କରୋନା ଭୂତାଣୁ ସଂକ୍ରମଣ ଭୟାବହତାକୁ ଦୃଷ୍ଟିରେ ରଖି ମା’ ତାରାତାରିଣୀଙ୍କ ଦ୍ୱିତୀୟ ପାଳି ବାର୍ଷିକ ଚୈତ୍ର ମଙ୍ଗଳବାର ଯାତ୍ରାକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ

ତାରାତାରିଣୀ ପୀଠକୁ ଯିବା ପାଇଁ ରହିଥିବା ପ୍ରବେଶକ ପଥ ସିଲ୍‌, ମନ୍ଦିର ଚାରିପଟେ ପୁଲିସ ଛାଉଣି

ପୁରୁଷୋତ୍ତମପୁର : ଆସନ୍ତାକାଲି ମା’ ତାରାତାରିଣୀଙ୍କ ଦ୍ବିତୀୟ ପାଳି ବାର୍ଷିକ ଚୈତ୍ର ମଙ୍ଗଳବାର ଯାତ୍ରା। କରୋନା ଭୂତାଣୁ ସଂକ୍ରମଣ ଭୟାବହତାକୁ ଦୃଷ୍ଟିରେ ରଖି ଏହି ଯାତ୍ରାକୁ ପ୍ରଶାସନ ସମ୍ପୂର୍ଣ୍ଣଭାବେ ନିଷେଧ କରିଛି। ଯାତ୍ରା ପାଇଁ ଆଜିଠାରୁ ଭକ୍ତଙ୍କ ସମାଗମ ହେବାକୁ ଥିବା ବେଳେ ପୀଠ ଆଖପାଖରେ କୌଣସି ଭକ୍ତଙ୍କୁ ଦେଖିବାକୁ ମିଳିନାହିଁ। ଗତକାଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ପ୍ରବେଶ ନିଷେଧ ଘୋଷଣା ପରେ ଆଜି ସକାଳୁ ପୁରୁଷୋତ୍ତମପୁର ପୁଲିସ ପକ୍ଷରୁ ତାରାତାରିଣୀ ପୀଠକୁ ଚାରିଆଡ଼ୁ ଛାଉଣି କରି ରଖାଯାଉଛି। ତାରାତାରିଣୀ ପୀଠକୁ ପ୍ରବେଶ ପାଇଁ ରହିଥିବା ତାରାତାରିଣୀ ଛକ, କେଶପୁର ଛକ ଓ ଗୋବିନ୍ଦପୁର ଗ୍ରାମଦେଇ ପ୍ରବେଶକ ପଥକୁ ସିଲ୍‌ କରାଯାଇ ପୁଲିସର କଡ଼ା ପହରା ବ୍ୟବସ୍ଥା କରାଯାଇଛି। ମନ୍ଦିରକୁ ୯୯୯ ପାହାଚ ଦେଇ ଯିବାକୁ ଥିବା ସିଂହଦ୍ବାର ସମ୍ମୁଖ ପ୍ରବେଶ ପଥ, ମନ୍ଦିର ଉପରି ଭାଗକୁ ଯିବାକୁ ଥିବା ରାସ୍ତାର ପ୍ରବେଶ ପଥ ଓ ରୋପ୍‌ୱେ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି। ସେହିପରି ମନ୍ଦିର ଉପରେ ଥିବା ସମସ୍ତ ପୂଜା ଓ ଭୋଗ ସାମଗ୍ରୀ ଦୋକାନ, ସହଦେବ ଛକଠାରୁ ହୋଟେଲ୍‌ ନିରୁପମା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ଥିବା ସମସ୍ତ ଉଠା ଦୋକାନକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ମା’ ତାରାତାରିଣୀଙ୍କ ବାର୍ଷି‌କ ଚୈତ୍ର ମଙ୍ଗଳବାର ଯାତ୍ରାରେ ଏଭଳି ଅଭାବନୀୟ ଘଟଣା କେବେ ଦେଖିବାକୁ ମିଳି ନଥିବା ବହୁ ବୟସ୍କ ପୂଜକ କହିଛନ୍ତି।

ଆଜି ପୂର୍ବାହ୍‌ଣରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟ ତାରାତାରିଣୀ ପୀଠରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ବ୍ୟବସ୍ଥାକୁ କଡ଼ାକଡ଼ିଭାବେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।। ଆଜି ଜିଲ୍ଲା ବାହାରୁ ବହୁ ଭକ୍ତ ଆସି ମା’ଙ୍କ ଦର୍ଶନ ନପାଇ ଫେରି ଯାଇଥିବା ଦେଖାଦେଇଛି।

କରୋନା ସଂକ୍ରମଣରୁ ଭକ୍ତଙ୍କୁ ଯାତ୍ରାସ୍ଥଳରୁ ଦୂରେଇ ରଖିବା ପାଇଁ ପ୍ରଶାସନ ଦୃଢ଼ ପଦକ୍ଷେପ ଗ୍ରହଣ କରିଥିବା ବେଳେ ମନ୍ଦିର ଉପରି ଭାଗରେ ମନ୍ଦିର ପରିସର ଓ ବାହାରେ ସାଜସଜ୍ଜାକୁ ଗୁରୁତ୍ବ ଦିଆଯାଇଛି। ମନ୍ଦିର ବାହାର ଓ ଭିତର ଅଞ୍ଚଳ ସମ୍ପୂର୍ଣ୍ଣ ଅତି ଆକର୍ଷଣୀୟ ଆଲୋକମାଳା ଓ ରଙ୍ଗବେରଙ୍ଗ ଫୁଲ ତୋରଣ ସଜ୍ଜିତ କରାଯାଇଛି। ଗତ ଥର ତୁଳନାରେ ଦୁଇଗୁଣ ଅଧିକ ସାଜସଜ୍ଜା କରାଯାଇଛି। ମାଆ ଯାତ୍ରାକୁ ବନ୍ଦ କରାଯାଇଥିବା ଏହି ସାଜସଜ୍ଜା କାହା ପାଇଁ ବୋଲି ସେବାୟତ ଓ ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ମାଆ ଯାତ୍ରା ବନ୍ଦ କରି ମନ୍ଦିର ସାଜ୍ଜସଜ୍ଜାରେ ଅର୍ଥ ଅପଚୟକୁ କିଛି ଭକ୍ତ ନା ପସନ୍ଦ କରିଛନ୍ତି। ମାଆଙ୍କ ନୀତିକାନ୍ତିକୁ ଠିକ୍‌ ରୂପ ପାଳନ କରିବା ଲାଗି ଭକ୍ତମାନେ ଦାବି କରିଛନ୍ତି। ଏହି ଯାତ୍ରା ବନ୍ଦ ଫଳରେ ପିଲାମାନଙ୍କ ମୁଣ୍ଡନ କରି ନପାରି ଭକ୍ତମାନେ ପୁଣି ଏକବର୍ଷ ଅପେକ୍ଷା କରିବାକୁ ପଡ଼ିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର