ପୁଣି ବଦଳିଲା ଉପକୂଳ ରାଜପଥ ନକ୍ସା
ଖୋର୍ଧା ଟାଙ୍ଗୀରୁ ଆରମ୍ଭ, ରତନପୁରରେ ଶେଷ
ପରିବେଶ ପ୍ରଭାବିତ ଆଳରେ କାଣ୍ଟ୍ଛାଣ୍ଟ୍
ରାଜ୍ୟ ସରକାରଙ୍କୁ ଜବରଦସ୍ତ ଝଟ୍କା
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଭାରତମାଳା ପରିଯୋଜନା କାର୍ଯ୍ୟକ୍ରମରେ ଓଡ଼ିଶାକୁ ଜବରଦସ୍ତ ଧକ୍କା ଲାଗିଛି। ଗୋପାଳପୁରରୁ ପୁରୀ ଦେଇ ଦୀଘା ପର୍ଯ୍ୟନ୍ତ ପ୍ରସ୍ତାବିତ କୋଷ୍ଟାଲ୍ ହାଇ-ୱେ ବା ନୂତନ ଉପକୂଳ ରାଜପଥ ମାର୍ଗକୁ କେନ୍ଦ୍ର ସରକାର ଧୀରେ ଧୀରେ ସଙ୍କୁଚିତ କରିଦେଲେଣି। ଏପରିକି ରାଜ୍ୟ ସରକାର ଦୁଇବର୍ଷ ତଳେ ଯେଉଁ ମାର୍ଗକୁ ଅନୁମୋଦନ ଦେଇଥିଲେ, ତାକୁ ବି ପରିବର୍ତ୍ତନ କରିଦିଆଯାଇଥିବା ଜଣାପଡ଼ିଛି। ଗୋପାଳପୁର କି ସାତପଡ଼ା ନୁହେଁ, ବରଂ ଏହା ଖୋର୍ଧାର ଟାଙ୍ଗୀଠାରୁ ଆରମ୍ଭ ହେବ ଏବଂ ଦୀଘାରେ ପହଞ୍ଚିବନି, ଓଲଟା ରତନପୁରରେ ହିଁ ଶେଷ ହୋଇଯିବ। ଯୋଜନା ବେଳେ ଯେଉଁ ନକ୍ସା ପ୍ରସ୍ତୁତ ହୋଇଥିଲା ତାର ୬ ବର୍ଷ ଭିତରେ ସେଥିରେ ଅଚାନକ ପରିବର୍ତନ ରାଜ୍ୟ ସରକାରଙ୍କୁ ବିସ୍ମିତ କରିଛି।
ଆହୁରି ସ୍ପଷ୍ଟ ଭାବେ କହିଲେ, କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଦ୍ବାରା ଗଠିତ ଏକ ବିଶେଷଜ୍ଞ କମିଟିର ଆପତ୍ତିକୁ ଆଳ କରି ଏବେ ଯେଉଁ ନୂଆ ରାଜପଥ ମାର୍ଗର ନକ୍ସା ପ୍ରସ୍ତୁତ ହେଉଛି, ତାହା ଖୋର୍ଧାର ଟାଙ୍ଗୀ (ଜାତୀୟ ରାଜପଥ-୧୬) ଠାରୁ ଆରମ୍ଭ ହେବ। ପୁରୀ, କୋଣାର୍କ, ଅସ୍ତରଙ୍ଗ, ନାଉଗାଁ, ପାରାଦୀପପୋର୍ଟ ଦେଇ ରତନପୁର (ଜାତୀୟ ରାଜପଥ ୫୩)ରେ ଶେଷ ହେବ। ଏହି ନୂଆ ରାଜପଥର ଲମ୍ବ ଓଡ଼ିଶାରେ ସମୁଦାୟ ୧୭୭ କିଲୋମିଟର ୧୧୯ ମିଟର ରହିବ। ଏଥିରେ ପ୍ରାୟ ୨୭୬୫ କୋଟି ୮୧ଲକ୍ଷ ୯୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ କରାଯାଇଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବିଶେଷଜ୍ଞ କମିଟିର ୨୪୬ତମ ବୈଠକରେ (ଅକ୍ଟୋବର ୨୦ ତାରିଖ) ଏହି ନିଷ୍ପତ୍ତି ହୋଇଛି। ହେଲେ ଏଯାଏ ରାଜ୍ୟ ସରକାର ବିନ୍ଦୁ ବିସର୍ଗ ଜାଣିପାରିନଥିଲେ। ଆଜି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ପୂର୍ତ୍ତ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ବୈଠକରେ ଏହି ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଉଥିଲା। ଯେଉଁଥିରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହି ପରିବର୍ତ୍ତିତ ମାର୍ଗ ସଂପର୍କରେ ସୂଚନା ଦେଇଥିଲେ। ଏହାକୁ ନେଇ ବୈଠକରେ ଘମାଘୋଟ ଆଲୋଚନା ପରେ ଆଜି ଶ୍ରୀ ଦାସବର୍ମା ଉଦ୍ବେଗ ପ୍ରକାଶ କରିବା ସହିତ ଏ ସଂପର୍କରେ ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିବା କହିଛନ୍ତି।
ସ୍ମରଣଯୋଗ୍ୟ ଯେ କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀ ୨୦୧୫ ମସିହା ନବକଳେବର ସମୟରେ ପ୍ରସ୍ତାବିତ ଏହି ରାଜପଥ ସଂପର୍କରେ ଓଡ଼ିଶାରେ ହିଁ ଘୋଷଣା କରିଥିଲେ। ସେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତତ୍କାଳୀନ ଖାଦ୍ୟଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଉପସ୍ଥିତିରେ ପିପିଲିଠାରେ ଅନୁଷ୍ଠିତ ସମାବେଶରେ ଏ ସଂପର୍କରେ ଘୋଷଣା କରିବା ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ କହିଥିଲେ ଯେ ଗୋପାଳ ପୁରଠାରୁ ଦୀଘା ପର୍ଯ୍ୟନ୍ତ ୪୪୦ କିମି ଉପକୂଳ ରାଜପଥ ଖୁବ୍ଶୀଘ୍ର ନିର୍ମାଣ କରାଯିବ। ଏହାକୁ ନେଇ ସମଗ୍ର ରାଜ୍ୟରେ ଲୋକମାନଙ୍କ ମଧ୍ୟରେ ଅନେକ ଆଶା ସଞ୍ଚାର ହୋଇଥିଲା। ଏହି ରାଜପଥ ନିର୍ମାଣ ହେଲେ ଓଡ଼ିଶାର ପର୍ଯ୍ୟଟନ, ବାଣିଜ୍ୟିକ କ୍ଷେତ୍ରରେ ଏକ ବିରାଟ ଯୋଗଦାନ ହେବ କୁହାଯାଉଥିଲା।
