ମ୍ୟାଚ୍ ହାରିଲେ, ହୃଦୟ ଜିତିଲେ

ବ୍ରିଟେନ୍‌ଠୁ ହାରି ମହିଳା ହକି, ଦଳ ଅଲିମ୍ପିକ୍ସ ପଦକରୁ ବଞ୍ଚିତ

ଖେଳାଳିଙ୍କ ସହ କଥା ହେଲେ ମୋଦୀ, ନବୀନ
ଶ୍ରେଷ୍ଠ ପ୍ରଦର୍ଶନ ସମକକ୍ଷ ‌ହୋଇ ଉଚ୍ଚ ପ୍ରଶଂସିତ

ଟୋକିଓ : ଲଢ଼ୁଆ, ଆକ୍ରମଣାତ୍ମକ ଓ ଅପୂର୍ବ ହକି କଳା କୌଶଳର ବଳିଷ୍ଠ ନମୁନା ଦେଖାଇ ଗତଥର ବିଜେତା ଗ୍ରେଟ୍ ବ୍ରିଟେନକୁ ମ୍ୟାଚ୍ ଆରମ୍ଭରୁ ‌ଶେଷ ପର୍ଯ୍ୟନ୍ତ ଚାପରେ ରଖିଥିବା ଭାରତୀୟ ମହିଳା ଦଳର ସ୍ବପ୍ନର ଅଲିମ୍ପିକ୍ସ ଅଭିଯାନ ଭାବବିହ୍ବଳ ଭରା ପରାଜୟରେ ଶେଷ ହୋଇଛି। ଶୁକ୍ରବାରର ସ୍ମରଣୀୟ କାଂସ୍ୟ ପଦକ ମୁକାବିଲାରେ ଶକ୍ତିଶାଳୀ ଗ୍ରେଟ୍ ବ୍ରିଟେନଠାରୁ ଉତ୍କଣ୍ଠାପୂର୍ଣ୍ଣ ଭାବେ ୩-୪ ଗୋଲ୍‌ରେ ହାରିବା ସହ ଅଲିମ୍ପିକ୍ସରେ ପଦକ ଜିତିବା ସ୍ବପ୍ନକୁ ସାକାର କରିବାଠାରୁ ମାତ୍ର କିଛି ଦୂରରେ ଅଟକି ଯାଇଛି ଭାରତ। ପଦକ ଜିତିବାରୁ ବଞ୍ଚିତ ହୋଇଥିଲେ ମଧ୍ୟ ନିଜ ସାହସିକ ଖେଳ ପାଇଁ ଭାରତୀୟ ଖେଳାଳିମାନେ ସମଗ୍ର ଦେଶର ହୃଦୟ ଜିତି ନେଇଛନ୍ତି। ମ୍ୟାଚ୍ ସିନା ହାରିଗଲା, ହେଲେ ଅଲିମ୍ପିକ୍ସ ଇତିହାସରେ ଅନ୍ୟତମ ରୋମାଞ୍ଚଭରା ତୃତୀୟ/ଚତୁର୍ଥ ସ୍ଥାନ ମ୍ୟାଚ୍ ଖେଳି ସମଗ୍ର ଦେଶକୁ ଗର୍ବିତ କରିଛି ରାଣୀ ରାମପାଲଙ୍କ ଆତ୍ମବିଶ୍ବାସରେ ଭରପୁର ଭାରତୀୟ ଦଳ। ଗୁରୁବାର ପୁରୁଷ ହକି ଦଳ କାଂସ୍ୟ ଜିତି ପୁରୁଣା ଗୌରବକୁ ଫେରାଇ ଆଣିଥିଲା ବେଳେ ମହିଳାମାନେ ଭାରତୀୟ ହକିରେ ଆ‌ଉ ଏକ ସ୍ବର୍ଣ୍ଣିମ ଯୁଗର ଶୁଭା‌ରମ୍ଭ ଲାଗି ଦୃଢ଼ ମୂଳଦୁଆ ‌ପକାଇଛନ୍ତି। ସେଥିପାଇଁ ସାରା ଦେଶ ଆଜି ସେମାନଙ୍କ ଗୁଣଗାନ କରୁଛି।

ଭାରତୀୟ ପୁରୁଷ ଦଳ ଦୀର୍ଘ ୪୧ ବର୍ଷର ବ୍ୟବଧାନ ପରେ ଅଲିମ୍ପିକ୍ସ ପଦକ ଜିତିବା ପରେ ମହିଳା ଦଳ ମଧ୍ୟ ଶୁକ୍ରବାର କାଂସ୍ୟ ଜିତି ଦେଶକୁ ହକିରୁ ଆଉ ଏକ ପଦକ ଭେଟି ଦେବ ବୋଲି ପ୍ରଶଂସକ ଆଶା ରଖିଥିଲେ। ସେଥିପାଇଁ ସକାଳୁ ସକାଳୁ ଭାରତ-ଗ୍ରେଟ୍ ବ୍ରିଟେନ୍ ମ୍ୟାଚ୍ ଉପରେ କୋଟି କୋଟି ଭାରତୀୟଙ୍କ ନଜର ଥିଲା। ଭାରତୀୟ ଖେଳାଳିମାନେ ବି ନିରାଶ କରି ନଥିଲେ। ଏକଦା ଦୁଇଟି ଗୋଲ୍ ପଛରେ ଥିଲେ ମଧ୍ୟ ସେମାନେ ଆଦୌ ଆତ୍ମବିଶ୍ବାସ ହରାଇ ନଥିଲେ। ଚିତ୍ତାକର୍ଷକ ପ୍ରତ୍ୟାବର୍ତ୍ତନ କରିବା ସହ ଗ୍ରେଟ୍ ବ୍ରିଟେନକୁ ଚକିତ କରି ଏକଦା ୩-୨ରେ ଆଗୁଆ ହୋଇଯାଇଥିଲେ। ଏପରିକି ପାଞ୍ଚ ମିନିଟ୍ ଭିତରେ ତିନିଟି ଗୋଲ୍ ଦେଇ ପ୍ରଶଂସକଙ୍କ ହୃଦୟକୁ ଖୁସିରେ ଭରି ଦେଇଥିଲା ଭାରତୀୟ ମହିଳା ହକି ଦଳ। ତେବେ ବିଶ୍ବ ମାନ୍ୟତାର ଚତୁର୍ଥ ସ୍ଥାନରେ ଥିବା ଗ୍ରେଟ୍ ବ୍ରିଟେନ୍ ତୃତୀୟ କ୍ବାର୍ଟର ଗୋଲ୍ ବଳରେ ସ୍ଥିତି ୩-୩ କରି ନେଇଥିଲା। ଏହା ପରେ ନିର୍ଣ୍ଣାୟକ ଚତୁର୍ଥ କ୍ବାର୍ଟରରେ ବିଜୟ ସୂଚକ ଗୋଲ୍ ଦେଇ ଭାରତ ହାତରୁ ଇତିହାସ ରଚିବାର ସୁଯୋଗ ସହ ଅଲିମ୍ପିକ୍ସ କାଂସ୍ୟ ପଦକ ଛଡ଼ାଇ ନେଇଯାଇଥିଲା। ଭାରତ ପାଇଁ ଡ୍ରାଗ୍ ଫ୍ଲିକର ଗୁରଜିତ କୌର (୨୫ ଓ ୨୬ ମିନିଟ୍) ଓ ବନ୍ଦନା କଟାରିଆ (୨୯ ମିନିଟ୍) ଗୋଲ୍ କରିଥିଲେ। ଅନ୍ୟପକ୍ଷରେ ବ୍ରିଟେନ୍ ପାଇଁ ଏଲିନା ରେୟର (୧୬ ମିନିଟ୍), ସାରା‌ ରୋବର୍ଟସନ୍ (୨୪ ମିନିଟ୍), ଅଧିନାୟିକା ହଲି ପିଅର୍ନ ୱେବ (୩୫ ମିନିଟ୍) ଓ ଗ୍ରେସ୍ ବ୍ଲାଡସନ୍ (୪୮) ଅନ୍ତିମ ଏବଂ ନିର୍ଣ୍ଣାୟକ ଗୋଲ୍ ଦେଇଥିଲେ। ମ୍ୟାଚ୍ ପରେ ଭାରତୀୟ ଖେଳାଳି ମନର କୋହକୁ ରୋକି ପାରି ନଥିଲେ। ସେପଟେ ଅତ୍ୟନ୍ତ ଲଢ଼ୁ୍ଆ ଖେଳ ପାଇଁ ପ୍ରତିପକ୍ଷ ଗ୍ରେଟ୍ ବ୍ରିଟେନ୍ ବି ରାଣୀଙ୍କ ଦଳର ପ୍ରଶଂସକ ପାଲଟି ଯାଇଥିଲା।

ସମ୍ବନ୍ଧିତ ଖବର