ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲା ବାହ୍ୟଜଗତଠାରୁ ବିଛିନ୍ନ

ମାଲକାନଗିରି: ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲା ବାହ୍ୟଜଗତଠାରୁ ବିଛିନ୍ନ ହୋଇ ପଡ଼ିଥିବା ଜଣାଯାଇଛି। ଏହି ଜିଲ୍ଲାର ଅଧିକାଂଶ ଅଞ୍ଚଳରୁ ଯାତାୟତ ଠପ୍ ହୋଇଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଜୟପୁରରୁ ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥରେ ଥିବା ପାଙ୍ଗମ ବ୍ରିଜ୍ ଉପରେ ୩ ଫୁଟ୍ ଉଚ୍ଚରେ ଜଳ ପ୍ରବାହିତ ହେଉଛି। ଏହାଫଳରେ ଜୟପୁର ସହ ଯୋଗାଯୋଗ ବିଛିନ୍ନ ହୋଇଛି। ମାଲକାନଗିରି –କାଲିମେଳା ମଧ୍ୟରେ ଥିବା ପଟେରୁ ବ୍ରିଜ୍ ଉପରେ ୪ ଫୁଟ୍ ଉଚ୍ଚରେ ଜଳ ପ୍ରବାହିତ ହେଉଛି। କାଲିମେଳାରୁ ପଡ଼ିଆ ବ୍ଲକକୁ ଯୋଗଯୋଗ କରୁଥିବା କନ୍ୟାଶ୍ରମ ବ୍ରିଜ୍ ଉପରେ ୪ ଫୁଟ୍ ଉଚ୍ଚରେ ଜଳ ପ୍ରବାହିତ ହେଉଛି। କାଲିମେଳାରୁ ମୋଟୁ ଦେଇ ଆନ୍ଧ୍ର ପ୍ରଦେଶକୁ ଯାଉଥିବା ଏମଭି୬୪/୧୦ ଓ ଏମଭି ୯୦ ବ୍ରିଜ୍ ଉପରେ ୫ ଫୁଟ୍ ଉଚ୍ଚରେ ଜଳ ପ୍ରବାହିତ ହେଉଛି। ଏହାଫଳରେ ଆନ୍ଧ୍ର ପ୍ରଦେଶ ସହ ଯୋଗାଯୋଗ ବିଛିନ୍ନ ହୋଇଛି।


ସୂଚନାଯୋଗ୍ୟ, ଗତ ୪ଦିନ ହେଲା କାଲିମେଳା ଅଞ୍ଚଳରେ ବର୍ଷା ଲାଗି ରହିଛି। ତେବେ ଆଜି ସକାଳେ କ୍ରମାଗତ ଭାବେ ବଢ଼ିବାରେ ଲାଗିଥିଲା। ଆଜି ସକାଳ ୮ଟାରୁ ସଂଧ୍ୟା ୫ଟା ମଧ୍ୟରେ ବ୍ଲକରେ ୧୧୪ ମିଲିଲିଟର ବର୍ଷା ରେକର୍ଡ କରାଯାଇଛି। ଯାହାଫଳରେ ନଦୀ ଫୁଲିବା ଆରମ୍ଭ କରିଛି। ଏପରିକି ରାସ୍ତା ତଥା ପୋଲ ଉପରକୁ ବନ୍ୟାଜଳ ଚାଲି ଆସିବାରୁ କାଲିମେଳାରୁ ମାଲକାନଗିରି, ମୋଟୁ ଏବଂ ପଡ଼ିଆକୁ ଯୋଗାଯୋଗ ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ନଦୀ ତଥା ନାଳଗୁଡ଼ିକରେ ଜଳପତ୍ତନ ଅସ୍ବାଭାବିକ ଭାବେ ବୃଦ୍ଧି ପାଇ ବହୁ ଅଞ୍ଚଳରେ ପାଣି ପଶିଥିବା ସୂଚନା ମିଳିଛି। ସ୍ଥିତି ସଂଗିନ ହୋଇଥିବା ବେଳେ ବହୁ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବ୍ୟାପକ ଭାବେ ଜୀବନଯାତ୍ରା ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି

ସମ୍ବନ୍ଧିତ ଖବର