ଠେଙ୍ଗା ମାଡ଼ରେ ଯୁବକ ମୃତ, ୩ ଅଟକ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା କର୍ଲାପଡ଼ା ଫାଣ୍ଡି ପାଷ୍ଟିପଡ଼ାରେ ବାଇକର ଲାଇଟ୍‌ ଡିପର୍‌କୁ ନେଇ ଅଭାବନୀୟ କାଣ୍ଡ ଘଟିଛି। ଏହି ଘଟଣାରେ ୨ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଠେଙ୍ଗା ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ପୁଲିସ୍‌ ସୂତ୍ରରୁ ପ୍ରକାଶ ଯେ, ଭବାନୀପାଟଣା ସଦର ଥାନା କର୍ଲାପଡ଼ା ଫାଣ୍ଡି ଅନ୍ତର୍ଗତ ପାଷ୍ଟିପଡ଼ା ଗ୍ରାମର ଟିକେମଣି ଭୋଇ (୨୫) ଓ ମନୋଜ ଭୋଇ (୩୨) ଏକ ବାଇକ୍‌ରେ ଯାଉଥିଲେ।

ସେମାନଙ୍କ ବାଇକ୍‌ ଲାଇଟ୍ ଡିପର୍‌କୁ ନେଇ ପାଷ୍ଟିପଡ଼ାର ହରି ମାଝୀ, ହରେରାମ ମାଝୀ ଓ ଶ୍ୟାମ ମାଝୀ ସେମାନଙ୍କ ପଡ଼ାକୁ ଯାଇ ଗଣ୍ଡଗୋଳ କରି ଆକ୍ରମଣ କରିଥିଲେ। ଠେଙ୍ଗା ମାଡ଼ରେ ଟିକେମଣି ଓ ମନୋଜଙ୍କ ଅବସ୍ଥା ଗୁରୁତର ଥିବାରୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଟିକେମଣିଙ୍କ ଅବସ୍ଥା ସଙ୍କଟାପନ୍ନ ହେବା ପରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ବାଟରେ ବଲାଙ୍ଗୀର ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ଭବାନୀପାଟଣା ସଦର ଥାନା ପୁଲିସ୍‌ ଆଇଆଇସି ରଶ୍ମିତା ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀ ହରି ମାଝୀ, ହରେରାମ ମାଝୀ ଓ ଶ୍ୟାମ ମାଝୀଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା ଜାରି ରଖିଛନ୍ତି। ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖିଥିବା ପୁଲିସ୍ ସୂଚନା ଦେଇଛି।

ସମ୍ବନ୍ଧିତ ଖବର