ହେଲେ ଆରମ୍ଭରୁ ବିବାଦରେ ଫସିଥିଲା ଏହି ପ୍ରକଳ୍ପ। କେନ୍ଦ୍ର-ରାଜ୍ୟ ମୁହାଁମୁହିଁ ହୋଇଥିଲେ। ନିର୍ବାଚନ ପରେ ଯେବେ ରାଜନୀତି ପାଣିପାଗ ବଦଳିଲା, ସେବେ ୨୦୧୯ ନଭେମ୍ବର ୧୫ ତାରିଖ ଦିନ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ୩୭୦ କିଲୋମିଟର ଦୀର୍ଘ ଉପକୂଳ ରାଜପଥ (ଭାରତମାଳା) ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା ଓ ଏହାକୁ ଅାଧାର କରି ସରକାର ଅନୁମତି ଦେଇଥିଲେ। ସେବେ କୁହାଯାଇଥିଲା ଯେ ପ୍ରସ୍ତାବିତ ଏହି ଉପକୂଳ ରାଜପଥ ପୁରୀ ଜିଲ୍ଲାର ସାତପଡ଼ାଠାରୁ ଆରମ୍ଭ ହୋଇ ପୁରୀ-କୋଣାର୍କ-ଅସ୍ତରଙ୍ଗ-ରତନ୍ପୁର-ଧାମରା-ବାସୁଦେବପୁର- ଚାନ୍ଦି ପୁରଠାରୁ ଦୀଘା ପର୍ଯ୍ୟନ୍ତ ନିର୍ମାଣ ହେବ।
ହେଲେ ଅକ୍ଟୋବରରେ ବିଶେଷଜ୍ଞ କମିଟି ଏହା ଉପରେ ଲମ୍ବା ଅଭିଯୋଗ ରଖିଥିଲେ। ଜଣାଇଥିଲେ ଯେ ଏହି ରାଜପଥ ସିଆର୍ଜେଡ୍ ନିୟମକୁ ପ୍ରଭାବିତ କରୁଛି। ପୂର୍ବରୁ ଏହି ରାଜପଥ ଗୋପାଳପୁରରୁ ଆରମ୍ଭ ହେବା ଲାଗି ପ୍ରସ୍ତାବ ଥିଲା ଓ ପରବର୍ତୀ ସମୟରେ ଏହାକୁ ସାତପଡ଼ାକୁ ପରିବର୍ତ୍ତନ କରାଯାଇଥିଲା। ହେଲେ ଏହି ପ୍ରସ୍ତାବ ବି ଗ୍ରହଣୀୟ ନୁହେଁ। ଏଇଥିପାଇଁ ଯେ ଏହି ମାର୍ଗ ୧୧ଟି ନଦୀକୁ ପ୍ରଭାବିତ କରିପାରେ। ନଦୀ ଶଯ୍ୟାରେ ବିଶାଳ ଖମ୍ବ ନିର୍ମାଣ କରିବାକୁ ହେବ, ଯାହା ଡ୍ରେନେଜ୍ ବ୍ୟବସ୍ଥାକୁ କ୍ଷତି ପହଞ୍ଚାଇବ। ବିଶେଷକରି ଦେବୀ ଓ ମହାନଦୀ ଉପରେ ଏହାର ପ୍ରଭାବ ପଡ଼ିବ। ଏହି ମାର୍ଗ ନିର୍ମାଣ ହେଲେ ୧୭ ହଜାର ୨୭୮ଟି ଗଛ କାଟିବାକୁ ପଡ଼ିବାକୁ ପଡ଼ୁଛି ଓ ୨୧.୪୨ ହେକ୍ଟର ଜଙ୍ଗଲ ଜମିକୁ ଉତ୍ସର୍ଗ କରିବାକୁ ହେବ। କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ପ୍ରଭାବିତ ହୋଇପାରେ ଏବଂ ଅଲିଭ୍ ରି଼ଡ଼୍ଲେ ଅଣ୍ଡାଦାନ ଅଞ୍ଚଳ ବି। ପରିବେଶ ଦୃଷ୍ଟିରୁ ଅତି ସମ୍ବେଦନଶୀଳ ଭାବେ ଜଣାଶୁଣା ଅଞ୍ଚଳ ଦେଇ ଏହି ରାଜପଥ ଅତିକ୍ରମ କରୁଥିବା ପରିପ୍ରେକ୍ଷୀରେ ଏହି ନକ୍ସା ପରିବର୍ତ୍ତନ କରିବା ଅପରିହାର୍ଯ୍ୟ। ଏସବୁକୁ ବାଦ୍ ଦେବାକୁ ଯାଇ ବିଶେଷଜ୍ଞ କମିଟି ଯେଉଁ ନୂଆ ମାର୍ଗର ନକ୍ସା ପ୍ରସ୍ତୁତ କରିଛନ୍ତି, ସେଥିରେ ୭୧କିଲୋମିଟର ୪୭୫ ମିଟର ରାଜପଥ ସଙ୍କୁଚିତ ହୋଇଯାଉଥିବା ସୂଚନା ମିଳିଛି।
ଏହି ନୂଆ ମାର୍ଗର ଲମ୍ବା ୧୭୭ କିଲୋମିଟର ୧୧୯ ମିଟରକୁ କମି ଆସିବ। ଏଥିପାଇଁ ୭୯୭.୦୩୬ େହକ୍ଟର ଜମି ଆବଶ୍ୟକ, ଯେଉଁଥିରେ ୨୫୪.୯୬୩ ହେକ୍ଟର ସରକାରୀ ଜମି, ୫୪୨.୦୭୩ ହେକ୍ଟର ଘରୋଇ ଜମି ଅଧିଗ୍ରହଣ କରିବାକୁ ହେବ। ଗୋଟିଏ ଇଞ୍ଚ ବି ଜଙ୍ଗଲ ଜମି ଅଧିଗ୍ରହଣ ଆବଶ୍ୟକ ହେଉନାହିଁ। ନା ବନ୍ୟଜନ୍ତୁ ନା ପରିବେଶ କିଛି ବି ପ୍ରଭାବିତ ହେବାର ନାହିଁ। ୭୮୩୩ଟି ଗଛ କାଟିବାକୁ ହେବ ଏବଂ କୌଣସି ଅଭୟାରଣ୍ୟ ମଧ୍ୟ ଏହି ରାସ୍ତାରେ ଯାଉନାହିଁ। ନୂଆ ମାର୍ଗ ଅନୁମୋଦନ ଲାଭ କଲେ ୧୫୦ଟି ସେତୁ ନିର୍ମାଣ କରିବାକୁ ହେବ ଓ ମାତ୍ର ୪୮୮ ପରିବାର ପ୍ରଭାବିତ ହେବେ। ୨୦ଟି ଦୀର୍ଘ ସେତୁ ନିର୍ମାଣ କରାଯିବ ଓ ୬୯ଟି ଛୋଟ। ୪ଟି ରେଳବାଇ ଓଭରବ୍ରିଜ୍ ଏବଂ ୨ଟି ଫ୍ଲାଇ ଓଭର ନିର୍ମାଣ କରିବାକୁ ହେବ।
ପ୍ରସ୍ତାବିତ ଏହି ନୂଆ ରାଜପଥ ଗୋପାଳପୁରକୁ ସଂଯୋଗ କରୁଛି ଓ ପାରାଦୀପ ବନ୍ଦରକୁ ବି। ରାଜମାର୍ଗର ଏହି ନୂଆ ନକ୍ସା ୧୬ଟି ନଦୀ ଓ ଶାଖା ନଦୀ ଉପରେ ଦେଇ ଯାଉଥିଲେ ହେଁ, କୌଣସିଠାରେ ଡ୍ରେନେଜ୍ ବ୍ୟବସ୍ଥାକୁ ପ୍ରଭାବିତ କରୁନାହିଁ।
ହେଲେ ଏହି ନୂଆ ମାର୍ଗକୁ ନେଇ ପୁଣି ଥରେ ବିବାଦ ଦେଖାଦେବ। ଏଥିରୁ ବାଲେଶ୍ବର, କେନ୍ଦ୍ରାପଡ଼ା, ଭଦ୍ରକ ଓ ପୁରୀର ବିସ୍ତୀର୍ଣ୍ଣ ଅଞ୍ଚଳ ବାଦ୍ ପଡ଼ୁଛି। ଏବେ ଦେଖିବା କଥା ରାଜ୍ୟ ସରକାର ଏହା ଉପରେ କିଭଳି ପ୍ରତିକ୍ରିୟା ରଖୁଛନ୍ତି।