କେନ୍ଦୁଝର : କମୁନାହିଁ ମ୍ୟାଲେରିଆ। ଔଷଧ ମିଶା ମଶାରି ବଣ୍ଟନଠୁ ଆରମ୍ଭ କରି ଡିଡିଟି ସିଞ୍ଚନ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଯେତେ ହାତକୁ ନେଲେ ବି ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା କମୁନାହିଁ। ବିଗତ ୧୧ ବର୍ଷ ମଧ୍ୟରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷରୁ ଊର୍ଦ୍ଧ୍ୱରେ ପହଞ୍ଚିଛି। ମ୍ୟାଲେରିଆଜନିତ ମୃତ୍ୟୁ ସଂଖ୍ୟା ୧୦୦ ରୁ ଊର୍ଦ୍ଧ୍ୱ, ଯାହାକି ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରିଛି।

Advertisment

ଏକଦା ୨୦୧୦-୨୦୦୧ ମସିହା ବେଳେ କେନ୍ଦୁଝର ଜିଲ୍ଲାରେ ମ୍ୟାଲେରିଆ ମୃତକଙ୍କ ସଂଖ୍ୟା ବିଶ୍ୱରେ ଥିଲା ସର୍ବାଧିକ। ଏହାପରେ କେନ୍ଦୁଝର ଜିଲ୍ଲାକୁ ମ୍ୟାଲେରିଆମୁକ୍ତ କରିବାକୁ ଏକାଧିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିଲା। ଡିଡିଟି ସିଞ୍ଚନଠାରୁ ଆରମ୍ଭ କରି ଔଷଧ ଯୁକ୍ତ ମଶାରି ବଣ୍ଟନ କରିବା ଏବଂ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହାସତ୍ତ୍ୱେ କେନ୍ଦୁଝର ଜିଲ୍ଲାରୁ ମ୍ୟାଲେରିଆ କମୁନାହିଁ।

ମିଳିଥିବା ସୂଚନା ଅନୁସାରେ, ଗତ ୨୦୦୭ ମସିହାରେ କେନ୍ଦୁଝର ଜିଲ୍ଲାରେ ମୋଟ ୩୦ ହଜାର ୨୧ ଜଣଙ୍କ ରକ୍ତ ନମୁନାରୁ ମ୍ୟାଲେରିଆ ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ସେହିପରି ୨୦୦୮ରେ କେନ୍ଦୁଝର ଜିଲ୍ଲାରେ ମୋଟ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୨୯,୯୩୪। ସେହିପରି ୨୦୦୯ ମସିହାରେ ୩୫ ହଜାର ୨୭୦ ଜଣ ମ୍ୟାଲେରିଆ ଆକ୍ରାନ୍ତ ଥିଲାବେଳେ ୨୦୧୦ ମସିହାରେ ୩୦ ହଜାର ୫୮୨ ଜଣଙ୍କୁ ମ୍ୟାଲେରଆ ଜ୍ୱର ହୋଇଥିଲା। ୨୦୧୧ ମସିହାରେ ୨୦ ହଜାର ୨୦୨ ଜଣଙ୍କ ରକ୍ତ ନମୁନାରେ ମ୍ୟାଲେରିଆ ପଜିଟିଭ୍‌ ଥିଲା। ୨୦୧୨ ମସିହାରେ ୨୧,୦୭୭ ମ୍ୟାଲେରିଆ ଆକ୍ରାନ୍ତ ଥିଲେ। ସେହିପରି ୨୦୧୩ ମସିହାରେ ୧୭ ହଜାର ୧୩୪ ଜଣ ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦୧୪ ମସିହାରେ ୨୭ହଜାର ୮୨୨ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିଲେ । ସେହିପରି ୨୦୧୫ ମସିହାରେ ୨୮୧୫୮ଜଣଙ୍କ ରକ୍ତ ନମୁନାରୁ ମ୍ୟାଲେରିଆ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୨୦୧୬ ମସିହାରେ ୩୭୮୪୦ ଜଣଙ୍କ ରକ୍ତ ନମୁନାରୁ ମ୍ୟାଲେରିଆ ଚିହ୍ନଟ ହୋଇଥିଲା। ସେହିପରି ୨୦୧୭ ମସିହାରେ ୩୧ ହଜାର ୮୮୮ ଜଣ ମ୍ୟାଲେରିଆ ଆକ୍ରାନ୍ତ ଥିଲେ।

ତେବେ ସବୁଠାରୁ ବଡ଼ କଥା ହେଉଛି, ଏହି ମ୍ୟାଲେରିଆ ଆକ୍ରାନ୍ତଙ୍କ ମଧ୍ୟରୁ ମାରାତ୍ମକ ମ୍ୟାଲେରିଆ ପିଏଫ୍‌ରେ ମଧ୍ୟ ୨ ଲକ୍ଷ ୮୫ ହଜାର ୩୨୨ ଜଣ ଆକ୍ରାନ୍ତ ହୋଇଛନ୍ତି। ସୂଚନା ଅନୁସାରେ, ୨୦୦୭ ମସିହାରେ ୨୮୬୫୫ ଜଣ ମ୍ୟାଲେରିଆ ପିଏଫ୍‌ରେ ଆକ୍ରାନ୍ତ ହୋଇଥିବା ବେଳେ ୨୦୦୮ ମସିହାରେ ୨୭୯୯୬ ଜଣ; ୨୦୦୯ ମସିହାରେ ୩୩୪୬୬ ଜଣ; ୨୦୧୦ ମସିହାରେ ୨୮୬୧୮ ଜଣ, ୨୦୧୧ ମସିହାରେ ୧୯୨୨୨ ଜଣ, ୨୦୧୨ ମସିହାରେ ୨୦୧୪୦ ଜଣ; ୨୦୧୩ ମସିହାରେ ୧୬୩୬୦ ଜଣ; ୨୦୧୪ ମସିହାରେ ୨୫୬୮୬ ଜଣ; ୨୦୧୫ ମସିହାରେ ୨୪୯୧୦ ଜଣ; ୨୦୧୬ ମସିହାରେ ୩୩୨୯୫ ଏବଂ ୨୦୧୭ ମସିହାରେ ୨୬୯୭୩ଜଣ ମ୍ୟାଲେରିଆ ପିଏଫରେ ଆକ୍ରାନ୍ତ ହୋଇଥିଲେ।

ଏହି ୧୧ ବର୍ଷ ମଧ୍ୟରେ ୧୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କର ମ୍ୟାଲେରିଆରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗୋଟିଏ ପଟେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟାରେ କୌଣସି ସୁଧାର ଆସୁ ନ ଥିବା ବେଳେ ଲୋକଙ୍କ ମଧ୍ୟରେ ଯେତିକି ପରିମାଣରେ ସଚେତନତା ସୃଷ୍ଟି କରାଯିବା କଥା ତାହା ହେଉନାହିଁ, ଯାହାକି ମ୍ୟାଲେରିଆ ନିରାକରଣ ଦିଗରେ ପ୍ରମୁଖ ବାଧକ ସାଜିଛି।