ମାହାଙ୍ଗା ନରସଂହାରର ଶବ ବ୍ୟବଚ୍ଛେଦ ରିପୋର୍ଟ: ଧାରୁଆ ଅସ୍ତ୍ରରେ ହତ୍ୟା, ସମସ୍ତେ କରିଥି‌ଲେ ପ୍ରତିରୋଧ

ବିଷକ୍ରିୟାର ସୂଚନା ନାହିଁ, ଫରେନ୍‌ସିକ୍‌ ରିପୋର୍ଟକୁ ଅପେକ୍ଷା, ପ୍ରତିରୋଧ ସତ୍ତ୍ବେ ଶିବ କ’ଣ ଏକା ମାରିଦେଲା?

କଟକ/ମାହାଙ୍ଗା: ମାହାଙ୍ଗା ନରସଂହାର ଘଟଣାର ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଏବେ ଅଭିଯୁକ୍ତ ଶିବ ଏକା ମାରିଥିବା ସନ୍ଦେହକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ଶିବ ଧାରୁଆ ଅସ୍ତ୍ରରେ ହତ୍ୟା କରିଛି ଏବଂ ଘଟଣା ସମୟରେ ସମସ୍ତେ ପ୍ରତିରୋଧ କରିଥିଲେ। ସମସ୍ତେ ଅର୍ଥାତ୍‌ ୫ଜଣ ପ୍ରତିରୋଧ କରିବା ସତ୍ତ୍ବେ ଜଣେ ମାରିବା ସମ୍ଭବ କି? ଏହିଭଳି ପ୍ରଶ୍ନ ଉଠିଥିବାବେଳେ ମୃତ ୫ଜଣଙ୍କୁ କୌଣସି ପ୍ରକାରେ ବିଷ ଦିଆଯାଇନଥିବା ରିପୋର୍ଟରେ ସ୍ପଷ୍ଟ ହୋଇଛି। ପୁଲିସ୍‌ର ହସ୍ତଗତ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ଯେ ୫ ଜଣଙ୍କୁ କୌଣସି ପ୍ରକାର ବିଷ ଦିଆଯାଇ ନାହିଁ। ଧାରୁଆ ଅସ୍ତ୍ରରେ ଏକାଧିକ ଥର ଚୋଟ ପକାଇ ୫ ଜଣଙ୍କୁ ହତ୍ୟା କରାଯାଇଛି। ଏବଂ ସମସ୍ତେ ମୃତ୍ୟୁ ପୂର୍ବରୁ ପ୍ରତିରୋଧ କରିଛନ୍ତି। ହତ୍ୟାକାଣ୍ଡର ୬ ଦିନ ପରେ ଆସିଥିବା ବ୍ୟବ‌ଚ୍ଛେଦ ରିପୋର୍ଟରୁ ଏଭଳି କିଛି ତଥ୍ୟ ସ୍ପଷ୍ଟ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟ ସହ ଆଜି ହତ୍ୟାକାରୀ ଶିବପ୍ରସାଦ ସାହୁର ସିଡିଆର ଅର୍ଥାତ୍‌ ମୋବାଇଲ୍ ଫୋନ୍ କଲ୍‌ ଡିଟେଲ୍‌ ରେକର୍ଡ ମଧ୍ୟ ପୁଲିସ ପାଇଛି। ତାର ଅନୁଧ୍ୟାନ ଆରମ୍ଭ ହୋଇଥିବାବେଳେ ଏବେ ପୁଲିସ ଫରେନ୍‌ସିକ୍‌ ରିପୋର୍ଟକୁ ଅପେକ୍ଷା କରିଛି। ମୃତ ସ୍ମୃତିସନ୍ଧ୍ୟାଙ୍କ ହାତ ମୁଠାରେ ଥିବା ଲମ୍ବା ଚୁଟି କାହାର, ତାହାକୁ ନେଇ ଏବେ ବି ସନ୍ଦେହ ଲାଗିରହିଛି। ଫରେନ୍ସିକ୍‌ ରିପୋର୍ଟ ଆସିଲେ ତାହା ସ୍ପଷ୍ଟ ହେବ ବୋଲି କୁହାଯାଉଛି। ଅନ୍ୟପଟେ ହତ୍ୟାକାରୀ ଶିବର ପତ୍ନୀ ସୁନିତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଅଲେଖଙ୍କ ଶ୍ବଶୁର ଘର ଲୋକ ବାରମ୍ବାର ଦାବି କରୁଛନ୍ତି।

ଏପରିସ୍ଥଳେ, ଶାବଳ ଓ ପେଚକସ ଜବତ ହେବା ପଛର କାହାଣୀକୁ ନେଇ ଆଉ ଏକ ରୋଚକ ତଥ୍ୟ ଆସିଛି। ଶିବ ତା’ର ବଡ଼ ଭାଇର ପରିବାରକୁ ନିଆଁରେ ପୋଡ଼ି ମାରିଦେବାକୁ ପ୍ରଥମେ କୁଆଡ଼େ ଚିନ୍ତା କରିଥିଲା। ୧୧ ତାରିଖ ବିଳମ୍ବିତ ରାତିରେ ବଡ଼ ଭାଇ ଅଲେଖଙ୍କ ରୋଷେଇ ଘରକୁ ପ୍ରଥମେ ପେଚ୍‌କସ୍‌ରେ ଖୋଲିବାକୁ ଚେଷ୍ଟାକରି ବିଫଳ ହୋଇଥିଲା। ଏହାପରେ ଶାବଳ ସାହାଯ୍ୟରେ ଉକ୍ତ ରୋଷେଇ ଘର ତାଲାକୁ ଭାଙ୍ଗିବାରେ ସକ୍ଷମ ହୋଇଥିଲା। ରୋଷେଇ ଘରେ ଥିବା ଗ୍ୟାସ୍‌ ଚୁଲାରେ ନିଆଁ ଲଗାଇ ପରିବାରକୁ ସଂପୂର୍ଣ୍ଣ ପୋଡ଼ି ମାରିବାକୁ ଯୋଜନା କରିଥିଲା। କିନ୍ତୁ ଏଥିରେ ନିଜର କ୍ଷତି ସହ ପାଖ ପଡୋଶୀଙ୍କର ମଧ୍ୟ ଯଥେଷ୍ଟ କ୍ଷତି ହେବାର ଆଶଙ୍କା କଥା ଭାବି ଏହି ଯୋଜନାରୁ ଓହରି ଯାଇଥିଲା। ଏବଂ ଶାଣଦିଆ କଟୁରୀରେ ଜଣଙ୍କ ପରେ ଜଣଙ୍କୁ ହାଣି ସମସ୍ତଙ୍କୁ ହତ୍ୟା କରିବାରେ ସଫଳ ହୋଇଥିଲା। ଶିବର ଆକ୍ରମଣରେ ବଡ଼ଭାଇ ଅଲେଖ ସାହୁ (୪୪), ଭାଉଜ ରଶ୍ମିରେଖା ପୃଷ୍ଟି (୩୮), ବଡ଼ ପୁତୁରା ସ୍ମୃତି ସ୍ମାଇଲ ସାହୁ (୧୭), ସାନ ପୁତୁରା ସ୍ମୃତି ସୌରଭ (୧୪) ଓ ଝିଆରୀ ସ୍ମୃତିସନ୍ଧ୍ୟା ସାହୁ (୧୯) ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର