ଉଚ୍ଚଶିକ୍ଷାରେ ଆସିବ ସଂସ୍କାର : ଗଠନ ହେଲା ୫ କମିଟି

ଭୁବନେଶ୍ୱର : ଉଚ୍ଚଶିକ୍ଷାରେ ସଂସ୍କାର ଆଣିବା ଲାଗି ରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟ କୁଳପତି, ପରୀକ୍ଷା ନିୟନ୍ତ୍ରକକୁ ନେଇ ୫ଟି କମିଟି ଗଠିତ ହୋଇଛି। ବିଭିନ୍ନ ବିଷୟ ଉପରେ କମିଟିଗୁଡ଼ିକ ନିର୍ଧାରିତ ସମୟରେ ପ୍ରସ୍ତାବ ଦେବେ। ସେହି ଅନୁଯାୟୀ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଅଣିବାକୁ ସ୍ଥିର ହୋଇଛି। ସମସ୍ତ ବିଶ୍ୱବିଦ୍ୟାଳୟ ଲାଗି ଏକକ ନାମଲେଖା ପ୍ରକ୍ରିୟା ଲାଗି ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଓ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଏବଂ ପିଟିସିର ଓଆଇସି ସଦସ୍ୟ ରହିଛନ୍ତି। ସେହିପରି ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅନ୍‌ ଟାଇମ୍‌ ଗ୍ରାଜୁଏସନ(ଓଟିଜି) ମନିଟରିଂ ସିଷ୍ଟମ କିଭଳି ହେବ ସେଥିପାଇଁ ଆଇଏଏସ୍‌ ପରମେଶ୍ୱର ବିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଉତ୍ତର ଓଡ଼ିଶା, ରମାଦେବୀ, ଉତ୍କଳ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ସଦସ୍ୟ ରହିଛନ୍ତି।

ୟୁପିଏସ୍‌ସି, ନେଟ୍‌, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଢାଞ୍ଚାରେ ସ୍ନାତକୋ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମରେ ପରିବର୍ତନ ଆଣିବା ପାଇଁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ ହୋଇଛି। ଏଥିରେ ଉତ୍ତରାଞ୍ଚଳର ଆରଡିସି ଡି.ଭି. ସ୍ୱାମୀ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଏନ୍‌.ସି. ପଣ୍ଡା, ଫକୀରମୋହନ ବିଶ୍ୱବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ ଏସ୍‌.କେ. ଦେ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ହରିହର ହୋତା ସଦସ୍ୟ ରହିଛନ୍ତି। ଦୁଇ ମାସ ମଧ୍ୟରେ କମିଟି ତାହାର ରିପୋର୍ଟ ଉଚ୍ଚଶିକ୍ଷା ବିଭାଗକୁ ଦେବ।

ବିଶ୍ୱବିଦ୍ୟାଳୟ, ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ଯୁକ୍ତ୩ କଲେଜଗୁଡ଼ିକର ପରୀକ୍ଷା ପରିଚାଳନାରେ ସଂସ୍କାର ଆଣିବା ଲାଗି ଗଙ୍ଗାଧର ମେହର ବିଶ୍ୱବିିଦ୍ୟାଳୟ କୁଳପତିଙ୍କ ଅଧ୍ୟକ୍ଷତାରେ ୫ ଜଣିଆ କମିଟି ଗଠିତ ହୋଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ପ୍ରଦୀପ କୁମାର ବେହେରା, ବ୍ରହ୍ମପୁର ବିଶ୍ୱବିିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ, ଖଡିଆଳ ଏବଂ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଏହାର ସଦସ୍ୟ ରହିଛନ୍ତି। ସ୍ନାତକ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମରେ ନିର୍ଧାରିତ ସମୟରେ ପରୀକ୍ଷା କରିବା, ଫଳ ପ୍ରକାଶ, ସାର୍ଟିଫିକେଟ୍‌ ପ୍ରଦାନ ଲାଗି ଏକ ଶିକ୍ଷା କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବ। ଏଥିପାଇଁ ଫକୀର ମୋହନ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କୁଳପତି, ଉତ୍କଳ, ବ୍ରହ୍ମପୁର ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ସଦସ୍ୟ ରହିଛନ୍ତି। ଦୁଇ ମାସ ମଧ୍ୟରେ କମିଟି ତାହାର ରିପୋର୍ଟ ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର