୮୫ ବ୍ଲକରେ କମ୍‌ ବର୍ଷା, ୧୮ ମିମିରୁ କମ୍‌ ବର୍ଷା ଯୋଗୁଁ ୨୬ ବ୍ଲକରେ ଆରମ୍ଭ ହୋଇନି ଚାଷକାର୍ଯ୍ୟ

ଭୁବନେଶ୍ବର : ମୌସୁମୀ ଓଡ଼ିଶାକୁ ପ୍ରବେଶ ପରଠାରୁ ବର୍ତ୍ତମାନ ସୁଦ୍ଧା ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିଲେ ହେଁ ସବୁ ସ୍ଥାନରେ ସମାନ ପରିମାଣର ବର୍ଷା ହୋଇନାହିଁ। କେଉଁଠି ଅଧିକ ହେଉଛି ତ କେଉଁଠି କମ୍। ଖୋର୍ଧା, ନୟାଗଡ଼, ଗଂଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲା ସମେତ ରାଜ୍ୟର ପାଖାପାଖି ୮୫ ବ୍ଲକରେ ଅଭାବୀ ବର୍ଷା ରେକର୍ଡ ହୋଇଛି। ଏହାଦ୍ବାରା ଚାଷ କାର୍ଯ୍ୟ ପ୍ରଭାବିତ ହୋଇଥିବା କୁହାଯାଉଛି।

ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଚଳିତ ବର୍ଷ ଠିକ୍‌ ସମୟରେ ଅର୍ଥାତ୍‌ ଜୁନ୍‌ ୧୦ ତାରିଖରେ ରାଜ୍ୟକୁ ମୌସୁମୀ ପ୍ରବେଶ କରିଛି। ସାଧାରଣତଃ ଜୁନ୍‌‌‌ରେ ହାରାହାରି ୨୧୧ ମିମି ବର୍ଷା ହୋଇଥାଏ। ବର୍ତ୍ତମାନ ପର୍ଯ୍ୟନ୍ତ (ଜୁନ୍‌ ୧ରୁ ୧୯ତାରିଖ) ପର୍ଯ୍ୟନ୍ତ ୧୩୧ମିମି ବର୍ଷା ହୋଇଯାଇଛି। ତେଣୁ ସେ ଦୃଷ୍ଟିରୁ ଦେଖିବାକୁ ଗଲେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି। କିନ୍ତୁ ଅସୁବିଧା ହେଲା, କିଛି ଜିଲ୍ଲାରେ ଅଭାବୀ ବର୍ଷା ରେକର୍ଡ ହୋଇଛି। ତେବେ ବ୍ଲକ୍‌କୁ ହିସାବକୁ ନେଲେ ପ୍ରକୃତ ଚିତ୍ର ଅଧିକ ସ୍ପଷ୍ଟ ହୋଇପାରିବ।

ଚଳିତ ବର୍ଷ ୮୫ ବ୍ଲକରେ ନିଅଣ୍ଟିଆ ବର୍ଷା ହୋଇଛି। ଏହି ବ୍ଲକଗୁଡ଼ିକରେ ୮୦ ପ୍ରତିଶତ କିମ୍ବା ତା’ଠାରୁ କମ୍‌ ଅର୍ଥାତ୍‌ ୮୪ ମିମିରୁ କମ୍‌ ବର୍ଷା ହୋଇଛି। ୪୩ଟି ବ୍ଲକରେ ୬୩ ମିମିରୁ କମ୍‌ ବର୍ଷା ହୋଇଛି, ଯାହାକି ୪୦%ରୁ ଅଧିକ ନିଅଣ୍ଟିଆ। ସେହିପରି ୧୬ଟି ବ୍ଲକରେ ୪୨ ମିମିରୁ କମ୍‌ ବର୍ଷା ହୋଇଛି। ସ୍ବାଭାବିକ ତୁଳନାରେ ଏଠି ୬୦%ରୁ ବି କମ୍‌ ବର୍ଷା ହୋଇଛି। ଏହା ଭିତରେ ଗଞ୍ଜାମର ୪ଟି, ରାୟଗଡ଼ାର ୨ଟି, ଖୋର୍ଧାର ୨ଟି, ପୁରୀର ଗୋଟିଏ ଓ କନ୍ଧମାଳର ୨ଟି ବ୍ଲକ୍‌ ରହିଛି। ବାକି ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର, କଳାହାଣ୍ଡି, ଅନୁଗୁଳ ଜିଲ୍ଲାର ୫ଟି ଲେଖାଏଁ ବ୍ଲକ ସମେତ ଗଂଜାମର ବୁଗୁଡ଼ା ବ୍ଲକରେ ମାତ୍ର ୧୮ ମିମି ବର୍ଷା ହୋଇଛି। ତେଣୁ ଏହି ବ୍ଲକ୍‌ଗୁଡ଼ିକରେ କୌଣସି ଚାଷ କାମ ଆରମ୍ଭ ହେବା କଷ୍ଟକର। ସୂଚନାଯୋଗ୍ୟ, ଏ ପର୍ଯ୍ୟନ୍ତ ଅଧିକ ବର୍ଷା ହୋଇଥିବା ବ୍ଲକ୍‌ଗୁଡ଼ିକ ହେଲା କୁଚିଣ୍ଡା (୩୮୧ ମିମି), କୋଟପାଡ଼ (୩୬୦ ମିମି) ଓ ସୋନପୁର (୩୦୬ ମିମି) ବର୍ଷା ହୋଇଛି।

ଅପରପକ୍ଷେ ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଥିଲେ ବି ବର୍ଷା ପ୍ରାୟ ହୋଇନାହିଁ। ଆସନ୍ତାକାଲି ମଧ୍ୟ ରାଜ୍ୟରେ ପ‌ାଗ ଶୁଖିଲା ରହିବ। ୨୧ ତାରିଖରୁ ପୁଣି ବର୍ଷା ଆରମ୍ଭ ହୋଇଯିବ। ୨୨ତାରିଖ ଆଡ଼କୁ ଧୀରେଧୀରେ ବର୍ଷାର ବିସ୍ତୃତି ଓ ପରିମାଣରେ ବୃଦ୍ଧି ଘଟିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୨୧ତାରିଖ ଦିନ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ୨୨ ତାରିଖ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର ଓ ଅନୁଗୁଳ ଆଦି ୪ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେହିଭଳି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, କନ୍ଧମାଳ ଓ ଢେଙ୍କାନାଳ ଆଦି ଜିଲ୍ଲ‌ାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ୨୩ ତାରିଖ ଦିନ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ବରଗଡ଼ ସୋନପୁର, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଣୁ ଏହି ୩ ଦିନ ପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ‌ମଧ୍ୟରେ ରାଜଧାନୀ ଭୁବନେଶ୍ବର ଓ ସଂଲଗ୍ନ ଅଞ୍ଚଳରେ ସର୍ବାଧିକ ତାପମାତା ୩୧ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ମଧ୍ୟରେ ରହିବ।

ସମ୍ବନ୍ଧିତ ଖବର