ବଙ୍ଗୋପସାଗରରେ ଲଘୁଚାପ : ଆସନ୍ତା ୨୪ ଘଣ୍ଟାରେ ଅବପାତର ରୂପ ନେବ, ୧୪ ପର୍ଯ୍ୟନ୍ତ ପ୍ରବଳ ବର୍ଷା  

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଏକ ଓ୍ବେଲମାର୍କଡ୍ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ଏବେ ପୂର୍ବକେନ୍ଦ୍ରୀୟ ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇ ରହିଛି । ଆସନ୍ତା ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଏକ ଅବପାତ ବା ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତା ଅକ୍ଟୋବର ୧୨ ସକାଳେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର, ଭୁବନେଶ୍ବର ପକ୍ଷରୁ କୁହାଯାଇଛି ।

ଏହି ଲଘୁଚାପ ପ୍ରଭାବରେ ଆସନ୍ତା ୧୧ ତାରିଖଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ରାଜ୍ୟର ମାଲକାନଗିରି, ଗଜପତି, କୋରାପୁଟ, ରାୟଗଡା, ଗଞ୍ଜାମ, ପୁରୀ, ଜଗତସିଂହପୁର,ବରଗଡ଼,ଝାରସୁଗୁଡା, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୧୨ ତାରିଖରେ ରାଜ୍ୟର ଗଜପତି, ଗଞ୍ଜାମ, ରାୟଗଡ଼ା ଓ ପୁରୀ ଓ କୋରାପୁଟ ଜିଲ୍ଲା ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଅର୍ଥାତ ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ମାଲକାନଗିରି, କନ୍ଧମାଳ,ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା,ଭଦ୍ରକ ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୧୪ ତାରିଖ ବେଳକୁ ଏହି ଲଘୁଚାପ ଦୂର୍ବଳ ହେଉ ହେଉ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଲାଣି । ଏହି ଲଘୁଚାପଟି ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର