ପତ୍ନୀହନ୍ତା ସ୍ବାମୀଙ୍କୁ ଆଜୀବନ ଜେଲ୍, ପରକୀୟା ପ୍ରୀତି ସନ୍ଦେହରେ କରିଥିଲା ହତ୍ୟା

ସୁନ୍ଦରଗଡ଼: ୨୦୧୬ ଜୁଲାଇରେ ତଳସରା ଥାନା ସାଲିଆଢିପାରେ ଘଟିଥିବା ଲୋମଟାଙ୍କୁରା ପତ୍ନୀ ହତ୍ୟା ମାମଲାର ଆଜି ଶୁଣାଣି ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ଜଜ୍ ଶୁଭଦର୍ଶୀ ପଟ୍ଟନାୟକ ହତ୍ୟା ଅଭିଯୁକ୍ତ ସ୍ବାମୀ ଆନ୍ଥ୍ରସ କିଡୋ (୫୨)ଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ୨ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ପରକୀୟା ପ୍ରୀତି ସନ୍ଦେହରେ ଆସାମୀ ଆନ୍ଥ୍ରାସ ପତ୍ନୀ ଏଲିଜବେଥଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ମାମଲା ଅନୁସାରେ, ତଳସରା ଥାନା ସାଲିଆଢିପାର ଆନ୍ଥ୍ରାସ କିଡୋଙ୍କ ସହ ପତ୍ନୀ ଏଲିଜାବେଥ କିଡୋଙ୍କ ସମ୍ପର୍କ ଭଲ ନଥିଲା। ଗାଁର ସମ୍ପର୍କୀୟ ପୁତୁରା ନୁଏଲ କିଡୋଙ୍କ ସହ ଏଲିଜାବେଥଙ୍କ ପରକୀୟା ପ୍ରୀତି ଥିବା ସ୍ବାମୀ ସନ୍ଦେହ କରି ଆସୁଥିଲା। ଆନ୍ଥ୍ରାସ ଘରେ ନଥିବା ବେଳେ ନୁଏଲ ଏଲିଜାବେଥଙ୍କୁ ଭେଟିବାକୁ ଆସୁଥିବାରୁ ତା ସନ୍ଦେହ ଦ୍ବିଗୁଣିତ ହୋଇଥିଲା।

ଘଟଣା ଦିନ ଅର୍ଥାତ ୨୦୧୬ ଜୁଲାଇ ୨ ତାରିଖ ସକାଳେ ଏ କଥାକୁ ନେଇ ପତିପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଆନ୍ଥ୍ରାସ ପତ୍ନୀ ଏଲିଜାବେଥଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ଏହା ପରେ ସମ୍ପର୍କୀୟ ପୁତୁରା ନୁଏଲଙ୍କ ଘରକୁ ଯାଇ ଆକ୍ରମଣ କରିଥିଲା। ସେ ଗୁରୁତର ଆହତ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ସବଡେଗା ଡାକ୍ତରଖାନା ଓ ସେଠାରୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିଆଯାଇଥିଲା।

ଏ ସମ୍ପର୍କରେ ସାଲିଆପଡ଼ାର ବିନୋଦ ସିଂ ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହା ପରେ ଜୁଲାଇ ୩ ତାରିଖରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟ ଜାମିନ ନାମଞ୍ଜୁର କରି ତାକୁ ଜେଲକୁ ପଠାଇ ଦେଇଥିଲେ। ତତ୍କାଳୀନ ଏସଆଇ ମିଲି ସାହୁ ମାମଲାର ତଦନ୍ତ କରି ୨୦୧୬ ଅକ୍ଟୋବର ୨୮ରେ ଚାର୍ଜସିଟ୍ ଦାଖଲ କରିଥିଲେ। ଏହା ପରେ ୨୦୧୭ ଜୁଲାଇ ୧୪ରେ ଚାର୍ଜ ଫ୍ରେମିଂ ହୋଇଥିଲା। ସେହି ବର୍ଷ ଅଗଷ୍ଟ ୪ରେ ୨୬ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରି କୋର୍ଟ ଶୁଣାଣିକୁ ସଂରକ୍ଷିତ ରଖିଥିଲେ। ଏହା ପରେ ୨୦୨୨ ଅପ୍ରେଲ ୮ରେ ଜବାବ ସୁଆଲ ହୋଇଥିଲା ଓ ଜୁନ ୨୧ରେ ଶୁଣାଣି କରିଥିଲେ କୋର୍ଟ। ମାମଲାକୁ ଜନ ଅଭିଯୋଜକ (ପିପି) ଅବଦୁଲ ସମିମ ଅଖତର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର