ଘରୋଇ ହିଂସାର କୁପରିଣତି: ବାପାଙ୍କୁ ଘରେ ପୂରାଇ ନିଆଁ ଲାଗାଇଲେ ଝିଅ-ଜ୍ୱାଇଁ, ୪ ଗିରଫ

ଝାରସୁଗୁଡ଼ା: ଘରୋଇ ହିଂସାକାଣ୍ଡ କେତେ ଉଗ୍ର ଓ ବୀଭତ୍ସ ହୋଇପାରେ ତାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଝାରସୁଗୁଡ଼ା ସହରରେ। ବାପାଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଝିଅ-ଜ୍ୱାଇଁ ଓ ତାଙ୍କ ସଂପର୍କୀୟ ନିଜ ବାପାଙ୍କୁ ଜିଅନ୍ତା ଜାଳିଦେବାକୁ ଉଦ୍ୟମ କରିଥିବା ଭଳି ଘଟଣା ସହରରେ ଆଲୋଡନ ସୃଷ୍ଟି କରିଛି। ସ୍ଥାନୀୟ କୋର୍ଟ ପଛପଟେ ଥିବା ଲେକଚର୍‌ କଲୋନିରେ ରହୁଥିବା କୈଳାସ ଚନ୍ଦ୍ର ମେହେର(୬୦)ଙ୍କ ସହିତ ତାଙ୍କ ସ୍ତ୍ରୀ, ଦୁଇ ଝିଅ ଓ ପୁଅମାନଙ୍କ ସହିତ ସୁସଂପର୍କ ନଥିଲା।

ଆଇଆଇସି ସାବିତ୍ରୀ ବଳଙ୍କ ସୂଚନା ଅନୁଯାୟୀ କୈଳାସ ସୁନ୍ଦରଗଡ଼ ରାସ୍ତାରେ ଥିବା ଓଭରବ୍ରିଜ ତଳେ ଏକ ମାଂସ ଦୋକାନ ଦେଇଥିଲେ। ମାଂସ ବିକିବା ପରେ ମଦ ପିଇ ଘରକୁ ଆସି ଘରେ ସବୁବେଳେ ଗଣ୍ଡଗୋଳ କରୁଥିଲେ। ଏଥି‌ ଯୋଗୁଁ  କୈଳାସଙ୍କ ସହିତ ତାଙ୍କ ସ୍ତ୍ରୀ, ପୁଅ, ବୋହୂ ଓ ଝିଅ ସହିତ ଭଲ ସଂପର୍କ ନଥିଲା। ସ୍ତ୍ରୀ ଝିଅ ଘରକୁ ଚାଲି ସେଠାରେ ରହୁଥିବା ବେଳେ ପୁଅ-ବୋହୂ ମଧ୍ୟ ବରଗଡ଼ଠାରେ ରହୁଥିଲେ।

ଗୁରୁବାର ପରିବାରର ସମସ୍ତ‌େ ଏକାଠି ହୋଇଥିଲେ ଓ ସମାଧାନ ପାଇଁ ଆଲୋଚନା କରୁଥିଲେ। ଏହି ସମୟରେ ଉଚ୍ଚବାଚ ହେବା ପରେ କୈଳାସକୁ ପରିବାର ଲୋକ‌େ ବାଡ଼େଇବା ପାଇଁ ଉଦ୍ୟମ କରିଥିଲେ। ସେ ଭୟରେ ଘର ଭିତରକୁ ପଶି ଭିତରୁ ଶିକୁଳି ଦେଇ ଦେଇଥିଲେ। ବାଡ଼ି ଓ ଠେଙ୍ଗାରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଥିବା ପରିବାର ଲୋକ‌େ କୈଳାସ କବାଟ ନଖୋଲିବାରୁ ରାଗରେ ପେଟ୍ରୋଲ କିଣି ତାକୁ କପଡ଼ାରେ ଭିଜାଇ ଘରର ୩ଟି ଆଜବେଷ୍ଟସ୍‌ ଭାଙ୍ଗି ତା ଭିତରକୁ ଫୋପାଡ଼ି ସେଥିରେ ନିଆଁ ଲଗା‌ଇ ଦେଇଥିଲେ। ଚାହୁଁ ଚାହୁଁ ଘର ଜଳି ଯାଇଥିବା ବେଳେ ଭିତରେ ଲୁଚି ଥିବା କୈଳାସ ଆଜବେଷ୍ଟସ୍‌ ଡେଇଁ ବାହାରକୁ ଚାଲି ଆସି ଅଳ୍ପକେ ବଞ୍ଚି ଯାଇଥିଲେ। ଏ ନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଝିଅ ପଞ୍ଚମୀ ମେହେର (୩୦), ଜ୍ବାଇଁ ତ୍ରିଲୋଚନ ମେହେର (୪୦), ସାନ ଝିଅ ଯୋଶଦା ମେହେର( ୨୧) ଓ ଡବଲିଙ୍ଗ କଲୋନିର ଗୋପବନ୍ଧୁ ତନ୍ତି (୩୦)ଙ୍କୁ ଗିରଫ କରିଥିଲା। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର