ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ: କାଟିଦେଲେ ଅଧା ସିଟ୍

କଲେଜ ବେଳେ ଏଲ୍‌ଏଲ୍‌ବି ସିଟ୍‌ ଥିଲା ୨୪୦, ବିଶ୍ବବିଦ୍ୟାଳୟ ହେବାପରେ ହେଲା ୧୨୦

କଟକ : ସ୍ବନାମଧନ୍ୟ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ପ୍ରତି ସରକାରଙ୍କ ଆଭିମୁଖ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମଧୁସୂଦନ ଆଇନ ମହାବିଦ୍ୟାଳୟ ସମୟରେ ଏଲ୍‌ଏଲ୍‌ବି ପାଠ୍ୟକ୍ରମରେ ୨୪୦ଟି ସିଟ୍ ଥିବା ବେଳେ ଏବେ ଏହି ସିଟ୍ ସଂଖ୍ୟା ବିଶ୍ବବିଦ୍ୟାଳୟ ହେବା ପରେ ଅଧା ଅର୍ଥାତ ୧୨୦କୁ ହ୍ରାସ କରି ଦିଆଯାଇଛି। ବିଶ୍ବବିଦ୍ୟାଳୟ ହେବା ପରେ ଭିତ୍ତିଭୂମି ଓ ସାମର୍ଥ୍ୟ ବଢ଼ିବା ବଦଳ‌ରେ ଏଲଏଲବି ସିଟ୍ ସଂଖ୍ୟା ହ୍ରାସ ଘଟଣାକୁ ନେଇ ଛାତ୍ରଛାତ୍ରୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଭିତ୍ତିଭୂମି ବିକାଶ ନ କରି କର୍ତ୍ତୃପକ୍ଷ ଏଲ୍‌ଏଲ୍‌ବିରୁ ଏଭଳି ସିଟ୍ ହ୍ରାସ କରି ରାଜ୍ୟର ଶହ ଶହ ଛାତ୍ରଛାତ୍ରୀଙ୍କୁ ଏଠାରେ ପଢ଼ିବାରୁ ବଂଚିତ କରିଛନ୍ତି। ଗତ ୧୬ ତାରିଖରେ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ପକ୍ଷରୁ ଏଲ୍‌ଏଲ୍‌ବିରେ ନାମ ଲେଖା ପାଇଁ ବିଜ୍ଞାପନ ପ୍ରକାଶ ପାଇବା ପରେ ଏଭଳି ଘଟଣା ସ୍ପଷ୍ଟ ହୋଇଛି।

କର୍ତ୍ତୃପକ୍ଷ କିନ୍ତୁ ଏହାକୁ ନେଇ ଏକ ଅଜବ ଯୁକ୍ତି ବାଢ଼ିଛନ୍ତି। ଭିତ୍ତିଭୂମି ନ ଥିବାରୁ ସେମାନେ ଇଣ୍ଟିଗ୍ରେଟେଡ୍ ଏଲ୍‌ଏଲ୍‌ବିରେ ସିଟ୍‌ ୬୦ ଓ ଏଲ୍‌ଏଲ୍‌ଏମ୍‌ରେ ୩୦ ସିଟ୍ ବଢ଼ାଇଥିବା କହିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇବାରେ ସିଟ୍ ସଂଖ୍ୟା ବୃଦ୍ଧି ପାଇବା ସ୍ବାଭାବିକ ପ୍ରକ୍ରିୟା‌ ହୋଇଥିବା ବେଳେ କର୍ତ୍ତୃପକ୍ଷ ଏଲ୍‌ଏଲ୍‌ବି ସିଟ୍ ସଂଖ୍ୟା ୨୪୦ରୁ ୧୨୦କୁ ହ୍ରାସ କଲେ କାହିଁକି?

୨୦୧୮ ମେ ୨୦ ତାରିଖରେ ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ଭାବେ ରାଜ୍ୟ ସରକାର ଘୋଷଣା କରିଥିଲେ। ମାତ୍ର ଏ ନେଇ ବିଳମ୍ବିତ ପ୍ରକ୍ରିୟା ଯୋଗୁଁ ବିଶ୍ବବିଦ୍ୟାଳୟର ଆରମ୍ଭ ହୋଇ ପାରିନଥିଲା। ତେବେ ଚଳିତ ବର୍ଷ ୨୦୨୧ ଏପ୍ରିଲ ୨୮ ତାରିଖରୁ ବିଶ୍ବବିଦ୍ୟାଳୟକୁ ବିଧିବଦ୍ଧ ସ୍ବୀକୃତି ମିଳିଥିଲା। ଗତ ୧୬ ତାରିଖରେ ତିନି ବର୍ଷିଆ ଏଲ୍‌ଏଲ୍‌ବି ଡିଗ୍ରି ପାଇଁ ଯେଉଁ ନାମ ଲେଖା ବିଜ୍ଞପ୍ତି ପ୍ରକାଶ ପାଇଛି, ସେଥିରେ ଏଲ୍‌ଏଲ୍‌ବିରେ ୧୨୦ ସିଟ୍‌ରେ ନାମଲେଖା ସହିତ ଏଲ୍‌ଏଲ୍‌ବିରେ ୨୦୧୪-୧୫ରୁ ଚାଲି ଆସୁଥିବା ଅନର୍ସ ( ସମ୍ମାନ) ସିଟକୁ ମଧ୍ୟ କାଟି ଦିଆଯାଇଛି।

ଏ ସଂପର୍କରେ କୁଳପତି ପ୍ରଫେସର ଡକ୍ଟର କମଲଜିତ ସିଂହ କହିଛନ୍ତି, ଭିତ୍ତିଭୂମି ଓ ଅଧ୍ୟାପକ ନ ଥିବାରୁ ଏଲ୍‌ଏଲ୍‌ବି ସିଟ୍ ହ୍ରାସ କରାଯାଇଛି। ମାତ୍ର ଅନ୍ୟ ପାଠ୍ୟକ୍ରମ‌ରେ ସିଟ୍ ସଂଖ୍ୟା ବୃଦ୍ଧି କରାଯାଇଛି। ପୂର୍ବରୁ ୫ ବର୍ଷିଆ ଇଣ୍ଟିଗ୍ରେ‌ଟେଡ୍‌ ଏଲ୍‌ଏଲ୍‌ବି ପାଇଁ ୬୦ଟି ସିଟ୍‌ ଥିବା ବେଳେ ଚଳିତ ବର୍ଷ ଏହାକୁ ୧୨୦ କରାଯାଇଛି। ସେହିଭଳି ଏ୍‌ଲଏଲ୍‌ଏମରେ ୩୦ଟି ସିଟ୍‌ ଥିବା ବେଳେ ଏବେ ଏହାକୁ ୬୦ କରାଯାଇଛି।

ସମ୍ବନ୍ଧିତ ଖବର