୨ରେ ଶେଷ ହେବ ମାଟ୍ରିକ୍‌ ଖାତାଦେଖା

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚଳିତ ମାସ ୨୦ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ୍‌ ଖାତାଦେଖା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏପ୍ରିଲ୍‌ ୨ତାରିଖ ସୋମବାର ସମସ୍ତ ଖାତାଦେଖା ଶେଷ ହେବା ସହିତ ଅନ୍‌ଲାଇନ୍‌ରେ ମାର୍କ ପୋଷ୍ଟିଙ୍ଗ୍‌ ମଧ୍ୟ ସଂପୂର୍ଣ୍ଣ ହେବ ବୋଲି ସୂଚନା ମିଳିଛି। କିନ୍ତୁ ଅଧିକାଂଶ ମୂଲ୍ୟାୟନ କେନ୍ଦ୍ରରେ ଆଜି ଖାତାଦେଖା ସହିତ ମାର୍କ ପୋଷ୍ଟିଙ୍ଗ୍‌ ଶେଷ ହୋଇଥିବା ସୂଚନା ମିଳିଛି। ବୋର୍ଡ ପକ୍ଷରୁ ଚଳିତ ମାସ ୨୦ତାରିଖରୁ ଖାତାଦେଖା ଆରମ୍ଭ ହୋଇଥିଲା। ଖାତାଦେଖା ପାଇଁ ରାଜ୍ୟରେ ୫୭ଟି କେନ୍ଦ୍ର ଚୟନ କରାଯାଇଥିବା ବେଳେ ଏଥି ପାଇଁ ୧୩,୨୮୦ ଜଣ ପରୀକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏବର୍ଷ ଏକକାଳୀନ ମାଟ୍ରିକ, ମଧ୍ୟମା ଓ ଓପନ୍‌ ସ୍କୁଲ ଖାତାଦେଖା ଆରମ୍ଭ ହୋଇଥିବା ବେଳେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସଂଘର ଖାତାଦେଖା ବର୍ଜନ ଓ ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ବିକ୍ଷୋଭ ମୂଲ୍ୟାୟନ କାର୍ଯ୍ୟକୁ ବିଶେଷ ପ୍ରଭାବିତ କରିଥିଲା। ଏଥି ପାଇଁ ଅନେକ କେନ୍ଦ୍ରରେ ଖାତାଦେଖା ବିଳମ୍ବ ହୋଇଥିବା ସୂଚନା ମିଳିଛି। ପୂର୍ବବର୍ଷ ଭଳି ଚଳିତ ବର୍ଷ ମୂଲ୍ୟାୟନ କେନ୍ଦ୍ରରୁ ସିଧାସଳଖ ଅନ୍‌ଲାଇନ୍‌ରେ ମାର୍କ ପୋଷ୍ଟିଙ୍ଗ କରାଯାଉଛି। ଚେକ୍‌ର ଓ ମେକ୍‌ରଙ୍କ ଦ୍ୱାରା ହୋଇଥିବା ମାର୍କ ପୋଷ୍ଟିଙ୍ଗ୍‌ ପ୍ରକି୍ରୟାରେ କେତେକ ମୂଲ୍ୟାୟନ କେନ୍ଦ୍ରରେ ସମସ୍ୟା ଦେଖାଦେଇଥିଲା। ଏଥି ପାଇଁ ଚଳିତ ମାସ ୨୯ତାରିଖ ଗୁରୁବାର ଦିନ ବୋର୍ଡ ସଭାପତି ଓ ସଂପାଦକ ମୂଲ୍ୟାୟନ କେନ୍ଦ୍ର କ୍ୟାମ୍ପ ଅଫିସରଙ୍କୁ ମାର୍କ ପୋଷ୍ଟିଙ୍ଗ୍‌ ପ୍ରକ୍ରିୟା ଠିକ୍‌ ଭାବେ ସଂପାଦନ କରିବା ପରେ ଖାତାଧରି କେନ୍ଦ୍ରୀୟ କାର୍ଯ୍ୟାଳୟକୁ ଫେରିବାକୁ ନିର୍ଦ୍ଦେଶ ଦେଇଥିଲେ। ସରିଯାଇଥିବା ଅଧିକାଂଶ କ୍ୟାମ୍ପ ଅଫିସର ସେମାନଙ୍କ ଟିମ୍‌ ସହିତ ବୋର୍ଡ କାର୍ଯ୍ୟାଳୟକୁ ଫେରିଆସିଥିବା ବେଳେ ଅନ୍ୟମାନେ ଆସନ୍ତା ୨ତାରିଖ ସୋମବାର ସୁଦ୍ଧା ମୂଲ୍ୟାୟନ ଶେଷ କରିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର