୩ ବର୍ଷରେ ସରିଛି ମାତ୍ର ୩୦% କାମ, ବର୍ଷକରେ ବାକି ୭୦% ସମ୍ଭବ!

ରାଉରକେଲା: ବହୁ ପ୍ରତୀକ୍ଷିତ ଦ୍ବିତୀୟ ବ୍ରାହ୍ମଣୀ ପୋଲ, ବୀରମିତ୍ରପୁର-ବାରକୋଟ ୧୪୩ ନଂ ଜାତୀୟ ରାଜପଥ ସମ୍ପ୍ରସାରଣ କାମ କଚ୍ଛପ ଗତିରେ ଚାଲିଛି। ଶିଳାନ୍ୟାସର ପ୍ରାୟ ୩ ବର୍ଷ ପରେ ସରିଛି ମାତ୍ର ୩୦% କାମ । ଆସନ୍ତା ୨୦୨୧ ଜୁନ୍‌ ୨୧ ସୁଦ୍ଧା ପୋଲ ନିର୍ମାଣ ସହ ଜାତୀୟ ରାଜପଥ ସମ୍ପ୍ରସାରଣ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଏନ୍‌ଏଚ୍‌ଆଇ ପକ୍ଷରୁ କୁହାଯାଇଛି। ରାସ୍ତା ସମ୍ପ୍ରସାରଣ ଓ ପୋଲ ନିର୍ମାଣ କାମର ବାସ୍ତବ ଚିତ୍ର କିନ୍ତୁ ଓଲଟା ଦର୍ଶାଉଛି। କେତେକ ସ୍ଥାନରେ ଜମି ଅଧିଗ୍ରହଣ ହୋଇଥିବା କ୍ଷତିଗ୍ରସ୍ତଙ୍କୁ ଏଯାଏ କ୍ଷତିପୂରଣ ମିଳି ନାହିଁ।

ଆଉ କିଛି ସ୍ଥାନରେ ଅଧିଗ୍ରହଣ ଠାରୁ ଅଧିକ ସ୍ଥାନରେ କାମ କରାଯିବାରୁ ସ୍ଥାନୀୟ ଲୋକଙ୍କ କଡା ବିରୋଧ ହେଉଛି। ନିକଟରେ ଲାଠିକଟା ବ୍ଲକ ଅନ୍ତର୍ଗତ ସୁଇଡିହି ନିକଟରେ ସମ୍ପ୍ରସାରଣ କାମକୁ ସ୍ଥାନୀୟ ଲୋକ କଡା ବିରୋଧ କରିଥିଲେ। ତଲସରା ଜମି ହରାଇଥିବା ଅଧିକାଂଶ କ୍ଷତିଗ୍ରସ୍ତଙ୍କୁ ଏଯାଏଁ ମିଳିନି କ୍ଷତିପୂରଣ। ସେପଟେ ପାନପୋଷ ଗାନ୍ଧି ଛକରୁ ବାର୍‌କୋ‌ଟ ପର୍ଯ୍ୟନ୍ତ କାମ ଆପାତତଃ ଠିକ୍‌ ଠାକ୍‌ ଚାଲିଛି। ବେଦବ୍ୟାସରୁ ବୀରମିତ୍ରପୁର ପର୍ଯ୍ୟନ୍ତ ଯେମିତି କାମ ହେବା କଥା ସେମିତି କରାଯାଉ ନଥିବାରୁ ଦେଖିବାକୁ ମିଳୁଛି। ପାନପୋଷରୁ ରଙ୍ଗିଲା ଛକ ପର୍ଯ୍ୟନ୍ତ ପ୍ରାୟ ୭ କି.ମି. ରାସ୍ତା ସମ୍ପ୍ରସାରଣରେ ସମ୍ପୂଣ୍ଣ ଧୀମେଇ ଚାଲିଛି।

ଦେଓଗାଁ ଗାନ୍ଧି କଲେଜ ନିକଟରେ କାମ ଚାଲିଥିବାବେଳେ ଆଗକୁ ନିର୍ମାଣ କାମ ବନ୍ଦ ରହିଛି। ନିର୍ମାଣକାରୀ ସଂସ୍ଥା ଯଦି ୩୦% କାମକୁ ଶେଷ କରିବାକୁ ପ୍ରାୟ ତିନି ବର୍ଷ ଲାଗିଲା। ତେବେ ଅବଶିଷ୍ଟ ୭୦% କାମ ଆସନ୍ତା ୨୦୨୧ ଜୁନ୍‌ ୨୧ ସୁଦ୍ଧା ଶେଷ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଣି ଆଉ ମାସକ ପରେ ବର୍ଷା ଋତୁ ଆସୁଥିବାରୁ ନିର୍ମାଣ ଠିକ୍‌ ଭାବେ ହୋଇ ପାରିବ କି ନାହିଁ କହିବା ମୁସ୍କିଲ।

ଏସବୁ ଦୃଷ୍ଟିକୋଣକୁ ବିଚାରକୁ ନେଲେ ଏନ୍‌ଏଚ୍‌ଏଆଇ ଯେଉଁ ଦମ୍ଭୋକ୍ତି ପ୍ରକାଶ କରୁଛନ୍ତି, ତାହା ନିଶ୍ଚିତ ଭୁଲ୍‌ ପ୍ରମାଣିତ ହେବା ସ୍ବାଭାବିକ। ସେପଟେ ଦ୍ବିତୀୟ ବ୍ରାହ୍ମଣୀ ପୋଲ ନିର୍ମାଣ କାମରେ ବି ସମାନ ସ୍ଥିତି। ବାଲୁଘାଟ ରୁପୁଟୋଲା ଓ ବେଦବ୍ୟାସ ଦଣ୍ଡିଆପାଲି ଦୁଇ ପାର୍ଶ୍ବରେ ପାଇଲିଂ କାମ ସହ କେତୋଟି ଖମ୍ବର କାମ ଆରମ୍ଭ ହୋଇଛି। ମାସକ ପରେ ବର୍ଷା ହେଲେ ପୋଲ ନିର୍ମାଣ କାମ ମଧ୍ୟ ଆଗେଇ ପାରିବ ନାହିଁ। ତେଣୁ ଚାଲିଥିବା ନିର୍ମାଣ କାମକୁ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ସ୍ଥାନୀୟ ଜନ ପ୍ରତିନିଧି ଓ ଏନ୍‌ଏଚ୍‌ଆଇ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ନ ହେଲେ ଯେମିତି ଗତିରେ କାମ ଚାଲିଛି ଜାତୀୟ ରାଜପଥ ସମ୍ପ୍ରସାରଣ ଓ ପୋଲ ନିର୍ମାଣ ଶେଷ ହେବାକୁ ଆହୁରି ୨/୩ ବର୍ଷ ଅପେକ୍ଷା କରିବାକୁ ପଡି ପାରେ।

ସମ୍ବନ୍ଧିତ ଖବର