ବାରିପଦା : ଚତୁର୍ଥୀ ପିଣ୍ଡରୁ ବରକୁ ଉଠାଇ ନେଲା ପୁଲିସ୍

ବିବାହିତ ସତ୍ତ୍ୱେ ଦ୍ୱିତୀୟ ବିବାହ କରିଥିଲେ

ବାରିପଦା : ଚତୁର୍ଥୀ ପିଣ୍ଡ ପଡ଼ୁଥିବାବେଳେ ବରକୁ ଉଠାଇଲା ପୁଲିସ୍। ଏପରି ଅଭାବନୀୟ ଘଟଣା ଘଟିଛି ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ଶ୍ରୀପଦଗଞ୍ଜ ଅଞ୍ଚଳରେ।

ଏହି ଅଞ୍ଚଳର ନବୀନ କୁମାର କୁଅଁର ବାବୁ ବିବାହିତ ଥିବା ସତ୍ତ୍ୱେ ଦ୍ୱିତୀୟ ବିବାହ କରିଥିବା ତାଙ୍କ ପ୍ରଥମ ପତ୍ନୀ ଅଭିଯୋଗ କରିଥିଲେ। ଆଜି ନବୀନ କୁମାରଙ୍କ ଥିଲା ଚତୁର୍ଥୀ। ତେବେ ତାଙ୍କ ପ୍ରଥମ ପତ୍ନୀଙ୍କ ଅଭିଯୋଗକୁ ଆଧାର କରି ଆଜି ସନ୍ଧ୍ୟାରେ ବାରିପଦା ଟାଉନ୍ ଥାନା ପୁଲିସ୍ ନବୀନଙ୍କୁ ତାଙ୍କ ଚତୁର୍ଥୀ କର୍ମ ଚାଲିଥିବାବେଳେ ଉଠାଇଆଣିଛି। ନବୀନଙ୍କ ପ୍ରଥମ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ ପୁଲିସ୍ ଦଫା ୪୯୮(ଏ), ୫୦୬, ୪ ଡିପି ଆଧରରେ ଗିରଫ କରାଯାଇଥିବା ଟାଉନ୍ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି।

ନବୀନଙ୍କ ବିବାହ ୨୦୧୪ରେ ହୋଇଥିବାବେଳେ ତାଙ୍କ ପ୍ରଥମ ପତ୍ନୀ କିନ୍ତୁ ଅନ୍ୟତ୍ର ରହୁଥିବା ଜଣାପଡ଼ିଛି। ଏନେଇ ନବୀନ’ଙ୍କ ମା’ଙ୍କ କହିବା ଅନୁଯାୟୀ ତାଙ୍କ ପୁଅର ବିବାହ ପ୍ରାୟ ୭ବର୍ଷ ତଳେ ହୋଇଥିଲା। ତାଙ୍କ ପୁଅର ପ୍ରଥମ ସ୍ତ୍ରୀ ଶାଶୁ ଘର ପରିବର୍ତ୍ତେ ନିଜ ବାପଘର କୁଆମରାରେ ରହୁଥିଲେ। ବହୁ ବୁଝାସୁଝା ପରେ ମଧ୍ୟ ସେ ଆସି ତାଙ୍କ ଘରେ ରହିନଥିଲେ। ଏପରିକି ତାଙ୍କୁ କୋର୍ଟ ନୋଟିସ୍ ମଧ୍ୟ ଦିଆଯାଇଥିବା ନବୀନଙ୍କ ମା’ ଶୁଭାସିନୀ ପ୍ରକାଶ କରିଛନ୍ତି। ମାତ୍ର ନବୀନଙ୍କ ପ୍ରଥମ ପତ୍ନୀ ନୋଟିସ୍‌ର କୌଣସି ଉତ୍ତର ଦେଇନଥିଲେ କିମ୍ବା ଶାଶୁ ଘରକୁ ଆସିନଥିଲେ। ଫଳରେ ତାଙ୍କ ପୁଅର ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ବିବାହ କରାଯାଇଥିବା ଶୁଭାସିନୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର