ମୁଣ୍ଡନେଲା ପରିତ୍ୟକ୍ତ ସରକାରୀ କୁଅ : ଛେଳି ଉଦ୍ଧାର କରିବାକୁ ଯାଇ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କଲେ ଯୁବକ

ବାରିପଦା : ମୁଣ୍ଡ ନେଇଛି ପରିତ୍ୟକ୍ତ ଅବସ୍ଥାରେ ଥିବା ଏକ ସରକାରୀ କୁଅ। ନିଜର ଗୃହପାଳିତ ଛେଳିକୁ ଉଦ୍ଧାର କରିବାକୁ ଏହି ଅବ୍ୟବହୃତ କୁଅରେ ପଶିଲେ। ମାତ୍ର ଅଣନିଶ୍ୱାସୀ ହୋଇ ମୃତ୍ୟୁବରଣ କରିବା ଭଳି ଏକ ଦୁଃଖଦ ଘଟଣା ଘଟିଛି ସ୍ଥାନୀୟ ବାରିପଦା ସଦର ଥାନା ଅନ୍ତର୍ଗତ ଶ୍ୟାମାଖୁଣ୍ଟା ବ୍ଲକ୍ ପୋଡ଼ାଅସ୍ତିଆ ବନ୍ଧସାହି ଗ୍ରାମରେ।

ମୃତକ ଜଣଙ୍କ ହେଉଛନ୍ତି ଉକ୍ତ ଗ୍ରାମର ଗୁରୁଚରଣ ସିଂ(୪୫)। ମୃତକଙ୍କର ଘର ନିକଟରେ ଥିବା ଏହି ପରିତ୍ୟକ୍ତ କୁଅରେ ତାଙ୍କ ଛେଳି ପଡ଼ିଯାଇଥିଲା। ଛେଳିକୁ ଉଦ୍ଧାର କରିବାକୁ ଯାଇ ମୃତ ବ୍ୟକ୍ତିଜଣଙ୍କ ଉକ୍ତ କୁଅରେ ପଶିଥିଲେ। ତେବେ ଅନେକ ସମୟ ପର୍ଯ୍ୟନ୍ତ କୁଅରୁ ନବାହାରିବାକୁ ସ୍ଥାନୀୟ ଲୋକେ ଦିନ ପ୍ରାୟ ସାଢ଼େ୧୧ଟାରେ ବାରିପଦା ଦମଳକକେନ୍ଦ୍ରକୁ ଖବର ଦେଇଥିଲେ। ଅଗ୍ନିଶମ ଅଧିକାରୀ ଅଶୋକ ବେହେରାଙ୍କ ନେତୃତ୍ବରେ ଏକ ଦଳ ଯାଇ କୁଅରେ ପଶିଥିବା ବ୍ୟକ୍ତିଙ୍କୁ ସଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିଥିଲେ। ତତ୍‌କ୍ଷଣାତ ତାଙ୍କୁ ପିଆରଏମ ହସ୍ପିଟାଲ ନିଆଯାଇଥିଲା। ମାତ୍ର ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। କୁଅଟି ଢେର୍ ଦିନ ହେବ ଅବବ୍ୟହୃତ ହୋଇ ଥିବାରୁ ଅମ୍ଳଜାନ ଅଭାବରୁ ଗୁରୁଚରଣ ମୃତ୍ୟୁବରଣ କରିଥିବା ହସ୍ପିଟାଲ ପକ୍ଷରୁ ପ୍ରକାଶ।

ତେବେ ପ୍ରଶ୍ନଉଠୁଛି ଏହି କୁଅଟି ଦୀର୍ଘଦିନ ହେବ ପରିତ୍ୟକ୍ତ ଅବସ୍ଥାରେ ଥିଲେ ମଧ୍ୟ କାହାର କିପରି ନଜର ପଡ଼ିଲାନି। ନା ସ୍ଥାନୀୟ ଜନପ୍ରତିନିଧି ନା କୌଣସି ସରକାରୀ କର୍ମଚାରୀ ଏହି ପରିତ୍ୟକ୍ତ କୁଅ ଯେ ଏକ ମୁଣ୍ଡ ନେଇପାରେ ତାହା ଅନୁମାନ କରିପାରିଲେନି। ଦୁଃଖର କଥା ଏହାଯେ ଯେଉଁ ଛେଳିକୁ ଉଦ୍ଧାର କରିବାକୁ ଗୁରୁଚରଣ କୁଅରେ ପଶିଥିଲେ ଉକ୍ତ ଛେଳିଟି ମଧ୍ୟ ମରିଯାଇଥିବା ଜଣାପଡ଼ିଛି। ମୃତକ ଜଣଙ୍କ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବାବେଳେ ତାଙ୍କର ୩ ସନ୍ତାନ ଅଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦୁଃଖର ବାତାବରଣ ଖେଳିଯାଇଛି। ତୁରନ୍ତ ଏହି କୁଅକୁ ପୋତିଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର