ରାସ୍ତାରେ ଅଟକିଲା ଖେଳାଳିଙ୍କ ବସ୍‌

ଟିକେଟ୍‌କୁ ନେଇ ବାରବାଟୀରେ ଉତ୍ତେଜନା

କଟକ : ବାରବାଟୀ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ଟି-୨୦ ମ୍ୟାଚକୁ ନେଇ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଆୟୋଜନ ପ୍ରକ୍ରିୟାରେ ବ୍ୟାପକ ବିଭ୍ରାଟ କ୍ରୀଡାପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଅନ୍‌ଲାଇନ୍‌ ଟିକେଟ ବିିକ୍ରିରେ ତ୍ରୁଟି, ଗେଟ୍‌ ଖୋଲିବାରେ ବିଳମ୍ବ ଏବଂ ଅଧା ରାସ୍ତାରେ ଭାରତୀୟ କ୍ରିକେଟ ଖେଳାଳିଙ୍କୁ ନେଇ ଆସୁଥିବା ବସ୍‌ ଅଟକି ରହିବା ଘଟଣା ଆଜି ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ଷ୍ଟାଡିୟମ ବାହାରେ ପ୍ରବଳ ଭିଡ଼ ସାଙ୍ଗକୁ ଠେଲାପେଲା, ଗେଟ୍‌ ସାମନାରେ ଖେଳ ଆରମ୍ଭର ଦୁଇ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଲମ୍ବା ଲାଇନ୍‌ ସାଙ୍ଗକୁ ଖେଳାଳିଙ୍କ ଗାଡ଼ି ଅଟକିବା ଘଟଣାରୁ କଟକ-ଭୁବନେଶ୍ୱର ରାସ୍ତା ଜାମ୍‌ ଆଜି ସାଧାରଣ ଲୋକଙ୍କୁ ବି ନାକେଦମ କରିଛି।

ସୂଚନା ଅନୁଯାୟୀ ଆଜି ଭାରତୀୟ କ୍ରିକେଟ ଖେଳାଳିଙ୍କୁ ନେଇ ଭୁବନେଶ୍ୱରରୁ ବାହାରିଥିବା ବସ୍‌ କଟକର ତେଲେଙ୍ଗାପେଣ୍ଠ ଓଭରବ୍ରିଜ ନିକଟରେ ପାଖାପାଖି ଦଶ ମିନିଟ୍‌ କାଳ ଅଟକି ଯାଇଥିଲା। ଅପରାହ୍ନ ପାଖାପାଖି ସାଢେ ପାଞ୍ଚଟା ସମୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଭାରତୀୟ ଖେଳାଳିଙ୍କୁ ନେଇ ଯାଉଥିବା ବସ୍‌ ଅଟକି ରହିବାରୁ ପଛକୁ ପଛ ଭୁବନେଶ୍ୱର ପର୍ଯ୍ୟନ୍ତ ରାସ୍ତା ଜାମ୍‌ ହେଇଯାଇଥିଲା। ବାରବାଟୀ ଷ୍ଟାଡିୟମ ଚାରିପଟେ ପ୍ରବଳ ଭିଡ଼ ସାଙ୍ଗକୁ ରିଙ୍ଗ ବନ୍ଧ ରାସ୍ତା ଜାମ୍‌ ଯୋଗୁଁ ବସ୍‌କୁ ସେଠାରେ ବାଧ୍ୟ ହୋଇ ଅଟକା ଯାଇଥିଲା।

ଅନ୍ୟପକ୍ଷରେ ଆଜି ଅପରାହ୍ନ ୪ଟା ବେଳେ ବାରବାଟୀର ଗେଟ୍‌ ଦର୍ଶକଙ୍କ ପାଇଁ ଖୋଲା ଯାଇଥିଲା। କିନ୍ତୁ ସେହି ସମୟରେ ଦର୍ଶକ ଠିକ୍‌ ଭାବେ ଗେଟ୍‌ରେ ପଶି ନପାରିବାରୁ ଷ୍ଟାଡିୟମ ଚାରି ପଟ ଜାମ୍‌ ହେଇଯାଇଥିଲା। ଏମିତିକି ମହାନଦୀ ରିଂ ବନ୍ଧରେ ବି ଗାଡ଼ି ଗଡି ନଥିଲା। ତେଣୁ ଶ୍ରୀଲଙ୍କା ଓ ଭାରତ ଖେଳାଳିଙ୍କୁ ନେଇ ଆସୁଥିବା ଗାଡ଼ିକୁ ରାସ୍ତାରେ ଧୀରେଧୀରେ ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ସେଥିରେ ବି ସମସ୍ୟାର ସମାଧାନ ହୋଇ ନପାରିବାରୁ ବାଧ୍ୟ ହୋଇ ଭାରତ ଖେଳାଳିଙ୍କ ଗାଡ଼ିକୁ ଦଶ ମିନିଟ୍‌ ପାଇଁ ଅଟକାଇ ଦିଆଯାଇଥିବା କୁହାଯାଇଥିଲା।

