ଲୁଥେରାନ ମହିଳା ସମିତି ଦୁଷ୍କର୍ମ ଓ ଶିଶୁବିକ୍ରି ମାମଲା: ପୂର୍ବତନ କର୍ମଚାରୀ ଗିରଫ, ମୁଖ୍ୟ ଅଭିଯୁକ୍ତ କେବେ?

କେନ୍ଦ୍ରାପଡ଼ା/ମହାକାଳପଡା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ପାଟଳିପଙ୍କସ୍ଥିତ ଲୁଥେରାନ୍‌ ମହିଳା ସମିତି ଶିଶୁ ପ୍ରଯତ୍ନ କେନ୍ଦ୍ର ଯୌନ କେଳେଙ୍କାରୀ ମାମଲାରେ ପୁଲିସ ଜଣେ ପୂର୍ବତନ କର୍ମଚାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ମହାକାଳପଡା ଥାନା କେୟାରବାଙ୍କ ଗ୍ରାମର କୁଞ୍ଜବିହାରୀ ଦାସ(୬୦)। ସେ ଲୁଥେରାନ ମହିଳା ସମିତିରେ ପୂର୍ବରୁ ପାଠ ପଢାଇବା ସହିତ କାମଧନ୍ଦା ମଧ୍ୟ କରୁଥିଲେ। ତିନି ଦିନ ତଳେ ପୁଲିସ ତାଙ୍କୁ ଘରୁ ଉଠାଇ ଆଣି ପଚରାଉଚରା କରୁଥିଲା। ୨୦୧୬ ମସିହାରେ ପୀଡିତାଙ୍କ ସହିତ ଦୁଷ୍କର୍ମ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ପୁଲିସ ସୂଚନା ଦେଇଛି। ଅନ୍ୟପଟେ ଏହି ସମ୍ବେଦନଶୀଳ ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ସଭାନେତ୍ରୀ, ତାଙ୍କ ଭାଇ ଜଗନ୍ନାଥ ତ୍ରିପାଠୀ, ପୁତୁରା ବିଶ୍ବଜିତ୍ ତ୍ରିପାଠୀ ଓ ସମ୍ପାଦିକାଙ୍କ ଭାଇ ତଥା ଶିଶୁବିକ୍ରିର ମାଷ୍ଟରମାଇଣ୍ତ କୁହାଯାଉଥିବା ପ୍ରଭାତ କୁମାର ଭୂୟାଁଙ୍କୁ ପୁଲିସ ଏଯାଏ ଗିରଫ କରିନାହିଁ। ପୁଲିସ ଏମାନଙ୍କୁ କେବେ ଧରୁଛି ତାହା ଦେଖିବାକୁ ବାକି ରହିଛି। ଏହି ଅଭିଯୁକ୍ତଙ୍କୁ ଗିରଫ କରିବା‌ରେ ଯେତେ ବିଳମ୍ବ ହେବ, ଆଗୁଆ ଜାମିନ ପାଇ ଖସିଯିବାକୁ ସେମାନଙ୍କୁ ସେତେ ସହଜ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ଲୁଥେରାନ ମହିଳା ସମିତିରେ ହାଉସ୍‌କିପର ଭାବେ କାମ କରୁଥିବା ମହିଳାଙ୍କୁ ସଭାନେତ୍ରୀଙ୍କ ଭାଇ ଦୁଷ୍କର୍ମ କରିଥିଲେ। ପୀଡ଼ିତା ମହିଳା ଜଣଙ୍କ ୨୦୨୦ ଏପ୍ରିଲ୍‌ ୨୦ ତାରିଖରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଗତ ୬ ତାରିଖରେ ଲୁଥେରାନର ସମ୍ପାଦିକା ମିନାରାଣୀ ଭୂୟାଁଙ୍କ ଅଭିଯୋଗ ଆଧାରରେ ସଭାନେତ୍ରୀ ପ୍ରମିଳା ତ୍ରିପାଠୀ, ତାଙ୍କ ଭାଇ ଜଗନ୍ନାଥ ତ୍ରିପାଠୀ ଓ ପୁତୁରା ତଥା ସିସିଆଇର ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କ ନାମରେ ମାର୍ଶାଘାଇ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ସେହିପରି ଏହି ପୀଡ଼ିତାଙ୍କ ପୂର୍ବରୁ ୨୦୧୪ ଓ ୨୦୧୬ ମସିହାରେ ଆଉ ଦୁଇଟି ଶିଶୁପୁତ୍ର ଥିଲେ। ସେହି ଶିଶୁକୁ ବିକ୍ରି କରି ଦିଆଯାଇଛି ବୋଲି ପୀଡ଼ିତାଙ୍କ ଭାଇ ସମିତି ସମ୍ପାଦିକାଙ୍କ ଭାଇ ବାପି ଓରଫ ପ୍ରଭାତ ଭୂୟାଁ ଓ କର୍ମଚାରୀ ରେଣୁବାଳା ପଣ୍ତାଙ୍କ ନାମରେ ଅଭିଯୋଗ କରିବା ପରେ ଆଉ ଏକ ପୃଥକ୍‌ ମାମଲା ରୁଜୁ ହୋଇଥିଲା। ତେବେ ପୀଡିତାଙ୍କ ପୂର୍ବରୁ ଦୁଇ ଶିଶୁପୁତ୍ର ଥିବା କଥାକୁ ତଦନ୍ତ ବେଳେ ଲୁଥେରାନର ସମ୍ପାଦିକା, କର୍ମଚାରୀ ଓ ପୀଡ଼ିତା ଅସ୍ବୀକାର କରିଥିଲେ। ତେବେ ପୁଲିସ ପୀଡ଼ିତାଙ୍କ ଦୁଇ ଶିଶୁପୁତ୍ରଙ୍କ ଜନ୍ମ ପ୍ରମାଣପତ୍ର କଟକ ବଡ଼ମେଡିକାଲରୁ ପାଇବା ପରେ ତଦନ୍ତ ଆଗକୁ ବଢାଇଥିଲା। ୨୦୧୪ରେ ଶିଶୁପୁତ୍ର ପୀଡ଼ିତାଙ୍କ ନିଜ ସ୍ବାମୀର ବୋଲି ତାଙ୍କ ପରିବାର ଲୋକେ ପ୍ରକାଶ କରିଥିଲେ। କିନ୍ତୁ ୨୦୧୬ରେ ଜନ୍ମିତ ଶିଶୁପୁତ୍ର କାହାର ବୋଲି ପୁଲିସ ଜାଣିବାକୁ ଚାହିଁଥିଲା।

ତଦନ୍ତ ବେଳେ ତାଙ୍କୁ ଲୁଥେରାନର ପୂର୍ବତନ କର୍ମଚାରୀ କୁଞ୍ଜବିହାରୀ ଦାସ ଦୁଷ୍କର୍ମ କରିଥିଲେ ବୋଲି ପୀଡ଼ିତା ପ୍ରକାଶ କରିଥିବା କୁହାଯାଉଛି। ସେହିପରି ସିଆରପିସିର ୧୬୪ ଧାରାରେ ପୀଡ଼ିତାଙ୍କ ମା’ଙ୍କ ବୟାନ ରେକର୍ଡ ସମୟରେ ମଧ୍ୟ ସେ ଅଭିଯୁକ୍ତ କୁଞ୍ଜବିହାରୀ ବୋଲି କହିଥିବା ସୂଚନା ମିଳିଛି। ତେବେ ୨୦୧୬ରେ ଜନ୍ମିତ ଶିଶୁପୁତ୍ରର ବାପା କୁଞ୍ଜବିହାରୀ ବୋଲି ଅଭିଯୋଗ ହେବା ପରେ ମାର୍ଶାଘାଇ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ପୁଲିସ ୨୦୧୬ରେ ଜନ୍ମିତ ଶିଶୁପୁତ୍ରକୁ ଆଣି ଅଭିଯୁକ୍ତଙ୍କ ସହ ଡିଏନ୍ଏ ପରୀକ୍ଷା କରିବାର ଆବଶ୍ୟକତା ଥିବା ବେଳେ ଏହା ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। କୁଞ୍ଜବିହାରୀ ଗିରଫ ହେବା ପରେ ଲୁଥେରାନ ସମ୍ପାଦିକା ମିନାରାଣୀ ଭୂୟାଁ ଓ ପୂର୍ବତନ ସମ୍ପାଦିକା ବାସନ୍ତୀ ଦେଈ ପୁଲିସର ସନ୍ଦେହ ବଳୟରେ ରହିଛନ୍ତି।

ସମ୍ବନ୍ଧିତ ଖବର