କୋଭିଡ୍‌ କଟକଣାକୁ ନ ମାନି ସ୍ବାଭିମାନ ଅଞ୍ଚଳରେ ପ୍ରଶାସନ ବିରୋଧରେ ଗର୍ଜିଲେ ଅଞ୍ଚଳବାସୀ

ମାଲକାନଗିରି: ସ୍ବାଭିମାନ ଅଞ୍ଚଳରେ କୋଭିଡ୍‌ କଟକଣାକୁ ଅବମାନନା କରି ପୁଣି ଗର୍ଜିଲେ ଅଞ୍ଚଳବାସୀ। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳର ଗଜଳମାମୁଡ଼ିରେ ଶହ ଶହ ସଂଖ୍ୟାରେ ଲୋକେ ଏକତ୍ରିତ ହୋଇ ସରକାର ଏବଂ ପ୍ରଶାସନ ବିରୋଧରେ ଗର୍ଜିଲେ। କୋଭିଡ ନିୟମକୁ ନ ମାନି ଅଞ୍ଚଳବାସୀ ରାଲି ଓ ବିକ୍ଷୋଭ କରିଥିଲେ। ସିପିଆଇଏମର ଗଣତାନ୍ତ୍ରିକ ଯୁବ ଫେଡରେସନ ତରଫରୁ ଏହି ବିକ୍ଷୋଭ କରାଯାଇଥିଲା।

ଅଭିଯୋଗ ଥିଲା ସାତ ଦଶନ୍ଧି ଧରି ବିଛିନ୍ନାଞ୍ଚଳ ଲୋକେ ଅବହେଳିତ ହୋଇ ଆସୁଛନ୍ତି। ଗତ ଦୁଇ ବର୍ଷ ତଳେ ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ବିଛିନ୍ନାଞ୍ଚଳ ପରିଣତ ହେଲା ସ୍ୱାଭିମାନ ଅଞ୍ଚଳରେ। ଚିତ୍ରକୋଣ୍ଡା ବ୍ଲକର ୧୮ଟି ପଞ୍ଚାୟତ ମଧ୍ୟରୁ ୯ଟି ଏବେ ବି ଅତି ଦୟନୀୟ ଅବସ୍ଥାରେ ରହିଛି। ପ୍ରଶାସନ ତରଫରୁ ବିକାଶର କାର୍ଯ୍ୟ ଚାଲୁ ରହିଥିଲେ ମଧ୍ୟ ଏବେ ବି ବହୁ ଅଞ୍ଚଳ ଅବହେଳିତ ହୋଇ ରହିଛି। ରାସ୍ତା, ପାଣି, ସ୍ୱାସ୍ଥ୍ୟ ଏବେ ବି ଅପହଞ୍ଚ। ପିଡିଏସ ଚାଉଳ ବଣ୍ଟନରେ ବ୍ୟାପକ ଦୁର୍ନୀତି ହେଉଛି।

ଜଙ୍ଗଲ ଜମିପଟ୍ଟା ପାଇଁ ଲୋକେ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରୁଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ବିଭିନ୍ନ ମୌଳିକ ଦାବି ନେଇ ସ୍ୱାଭିମାନ ଅଞ୍ଚଳବାସୀ ଦାବି କରିଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କିମ୍ବା ସରକାର ଶୁଣୁନଥିବା ଅଭିଯୋଗ କରିଛନ୍ତି। ସ୍ୱାଭିମାନ ଅଞ୍ଚଳରେ ହେଉଥିବା ବିଭିନ୍ନ ଯୋଜନାର ଦୁର୍ନୀତିର ପର୍ଦାଫାସ କରାଯାଉ ବୋଲି ଦାବି କରାଯାଇଛି ।

 

ସମ୍ବନ୍ଧିତ ଖବର