ସେହିଭଳି ଶ୍ରୀଲଙ୍କା ଦଳ ଦାୟିତ୍ୱରେ ଥିବା ପୁଲିସକର୍ମୀଙ୍କ ଦାୟିତ୍ୱହୀନତା ପାଇଁ ଭୁବନେଶ୍ୱର ମଞ୍ଚେଶ୍ୱର ଗାଁ ସ୍ଥିତ ହାଇଟେକ୍‌ ଛକଠାରେ ଆଉ ଏକ ଅଭାବନୀୟ ଘଟଣା ଘଟିଥିଲା। ପୂର୍ବରୁ ହୋଇଥିବା ମକ୍‌ ଡ୍ରିଲ୍‌ ଏବଂ ସୁରକ୍ଷା ଆୟୋଜନ ସତ୍ତ୍ୱେ ଭ୍ରମଣକାରୀ ଶ୍ରୀଲଙ୍କା ବସ୍‌ ଆଗରେ ଯାଉଥିବା ପାଇଲଟ୍‌ ଗାଡ଼ି ମଧ୍ୟ କିଛି କରି ପାରି ନଥିଲା। ଶ୍ରୀଲଙ୍କା ଖେଳାଳିମାନେ ମେ ଫେୟାର ହୋଟେଲଠାରୁ ବାହାରି ବାରବାଟୀ ଅଭିମୁଖେ ଯାଉଥିଲା ବେଳେ ହାଇଟେକ୍‌ ଛକଠାରେ ହଠାତ୍‌ ଅନ୍ୟ ଏକ ବସ୍‌ ସେମାନଙ୍କ ବସ୍‌ ଆଗକୁ ଚାଲି ଆସିଥିଲା। ଫଳରେ ଶ୍ରୀଲଙ୍କା ଖେଳାଳିମାନେ ସେଠାରେ ୫ ମିନିଟରୁ ଅଧିକ ସମୟ ଅଟକି ରହିବାକୁ ବାଧ୍ୟ ହୋଇଥିଲେ।

ଅନ୍ୟପଟେ ଅନ୍‌ଲାଇନ୍‌ରେ ଟିକେଟ୍‌ କିଣିଥିବା ଦର୍ଶକ ଟିକଟ ପାଇବାରେ ପୂର୍ବରୁ ସମସ୍ୟାରେ ପଡିଥିବା ବେଳେ ଶେଷରେ ଯେଉଁ ଟିକେଟ୍‌ ପାଇଥିଲେ ସେଥିରେ ଡିସିପିଙ୍କ ସ୍ୱାକ୍ଷର, ଷ୍ଟାମ୍ପ ଅଥବା ସିଟ୍‌ ନମ୍ବର ନଥିଲା। ଏଭଳି ସ୍ଥିତିରେ ସେମାନଙ୍କୁ ଷ୍ଟାଡିୟମ ଭିତରକୁ ଛଡା ନଯିବାରୁ ଏହାକୁ ନେଇ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ଟିକେଟ ଛପା ଏବଂ ଅନଲାଇନ୍‌ ଟିକେଟ୍‌ ବଣ୍ଟନ ଦାୟିତ୍ୱରେ ଥିବା ହାଇଦ୍ରାବାଦର ‘ଗେଟ୍‌ ଟୁ ଦ ଗେମ୍‌’ ସଂସ୍ଥାର ପରିଚାଳକ ବିନୟଙ୍କୁ ଉତ୍ତ୍ୟକ୍ତ ଦର୍ଶକ ଷ୍ଟାଡିୟମ ବାହାରେ ଗୋଡାଇ ଗୋଡାଇ ପିଟିଥିଲେ। ପ୍ରାୟ ଦୁଇ ଘଣ୍ଟା କାଳ ଏଭଳି ଚାଲିବା ପରେ ପୁଲିସ୍‌ ତାଙ୍କୁ ଉଦ୍ଧାର କରି ନିଜ କବଜାରେ ରଖିଥିଲା। ସଂପୃକ୍ତ ସଂସ୍ଥା ଏଭଳି ତ୍ରୁଟିକୁ ସ୍ୱୀକାର କରିଥିବା ବେଳେ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଷ୍ଟାଡିୟମରେ ଏ ପ୍ରକାର ବିଭ୍ରାଟ ଯୋଗୁଁ ଦର୍ଶକ ମାନେ ଟିକେଟ୍‌ ଧରି ରାତି ୯ଟା ପର୍ଯ୍ୟନ୍ତ ବିଭିନ୍ନ ଗେଟରେ ଲାଇନ୍‌ ଦେଇଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର