଭ ହେବ ମହାପ୍ରଭୁଙ୍କ ନବଦିନ ବ୍ୟାପି ଘୋଷଯାତ୍ରା।

ଗୁରୁବାର ସ୍ନାନପର୍ବ ଶେଷ ପରେ ଚାଲିଛି ସ୍ନାନବେଦୀରେ ଶ୍ରୀଜିଉଙ୍କ ସାହାଣମେଲା ଦର୍ଶନ। ରାତି ୧୦ଟା ବେଳେ ପୁଷ୍ପାଞ୍ଜଳି ଓ ଡୋରଲାଗି ନୀତି ପରେ ସାଢ଼େ ୧୦ଟାରୁ ରାତି ସାଢ଼େ ଗୋଟାଏ ମଧ୍ୟରେ ଅନୁଷ୍ଠିତ ହେବ ବାହୁଡ଼ା ପହଣ୍ଡି। ଏହାପରେ ରାତି ୨ଟାରେ ସୁନାଚିତା ଓ ରାହୁରେଖା ମଇଲମ ନୀତି ଅନୁଷ୍ଠିତ ହେବ। ଆସନ୍ତାକାଲିଠାରୁ ୧୫ ଦିନ ଧରି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ ଭକ୍ତ। ଅନବସରରେ ରହିବେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରା।

ସମ୍ବନ୍ଧିତ ଖବର