ଲଗାଣ ବର୍ଷାରେ ଫୁଲିଲା ମାଛକୁଣ୍ଡ : ବନ୍ୟାଜଳ ନିଷ୍କାସନ ପାଇଁ ଖୋଲିଲା ଗେଟ୍‌

କୋରାପୁଟ/ଲମତାପୁଟ : ଲଗାତାର ଦୁଇଦିନ ଧରି ବର୍ଷା ଢାଳିଲା ପରେ ମାଛକୁଣ୍ଡ ଜଳଭଣ୍ଡାର ଫୁଲିଛି। ଆଗକୁ ଆହୁରି ବଡ଼ ବର୍ଷାର ସମ୍ଭାବନା ରହିଥିବା ବେଳେ ଏଠାରେ ଜଳପତ୍ତନ ବିପଦ ସଙ୍କେତ ପାଖାପାଖି ପହଞ୍ଚି ଯାଇଛି। ଯାହାଫଳରେ ଜଳଭଣ୍ଡାର କର୍ତୃପକ୍ଷ ବାଧ୍ୟ ହୋଇ ଚଳିତ ବର୍ଷ ପ୍ରଥମ କରି ବନ୍ୟାଜଳ ନିଷ୍କାସନ କରିବା ଆରମ୍ଭ କରିଛନ୍ତି। ଆଜି ୮ ନମ୍ବର ସ୍ଲୁଇସ୍ ଗେଟ ଖୋଲି ପାଣି ଛଡ଼ା ଯାଇଛି। ଏଥିରେ ହଜାରେ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଥିଲା ବେଳେ ବିଦ୍ୟୁତ ଉତ୍ପାଦନ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କର୍ତୃପକ୍ଷ କହିଛନ୍ତି।

ରଥଯାତ୍ରା ସରୁ ସରୁ କୋରାପୁଟ ଜିଲ୍ଲାରେ ଲଗାଣ ବର୍ଷା ଆରମ୍ଭ ହୋଇଯାଇଛି। ବିଶେଷକରି ଲମତାପୁଟ ଅଂଚଳରେ ବର୍ଷାର ପ୍ରଭାବ ଅଧିକ ରହିଛି। ୬ ତାରିଖରେ ଲମତାପୁଟ ବ୍ଲକରେ ୧୦୮ ମିମି ବର୍ଷା ହୋଇଥିଲାବେଳେ ୭ ତାରିଖରେ ୧୫.୨ମିମି ବର୍ଷା ହୋଇଛି। ଆଜି ସୁଦ୍ଧା ଏହି ବ୍ଲକରେ ୧୮୦ ମିମି ବର୍ଷା ହୋଇଛି। ସେହିପରି ଜୁନ ମାସରେ ୧୭୬.୬୦ ମିମି ବର୍ଷା ହୋଇଥିଲା। ଉପର ମୁଣ୍ଡରେ ବର୍ଷା ହେବାରୁ ଲମତାପୁଟ ବ୍ଲକରେ ଥିବା ମାଛକୁଣ୍ଡ ଜଳଭଣ୍ଡାର ଭର୍ତି ହୋଇ ଯାଇଛି। ଏଠାରେ ସର୍ବୋଚ୍ଚ ଜଳଧାରଣା କ୍ଷମତା ୨୭୫୦ ଫୁଟ ରହିଥିଲା ବେଳେ ଆଜି ସକାଳ ସୁଦ୍ଧା ଜଳସ୍ତର ୨୭୧୫ ଫୁଟରେ ପହଞ୍ଚି ଯାଇଥିଲା। ତେଣୁ କର୍ତୃପକ୍ଷ ବାଧ୍ୟ ହୋଇଥିଲେ ଜଳ ଭଣ୍ଡାରର ଫାଟକ ଖୋଲିବାକୁ। ଏବେ କେବଳ ୮ନମ୍ବର ଗେଟ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି। ବର୍ଷାକୁ ଦୃଷ୍ଟିରେ ରଖି ଅଧିକ ଫାଟ ଖୋଲିବା ନେଇ ବିଚାର କରାଯିବ ବୋଲି କର୍ତୃପକ୍ଷ କହିଛନ୍ତି। ଅପରପକ୍ଷରେ ଜଳଭଣ୍ଡାର ଫାଟକ ଦେଇ କେବଳ ବନ୍ୟାଜଳ ନିଷ୍କାସନ କରାଯାଉଛି, ଏହା ବିଦ୍ୟୁତ ଉତ୍ପାଦନ ଉପରେ କୌଣସି ପ୍ରକାର ପ୍ରଭାବ ପକାଇବ ନାହିଁ।

ଅନ୍ୟପଟେ ମାଛକୁଣ୍ଡ ଜଳଭଣ୍ଡାରର ଫାଟକ ଖୋଲିଥିଲେ ମଧ୍ୟ ଏଥିନେଇ ଜିଲ୍ଲା ପ୍ରଶାସନ ପାଖରେ ଖବର ନାହିଁ। ମାଛକୁଣ୍ଡ ଜଳଭଣ୍ଡାରକୁ ଆନ୍ଧ୍ର ପରିଚାଳନା କରୁଥିବାରୁ ଫା‌ଟକ ଖୋଲିବା ନେଇ ପ୍ରଶାସନକୁ ଜଣାଇ ନ ଥିବା ଜଣାପଡ଼ିଛି। ଆଜି ଦିନତମାମ ଫାଟକ ଖୋଲା ରହିଥିଲେ ମଧ୍ୟ କୋରାପୁଟ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲ୍ଲା ଜରୁରୀ ବିଭାଗ କହିଛି ଯେ, ବନ୍ୟା ଜଳ କୋରାପୁଟ ଜିଲ୍ଲାରେ କ୍ଷତି ନ କରି ମାଲକାନ୍‌ଗିରି ଜିଲ୍ଲାରେ ପ୍ରବେଶ କରିବ। ଅପରପକ୍ଷରେ କୋଲାବ ଜଳଭଣ୍ଡାରର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି। ଏଠାରେ ଜଳସ୍ତର ୮୪୭ ମିଟର ପାଖାପାଖି ପହଞ୍ଚି ଯାଇଛି। ତେବେ ଏଠାରେ ଏବେ କୌଣସି ବିପଦ ନ ଥିବା କର୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର