ମହାନଦୀ ପାଇଁ ଲୋଡ଼ା ମହାସଂଗ୍ରାମ

ସମ୍ବଲପୁର :ମହାନଦୀକୁ ବଞ୍ଚାଇବା ପାଇଁ ଏବେ ମହାସଂଗ୍ରାମର ଆବଶ୍ୟକତା ରହିଛି। ଦଳମତ ନିର୍ବିଶେଷରେ ସମସ୍ତେ ସ୍ୱାଭିମାନର ଏହି ଲଢ଼େଇକୁ ଓହ୍ଲାଇବାର ସମୟ ଆସିଛି ବୋଲି ଶୁକ୍ରବାର ମହାନଦୀ ସୁରକ୍ଷା ସମିତି ପକ୍ଷରୁ ଅନୁଷ୍ଠିତ ଆଲୋଚନା ଚକ୍ରରେ ମତ ପ୍ରକାଶ ପାଇଛି। କେନ୍ଦ୍ର ସରକାର ଶିଘ୍ର ଟ୍ରିବ୍ୟୁନାଲକୁ ଟର୍ମ ଅଫ୍‌ ରେଫରେନ୍‌ସ ଦେବା, ଟ୍ରିବ୍ୟୁନାଲ ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ ଛତିଶଗଡ଼ ମହାନଦୀ ଓ ଏହାର ଶାଖା ନଦୀମାନଙ୍କର ସବୁ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା, ମହାନଦୀ ଓ ଏହାର ଶାଖା ନଦୀମାନଙ୍କରେ ଅଣମୌସୁମୀ ସମୟରେ ଜଳ ପ୍ରବାହକୁ ଅକ୍ଷୁଣ୍ଣ ରଖିବା, ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ମହାନଦୀ ଆନ୍ଦୋଳନକୁ ପରିବ୍ୟାପ୍ତ ପାଇଁ ଜନସେଚତନତା ସୃଷ୍ଟି, ସୁରକ୍ଷା ସମିତିର ଜିଲ୍ଲା ସ୍ତରୀୟ ଶାଖା ଖୋଲିବା ପାଇଁ ଝାରସୁୁଗୁଡ଼ା ବିଧାୟକ ନବ କିଶୋର ଦାସଙ୍କୁ ଆଲୋଚନା ଚକ୍ରରେ ସର୍ବସମ୍ମତିକ୍ରମେ ଆବାହକ ସ୍ଥିର କରାଯାଇଛି।

ସ୍ଥାନୀୟ ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ ପ୍ରେକ୍ଷାଳୟରେ ମହାନଦୀର ସୁରକ୍ଷା ପାଇଁ ଆୟୋଜିତ ଆଲୋଚନା ଚକ୍ରରେ ଯୋଗ ଦେଇ ଓଡ଼ିଶା ପିପିସି ସଭାପତି ନିରଂଜନ ପଟ୍ଟନାୟକ କହିଲେ, ଓଡ଼ିଆ ଲୋକ ତିନ୍ତିଲେ ଯାଇ ଛପର କରନ୍ତି ବୋଲି କୁହାଯାଏ। ମହାନଦୀ ସୁରକ୍ଷା କ୍ଷେତ୍ରରେ ଏବେ ଆମର ସେଭଳି ଅବସ୍ଥା ହୋଇଛି। ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସରକାର ସମୟରେ ସେ ଜଳସେଚନ ମନ୍ତ୍ରୀ ଥିବା ବେଳେ ମହାନଦୀର ଜଳ ବ୍ୟବହାର ପାଇଁ ତତ୍କାଳୀନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଅର୍ଜୁନ ସିଂଙ୍କୁ ସହିତ ଏକ ଚୁକ୍ତି କରାଇଥିଲେ। ଛତିଶଗଡ଼ ସରକାର ଏବେ ତାହାର ଉଲ୍ଲଂଘନ କରି ବ୍ୟାରେଜ ନିର୍ମାଣ କରି ଚାଲିଛନ୍ତି। ଛତିଶଗଡ଼ ୨୦୦୨ ମସିହାରୁ ବ୍ୟାରେଜ ନିର୍ମାଣ ଆରମ୍ଭ ହୋଇଥିବା ବେଳେ ୨୦୧୬ ମସିହା ପର୍ଯ୍ୟନ୍ତ ଓଡ଼ିଶା ସରକାର ନିରବ ରହିଥିଲେ। ବହୁ ବିଳମ୍ବରେ ଓଡ଼ିଶା ସରକାର ଟିି୍ରବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ଦ୍ୱାରସ୍ଥ ହେଲେ। ତେବେ ସୁପ୍ରିମ କୋର୍ଟଙ୍କ ହସ୍ତକ୍ଷେପ ପରେ ଟ୍ରିବ୍ୟୁନାଲ ଗଠନ ହୋଇଛି। ଟିବ୍ର୍ୟୁନାଲରୁ କେବେ ସୁଫଳ ମିଳିବ, ତାହା କହିବ ହେବ ନାହିଁ। କଂଗ୍ରେସ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ସବୁବେଳେ କାମ କରି ଆସିଛି। ମହାନଦୀର ସୁରକ୍ଷା ପାଇଁ କଂଗ୍ରେସ ସବୁକିଛି କରିବା ପାଇଁ ପ୍ରସ୍ତୁତ। ବର୍ତ୍ତମାନ ପରିପ୍ରେକ୍ଷୀରେ ହୀରାକୁଦ ଜଳଭଣ୍ଡାର ତଳେ ଆଉ ବ୍ୟାରେଜ ନିର୍ମାଣର ଆବଶ୍ୟକତା ରହିଥିବା ଗୁରୁତ୍ୱାରୋପ କରିଥିଲେ। ଛତିଶଗଡ଼ ଭଳି ମହାନଦୀର ତଳମୁଣ୍ଡରେ କଂପାନି ଅର୍ଥରେ ଛୋଟ ଛୋଟ ବ୍ୟାରେଜ ନିର୍ମାଣ କରିଥିଲେ, ନଦୀଜଳର ସଦୁପଯୋଗ ଆଉ ଶିଳ୍ପ ପ୍ରତିଷ୍ଠା ସାଂଗକୁ ନିଯୁକ୍ତି ସୁଯୋଗ ବି ସୃଷ୍ଟି ହୋଇପାରିଥାନ୍ତା ବୋଲି ସେ ମତବ୍ୟକ୍ତ କରିଥିଲେ।

ସିପିଏମ୍‌ ନେତା ଜନାର୍ଦ୍ଦନ ପତି କହିଲେ, ମହାନଦୀରେ ପାଣି ନଛାଡ଼ିଲେ ଛତିଶଗଡ଼କୁ ଲୁହାପଥର ସମେତ ବିଭିନ୍ନ ଖଣିଜ ପଦାର୍ଥ ଦେବା ବନ୍ଦ କରିଦିଆଗଲେ, ସମାଧାନର ବାଟ ବାହାରିଯିବ। ସୁରକ୍ଷା ସମିତିର ଆବାହକ ଭାଗବତ ପ୍ରସାଦ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ କଂଗ୍ରେସର କାର୍ଯ୍ୟକାରୀ ସଭାପତି ତଥା ଝାରସୁଗୁଡ଼ା ବିଧାୟକ ନବ ଦାସ କହିଲେ, ମହାନଦୀ ଆମର ମା। ତେଣୁ ତା’ର ରକ୍ଷା ପାଇଁ ଆଗେଇ ଆସିଥିବା ସୁରକ୍ଷା ସମିତି ପ୍ରତି ତାଙ୍କର ସମର୍ଥନ ରହିଛି। ତଲସରା ବିଧାୟକ ଡାକ୍ତର ପ୍ରଫୁଲ୍ଲ ମାଝୀ, ପୂର୍ବତନ ବାଚସ୍ପତି କିଶୋର ପଟେଲ, ପୂର୍ବତନ ସାଂସଦ ଜଗନ୍ନାଥ ପଟ୍ଟନାୟକ ପ୍ରମୁଖ ନିଜ ବକ୍ତବ୍ୟ ମହାନଦୀର ବର୍ତ୍ତମାନ ସ୍ଥିତି ପାଇଁ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାରଙ୍କ ଉପରେ ଦାୟୀ କରିବା ସହ ମହାନଦୀର ସୁରକ୍ଷା ପାଇଁ ଆନ୍ଦୋଳନ ହିଁ ଏକମାତ୍ର ପନ୍ଥା ବୋଲି ସେମାନେ କହିଥିଲେ। ବରିଷ୍ଠ ସିପିଆଇ ନେତା ଅଶୋକ ବିଶି ସମ୍ବଲପୁର ନିକଟରେ ମହାନଦୀର ଶୋଚନୀୟ ଅବସ୍ଥା ଦେଖି ଉଦ୍‌ବେଗ ପ୍ରକାଶ କରିବା ସହ ଏହାକୁ ବଞ୍ଚାଇବା ପାଇଁ ଏକ ମନ, ଏକ ସ୍ୱରରେ ଆନ୍ଦୋଳନ କରାଯିବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିିଥିଲେ। ମହାନଦୀର ସୁରକ୍ଷା ପାଇଁ ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ଲଢ଼େଇ କରାଯିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣାକୁ ସମ୍ବଲପୁର ବିଜେଡି ଜିଲ୍ଲା ସଭାପତି ଡ. ପ୍ରମୋଦ ରଥ ଏଠାରେ ଦୋହରାଇ ଥିଲେ।

‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ(ବାର୍ତ୍ତା) ଅରବିନ୍ଦ ଦାସ ପ୍ରାରମ୍ଭିକ ବକ୍ତବ୍ୟ ରଖି କହିଲେ, ମହାନଦୀର ଜୀବନ ରହିଛି, ଏହାକୁ ସଂପଦ ବୋଲି ବିବେଚନା କରାଯିବ ଅନୁଚିତ। ଛତିଶଗଡ଼ର ମନଇଚ୍ଛା ବ୍ୟାରେଜ ନିର୍ମାଣ ଯୋଗୁଁ ଆଗାମୀ ଦିନରେ ହୋୟାଂ ହୋ, ଚନ୍ଦ୍ରଭାଗା, ପ୍ରାଚୀ ନଦୀ ଭଳି ମହାନଦୀର ଅବସ୍ଥା ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏଥିପାଇଁ କେହିଏକାକୀ ନୁହେଁ, ଆମେ ସମସ୍ତେ ଦାୟୀ। ଚାଷୀ ନେତା ସରୋଜ କହିଲେ, ନାଗରିକ ସମାଜ ରାଜନୈତିକ ଦଳଗୁଡ଼ିକ ଉପରେ ଚାପ ପ୍ରୟୋଗ କଲେ ସମାଧାନର ବାଟ ବାହାରିପାରିବ। ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଛତିଶଗଡ଼ର ବେଆଇନ କାମ ବିରୋଧରେ ଐକ୍ୟବଦ୍ଧ ଲଢ଼େଇ, ହୀରାକୁଦ ନଦୀବନ୍ଧ ତଳ ମୁଣ୍ଡରେ ଜଳ ସଂରକ୍ଷଣ ପାଇଁ ପ୍ରକଳ୍ପ ନିର୍ମାଣ, ମହାନଦୀକୁ ପ୍ରଦୂଷଣ ମୁକ୍ତ କରିବା, ମହାନଦୀ ଅବବାହିକାରେ ମୃତ୍ତିିକା ସଂରକ୍ଷଣ ଆଦି ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସୁରକ୍ଷା ସମିତିର ଅନ୍ୟତମ ଆବାହକ ଅରବିନ୍ଦ ମହାପାତ୍ର ମଧ୍ୟ ମଂଚାସୀନ ଥିଲେ। ସମରେନ୍ଦ୍ର ମିଶ୍ର, ଲକ୍ଷ୍ମଣ ମେହେର, ଶ୍ୟାମା ଓମ୍‌ ପ୍ରସାଦ ମିଶ୍ର, ଦୟାସାଗର ମେଣ୍ଡଲି, ସାଧୁ ନେପାକ, ଗୋପୀ ମିଶ୍ର, ଜଗନ୍ନାଥ ଜେନା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ, କଂଗ୍ରେସ ନେତା ମସ୍ତାନ ଅଲୀ ପ୍ରମୁଖ ମଧ୍ୟ ମଂଚାସୀନ ଥିଲେ। ବୈଠକକୁ ସବୁ ଦଳର ନେତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ତେବେ ବିଜେପିର କୌଣସି ନେତା ଆଲୋଚନା ଚକ୍ରକୁ ଆସିନଥିଲେ।

ସମ୍ବନ୍ଧିତ ଖବର