ଦୁର୍ଘଟଣାରେ ପୁଅକୁ ହରାଇଥିବା ବୃଦ୍ଧ ପିତା ମନକୁ ଦୃଢ଼ କରି ବିଧବା ବୋହୂର କଲେ କନ୍ୟାଦାନ

ନବରଙ୍ଗପୁର: କିଛିଦିନ ତଳେ ଅନୁଗୁଳ ଜିଲ୍ଲାର ଜଣେ ପୂର୍ବତନ ମହିଳା ସରପଞ୍ଚ ବିଧବା ବୋହୂକୁ ବାହାଦେଇ ଉଦାହରଣ ସୃଷ୍ଟି କରିଥିବା ବେଳେ ଏଭଳି ଏକ ସମାନ ଘଟଣା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ନବରଙ୍ଗପୁରରେ ଦେଖିବାକୁ ମିଳିଛି।

ନବରଙ୍ଗପୁର ଜିଲ୍ଲାରେ କମଳଲୋଚନ ମାଝୀ ବସବାସ କରନ୍ତି। କମଳଲୋଚନ ମାଝୀଙ୍କ ପୁଅ ଲଳିତ ପୁଲିସରେ ଚାକିରି କରୁଥିଲେ। ପୁଅର ବିବାହ ସେ ନୟନା ନାମକ ଜଣେ ଯୁବତୀଙ୍କ ସହିତ କରାଇଥିଲେ। ବିବାହର ବର୍ଷକ ପରେ ପୁଅ ଲଳିତଙ୍କ ଏକ ଶିଶୁ ପୁତ୍ର ହୋଇଥିଲା । ନାତି ହେବା ପରେ କମଳଲୋଚନ ବହୁ ଖୁସି ହୋଇଯାଇଥିଲେ। ନାତିର ନାମକରଣ ଉତ୍ସବ ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଥିଲା। କିନ୍ତୁ ବିଧାତ।ଙ୍କ ଆଉ କିଛି ଇଚ୍ଛା ଥିଲା।

ଲଳିତ ପୁଅର ନାମକରଣ ଉତ୍ସବ ପାଇଁ ନିମନ୍ତ୍ରଣ ଦେଇଗଲା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ବୟସର ଅପରାହ୍ନରେ ଆଶାବାଡ଼ି ସାଜିବା ପୂର୍ବରୁ ଆରପାରିକୁ ଚାଲିଗଲା ରୋଜଗାରିଆ ପୁଅ ଲଳିତ। ଲଳିତଙ୍କ ମୃତ୍ୟୁ ପରେ ଅଧାରେ ରହିଯାଇଥିଲା ନାତିର ନାମକରଣ ଉତ୍ସବ। ଦୁର୍ଘଟଣାରେ ପୁଅକୁ ହରାଇବା ସହିତ ବୋହୂ ଆଖିର ଲୁହ ଦେଖି ସହି ପାରୁ ନଥିଲେ ସେ। ପୁଅ ଲଳିତ ଗଲା ପରେ କୁନି ନାତି ଓ ବିଧବା ବୋହୂର ଭବିଷ୍ୟତ ନେଇ ଚିନ୍ତିତ ହୋଇପଡ଼ିଥିଲେ କମଳଲୋଚନ। ଶେଷରେ ଛାତିରେ ପଥର ରଖି ବିଧବା ବୋହୂର ଲୁହ ପୋଛିବା ସହିତ ମୁହଁରେ ହସ ଫୁଟାଇବା ପାଇଁ ସେ ଚିନ୍ତା କରିଥିଲେ । ମନକୁ ଦୃଢ଼ କରି ବାଙ୍ଗେଲା ପଞ୍ଚାୟତ ଅନ୍ତର୍ଗତ ସିନ୍ଧିଭଟ୍ଟା ଗ୍ରାମରେ ନିଜ ସମ୍ପର୍କୀୟ କହ୍ନେଇ ମାଝୀଙ୍କ ସହ ନିଜ ବୋହୂକୁ ପୁରା ରୀତିନୀତିରେ କୋମଳଲୋଚନ ବାହା ଦେଇଛନ୍ତି।

ସବୁଠାରୁ ଖୁସିର କଥା ହେଲା ନୟନାଙ୍କୁ ବିବାହ କରିବା ପରେ ତାଙ୍କ ପୁଅକୁ ମଧ୍ୟ କହ୍ନେଇ ମାଝୀ ଆପଣେଇ ନେଇଛନ୍ତି । ଏହି ମହତକାମ ପାଇଁ ସ୍ଥାନୀୟ ଅଞ୍ଚଳରେ କମଳଲୋଚନଙ୍କ ଭୁରି ଭୁରି ପ୍ରଶଂସା ହେବାସହ ନିଜ ବିଧବା ବୋହୂକୁ ବାହାଦେଇ ସେ ନିଜକୁ ଧନ୍ୟ ମନେ କରିଛନ୍ତି ।

ସମ୍ବନ୍ଧିତ ଖବର