ଖଣ୍ଡଗିରି ପରେ ପାହାଳରେ ମ୍ୟାଜିକ ପେନରେ ବ୍ୟବସାୟୀଙ୍କୁ ଚୁନା ଲଗାଇଲେ ଠକ

ଭୁବନେଶ୍ୱର: ମ୍ୟାଜିକ ପେନରେ ୭୬ ହଜାର ଟଙ୍କା ଠକେଇ ଅଭିଯୋଗ । ପାହାଳରେ ଥିବା ଟାୟାର ସୋରୁମ ମାଲିକଙ୍କୁ ମ୍ୟାଜିକ ପେନରେ ଚୁନା ଲଗାଇ ଫେରାର ହୋଇଯାଇଛି ଠକ । ଠକ ଜଣକ ନିଜକୁ ବ୍ୟାଙ୍କରୁ ଆସିଥିବା କହି ୧୦ ଲକ୍ଷର ଲୋନ କରାଇଦେବାକୁ କହିଥିଲା । ଆଉ ସେଥିପାଇଁ ସମସ୍ତ କାଗଜପତ୍ର ବି ନେଇଥିଲା । ତାପରେ ଠକ ଜଣକ ଆରମ୍ଭ କରିଥିଲା ତାର ଅପରେସନ । ବ୍ୟାଙ୍କର ପ୍ରୋସେସିଙ୍ଗ ଫିସ ବାବଦକୁ ୧୪୯ ଟଙ୍କାର ଚେକ ଦେବାକୁ କହିଥିଲା ଠକ । ଆଉ ଚେକରେ ଦସ୍ତଖତ ସମୟରେ , ସେ ସାଙ୍ଗରେ ଆଣିଥିବା ପେନରେ ଦସ୍ତଖତ କରିବାକୁ କହିଥିଲା । ହେଲେ ପରବର୍ତ୍ତୀ ସମୟରେ ଚେକରେ ଉଲ୍ଲେଖ ଥିବା ଟଙ୍କାକୁ ଲିଭାଇ ସେଥିରେ ୭୬ ହଜାର ଟଙ୍କା ଉଲ୍ଲେଖ କରି ଟଙ୍କା ଉଠାଇ ନେଇଥିଲା । ଏହି ଧୂର୍ତ୍ତ ଠକର ସିସିଟିଭି ଫୁଟେଜକୁ ନେଇ ପୁଲିସ ଛାନଭିନ ଆରମ୍ଭ କରିଛି । ଠକ ଜଣକ ଏକାଧିକ ଲୋକଙ୍କୁ ସମାନ ଦିନରେ ଠକେଇ କରିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ।

ସବୁଠୁ ବଡକଥା ହେଉଛି କାହା ଆକାଉଣ୍ଟରେ କେତେଟଙ୍କା ରହିଛି, ଠକ ଜଣକ ଜାଣୁଛି କେମିତି ତାହା ଏବେ ସବୁଠାରୁ ବଡ ପ୍ରଶ୍ନ ହୋଇଛି । ତେବେ ଏହା ପଛରେ ବ୍ୟାଙ୍କ କର୍ମଚାରୀଙ୍କ ହାତ ରହିଥିବା ପୁଲିସ ସନ୍ଦେହ କରୁଛି । ଏଠାରେ ସୂଚନା ଥାଉ କି ଗତକାଲି ମଧ୍ୟ ଜାଗମରାରୁ ଏଭଳି ଠକେଇର ଅଭିଯୋଗ ଆସିଥିଲା | ଜାଗମରାର ସୋମନାଥ ସାହୁଙ୍କର ବାପୁଜୀ ନଗରରେ ଏକ ଇଲେକ୍ଟ୍ରୋନିକ୍ସ ଦୋକାନ ରହିଛି। ୪ ତାରିଖ ଦିନ ତାଙ୍କ ପାଖକୁ ଏକ ଫୋନ୍‌(୮୯୦୨୨୧୫୨୬୯) କଲ୍‌ ଆସିଥିଲା। ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ର କର୍ମଚାରୀ ବୋଲି ପରିଚୟ ଦେଇ ବିକାଶ ସିଂହ ନାମକ ଯୁବକ ୧ ଲକ୍ଷ ଟଙ୍କାର ପର୍ସନାଲ ଲୋନ୍‌ କରାଇ ଦେବା ପାଇଁ ସୋମନାଥଙ୍କୁ କହିଥିଲା। ସୋମନାଥଙ୍କର ଆବଶ୍ୟକତା ଥିବାରୁ ସେ ଏହି ଲୋନ୍‌ ଚାହିଁଥିଲେ । କାଗଜପତ୍ର ଭେରିଫିକେସନ ପାଇଁ ଜଣେ ଯୁବକ ୫ ତାରିଖ ସାଢ଼େ ୧୦ଟା ବେଳେ ତାଙ୍କ ଦୋକାନରେ ପହଞ୍ଚି ଆକ୍ସିସ ବ୍ୟାଙ୍କ୍‌ର ୨ଟି ଚେକ୍‌ ନେଇଥିଲେ।

ପ୍ରୋ‌ସେସିଂ ପାଇଁ ଗୋଟିଏ ଚେକ୍‌ ଶହେ ଟଙ୍କାର ଥିବା ବେଳେ ଆଉ ଗୋଟିଏ ଚେକ୍‌ କ୍ୟାନ୍‌ସଲ୍‌ କରିଥିଲା। ଏହି କ୍ୟାନ୍‌ସଲ୍‌ ଚେକ୍‌କୁ ଦୁର୍ବୃତ୍ତ ଜଣକ ନିଜ ଡଟ୍‌ପେନ୍‌ରେ ପୂରଣ କରିଥିବା ବେଳେ ସୋମନାଥ ଦସ୍ତଖତ କରିଥିଲେ। ଅପରାହ୍‌ଣ ୩ଟା ସୁଦ୍ଧା ଭେରିଫିକେସନ ସରିବା ପରେ ଲୋନ୍‌ ଆକାଉଣ୍ଟକୁ ଆସିଯିବ ବୋଲି କହି ଯୁବକ ଚାଲି ଯାଇଥିଲା। ୩ଟା ବେଳେ ଆକାଉଣ୍ଟରେ ଥିବା ୨୨ ହଜାର ୫ଶହ ଟଙ୍କା ଉଠା ଯାଇଥିଲା। କ୍ୟାନ୍‌ସଲ୍‌ ହୋଇଥିବା ଚେକ୍‌ ବଳରେ ହିଁ ଏହି ପଇସା ଉଠା ଯାଇଥିବା ସେ ବ୍ୟାଙ୍କ୍‌ରୁ ଜାଣିବାକୁ ପାଇଥିଲେ। ଅନୁରୂପ ଢଙ୍ଗରେ ୨୦୧୮ ମସିହାରେ ଜଗନ୍ନାଥ ଗ୍ରାଫିକ୍ସ ମାଲିକ ରଞ୍ଜନ କୁମାର ମଲ୍ଲଙ୍କୁ ବ୍ୟାଙ୍କ୍‌ ଲୋନ୍‌ କରିଦେବା ଲୋଭ ଦେଖାଇ ୧ ଲକ୍ଷ ୫୦ ହଜାର ଟଙ୍କା ଠକି ନିଆଯାଇଥିଲା। ଅଦ୍ୟାବଧି ପୁଲିସ ଠକର ଟେର୍‌ ପାଇ ନାହିଁ। ଏବେ ଏହି ଘଟଣା ପୁଣି ଥରେ ଘଟିଛି। ଯାହାକି ପୁଲିସର ମୁଣ୍ଡବିନ୍ଧାର କାରଣ ସାଜିଛି। ଏହି ଘଟଣା ପରେ ରାଜଧାନୀରେ ମ୍ୟାଜିକ୍‌ ପେନ୍‌ ରୢାକେଟ୍‌ ପୁଣି ଥରେ ସକ୍ରିୟ ହୋଇଥିବା ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର