ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି

ନୀଳଚକ୍ର ମାର୍ଜନା, ରାମାନନ୍ଦୀ ତିଳକ ଲାଗି

ପୁରୀ : ଶ୍ରୀମନ୍ଦିରରେ ଗୁରୁବାର ଦିନ ପବିତ୍ର ମକର ସଂକ୍ରାନ୍ତି ପାଳିତ ହୋଇଯାଇଛି। ଏହି ଅବସରରେ ମହାପ୍ରଭୁଙ୍କ ଉତ୍ତରାୟଣ ଯାତ୍ରା ଆରମ୍ଭ ହୋଇଛି। ମକର ଚଉରାଶି ବେଶରେ ଦର୍ଶନ ଦେଇଛନ୍ତି ଶ୍ରୀଜିଉ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି।

ବିଭିନ୍ନ ମଠ, ମନ୍ଦିରରେ ବି ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି।

ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଥିବା ମଠମାନଙ୍କରେ ସ୍ବତନ୍ତ୍ର ଶୈଳୀରେ ମକର ଚାଉଳ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କୁ ଅର୍ପଣ କରାଯାଇଛି।

ଆଜି ଭୋର ୪ଟା ୧୫ରେ ଦ୍ବାରଫିଟା ନୀତି ପରେ ୪ଟା ୫୫ରେ ଭିତରଶୋଧ, ୫ଟା ୫ରେ ମଙ୍ଗଳ ଆଳତି, ୫ଟା ୧୦ରେ ମଇଲମ, ୫ଟା ୪୦ରେ ତଡ଼ପଲାଗି, ୬ଟା ୨୦ରେ ଅବକାଶ ପୂଜା ନୀତି ବଢ଼ିଥିଲା। ମହାପ୍ରଭୁଙ୍କୁ ମକର ଚୁଳ ଲାଗି ହେବା ପରେ କର୍ପୁର ଲାଗି ପୂର୍ବକ ବେଶ ବଢ଼ିଥିଲା। ପରେ ପାଣି ପଡ଼ି ଗୋପାଳ ବଲ୍ଲଭ ଓ ସକାଳ ଧୂପ ବଢ଼ିଥିଲା। ପରେ ପରେ ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ, ସର୍ବାଙ୍ଗ, ନୂଆଲୁଗା, ଛମୂର୍ତ୍ତି ଅଳଙ୍କାର ଲାଗି ହୋଇଥିଲା। ପାଣି ପଡ଼ି ମଧ୍ୟାହ୍ନ ଧୂପ ନୀତି ଆରମ୍ଭ ହୋଇଥିଲା। ପରେ ଘଣ୍ଟ, ଛତା କାହାଳୀ ପଟୁଆର ସହକାରେ ଭୋଗ ଛାମୁକୁ ଆସିଥିଲା।

ଆଜି ଏହି ମକର ସଂକ୍ରାନ୍ତି ଅବସରରେ ଶ୍ରମନ୍ଦିରରେ ଭିଡ଼ ଦେଖିବାକୁ ମିଳିଥିଲା। କୋଭିଡ୍‌ କଟକଣା ଯୋଗୁଁ ପୂର୍ବବର୍ଷ ଭଳି ଭିଡ଼ ନଥିଲେ ବି ବହୁ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରି ଫେରିଥିଲେ। ଅନେକ ଭକ୍ତ ପତିତପାବନଙ୍କ ଦର୍ଶନ ପାଇଁ ଭିଡ଼ ଲଗାଇଥିଲେ।

ନୀଳଚକ୍ର ମାର୍ଜନା, ରାମାନନ୍ଦୀ ତିଳକ ଲାଗି
ପୁରୀ : ଶ୍ରୀମନ୍ଦିରରେ ଆଜି ପବିତ୍ର ମକର ସଂକ୍ରାନ୍ତିରେ ନୀଳଚକ୍ର ମାର୍ଜନା କରାଯାଇଛି। ଏହା ସହ ଶ୍ରୀମନ୍ଦିର ଅଁଳାବେଢ଼ାରେ ନୂଆ ରଙ୍ଗ ଦିଆଯାଇଛି। ଚୁନରା ସେବକମାନେ ଅଁଳାବେଢ଼ାକୁ ନୂଆ ରଙ୍ଗ ଦେବା ସହ ରାମାନନ୍ଦୀ ତିଳକ ଲଗାଇଛନ୍ତି। ଚତୁଃପାର୍ଶ୍ବରୁ ଅଁଳାବେଢ଼ାରେ ରାମାନନ୍ଦୀ ତିଳକ ଲଗାଯାଇଛି।

ସମ୍ବନ୍ଧିତ ଖବର