ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ଘଟଣା : ୧୧ ନିଲମ୍ବିତ, ୫ ଗିରଫ, ମୋବାଇଲ୍ ସଂପୂର୍ଣ୍ଣ ନିଷେଧ, ସମ୍ବେଦନଶୀଳ କେନ୍ଦ୍ରରେ ଜାରି ହେବ ୧୪୪ ଧାରା

କଟକ : ମାଟ୍ରିକ ପରୀକ୍ଷାରେ ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ୍ ଘଟଣାକୁ ନେଇ ଘଣ୍ଟା ଚକଟା ଆରମ୍ଭ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କର୍ତ୍ତୃପକ୍ଷ ଏବଂ ରାଜ୍ୟ ସରକାର ପ୍ରଶ୍ନପତ୍ର ଭାଇରାଲ ଘଟଣା ସହ ସଂପୃକ୍ତ ଏବଂ କାର୍ଯ୍ୟରେ ଅବହେଲା ପାଇଁ ମୋଟ ୧୧ଜଣଙ୍କୁ ‌ନିଲମ୍ବନ କରିଛନ୍ତି। ୯ଜଣଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି। ପୁଲିସ ସେମାନଙ୍କ ମଧ୍ୟରୁ ୫ଜଣଙ୍କୁ ଗିରଫ୍ କରିଛି। ଭାଇରାଲରେ ସଂପୃକ୍ତ ୪ଜଣ ପରୀକ୍ଷାର୍ଥୀଙ୍କୁ ମଧ୍ୟ ପରୀକ୍ଷା ଦେବାରୁ ନିବୃତ କରାଯାଇଛି। ସୋମବାରଠାରୁ ବୋର୍ଡ ପକ୍ଷରୁ ଜାରି ହୋଇଥିବା ୧୭ ପଏଣ୍ଟ ବିଶିଷ୍ଟ ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଣିକି ସମ୍ବେଦନଶୀଳ କେନ୍ଦ୍ରରେ ୧୪୪ ଧାରା ଜାରି କରାଯିବା ସହିତ ପରୀକ୍ଷା ଦାୟିତ୍ବରେ ଅବହେଳା କଲେ ତୁରନ୍ତ ନିଲମ୍ବନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ସୂଚନା ଯୋଗ୍ୟ ଯେ ଗତକାଲି ମାଟ୍ରିକ୍ ପରୀକ୍ଷା ଚାଲିଥିବା ବେଳେ ପ୍ରଥମ ଭାଷା ଓଡ଼ିଆ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ‌ଏ ସଂକ୍ରାନ୍ତରେ ବୋର୍ଡ କର୍ତ୍ତୃପକ୍ଷ ପାଖାପାଖି ୧୧ଟା ୪୦ ମିନିଟରେ ଅବ୍‌ଜେକ୍ଟିଭ୍ ପ୍ରଶ୍ନ ଭାଇରାଲ ହୋଇଥିବା ଜାଣିବାକୁ ପାଇଥିଲେ। ତଦନ୍ତ ପରେ ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକ୍ କରଙ୍ଗମାଳ ହାଇସ୍କୁଲ, ଲିଟିସର୍ଗୀସ୍ଥିତ ଗୋପୀନାଥ ହାଇସ୍କୁଲ, କୋରାପୁଟ ଜିଲ୍ଲାର ବନ୍ଧୁଗାଁ ସରକାରୀ ହାଇସ୍କୁଲ ଓ ଢ଼େଙ୍କାନାଳ ଜିଲ୍ଲାର ଚିରୁଲେଇ ବ୍ଲକ୍ ସୁଦର୍ଶନ ବିଦ୍ୟାଭବନରେ ପ୍ରଥମ ଭାଷା ଓଡ଼ିଆର ପାର୍ଟ-୧ ଅବ୍‌ଜେକ୍ଟିଭ୍ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଜଣାପଡ଼ିଥିଲା। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ନୂଆପଡ଼ା ଜିଲ୍ଲାର ଦୁଇ ହାଇସ୍କୁଲ, ବନ୍ଧୁଗାଁ ହାଇସ୍କୁଲ, ଢ଼େଙ୍କାନାଳର ସୁଦର୍ଶନ ବିଦ୍ୟାଭବନର ୪ଜଣ ସେଣ୍ଟର ସୁପରିଟେଣ୍ଡେଣ୍ଟ, ସଂପୃକ୍ତ ହଲ ଦାୟିତ୍ବରେ ୪ଜଣ ଇନ୍‌ଭିଜିଲେଟରଙ୍କୁ ନିଲମ୍ବିତ କରାଯାଇଥିଲା। ଆଜି ଏଥିରେ ସଂପୃକ୍ତ ଅନ୍ୟ ଜଣେ ଶିକ୍ଷକଙ୍କ ସମେତ ପରୀକ୍ଷା କାର୍ଯ୍ୟରେ ଅବହେଳା ପାଇଁ ଜଗତସିଂହପୁରର ୨ଜଣଙ୍କୁ ନିଲମ୍ବନ କରାଯାଇଛି। ଏହା ସହିତ ଭାଇରାଲ ହୋଇଥିବା ୪ଟି ଯାକ ସ୍କୁଲ ‌ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ସମେତ ୯ଜଣଙ୍କ ନାମରେ ଏତଲା ଦିଆଯାଇଛି। ପୁଲିସ୍ ୫ଜଣଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି। ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନୂଆପଡ଼ାର ଦୁଇଟି ସ୍କୁଲ, କୋରାପୁଟ ବନ୍ଧୁଗାଁ ହାଇସ୍କୁଲ, ଢ଼େଙ୍କାନାଳ ସୁଦର୍ଶନ ବିଦ୍ୟାଭବନରୁ ମୋଟ ୪ଜଣ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ‌ଦେବାରୁ ନିବୃତ କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ମିଳିଛି।

ନୂଆପଡ଼ା ଜିଲ୍ଲାର ଗୋପୀନାଥ ହାଇସ୍କୁଲ ସେଣ୍ଟର ସୁପରିଟେଣ୍ଡଣ୍ଟେ ସୁଶିଲ କୁମାର ଯୋଶୀ, ଇନଭିଜିଲେଟର ତଥା ପିଇଟି ଶିକ୍ଷକ ଅର୍ଜୁଞ୍ଜୟ ପଣ୍ଡା, ନୂଆପଡ଼ା କରଙ୍ଗମାଳ ହାଇସ୍କୁଲ ସୁପରିଟେଣ୍ଡେଣ୍ଟ ପ୍ରସନ୍ନ କୁମାର ପତି, ଇନଭିଜିଲେଟର ମିକୁନ୍ଦ ସବର, ଇନଭିଜିଲେଟର ବିଘ୍ନରାଜ ସୁପକାର, ଢ଼େଙ୍କାନାଳ ଜିଲ୍ଲା ଚିରୁଲେଇ ସୁଦର୍ଶନ ବିଦ୍ୟାଭବନ ସୁପରିଟେଣ୍ଡେଣ୍ଟ ସନ୍ତୋଷ କୁମାର ସାହୁ, କବରା ମଧୁପୁର ବଡ଼ଜେନା ବିଦ୍ୟାପୀଠର ଶିକ୍ଷକ ବୈଜୟନ୍ତୀ ଶତପଥୀ, ବନ୍ଧୁଗାଁ ସରକାରୀ ହାଇସ୍କୁଲ ସୁପରିଟେଣ୍ଡେଣ୍ଟ ନଗେନ୍ଦ୍ର କୁମାର ଜେନା, ଇନଭିଜିଲେଟର ଉମେଶ ଚନ୍ଦ୍ର ବ‌େହେରାଙ୍କୁ କାର୍ଯ୍ୟାରୁ ନିଲମ୍ବନ କରାଯିବା ସହିତ ଏହି ୯ଜଣଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି। ସେହିପରି ଜଗତସିଂହପୁର ବାପୁଜୀ ନୋଡାଲ ବିଦ୍ୟାପୀଠ(ବାଲିଆ) ଡେପୁଟି ସୁପରିଟେଣ୍ଡେଣ୍ଟ ତଥା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ନନ୍ଦ ଓ କନିଷ୍ଠ କିରାଣୀ ପ୍ରଶାନ୍ତ କୁମାର ପ୍ରଧାନଙ୍କୁ ପରୀକ୍ଷା କାର୍ଯ୍ୟରେ ଅବହେଳା କରିଥିବା କାରଣରୁ ନିଲମ୍ବନ କରାଯାଇଥିବା ବୋର୍ଡ ସଭାପତି ଡକ୍ଟର ଜାହାନ ଆରା ବେଗମ୍ ଆଜି ବୋର୍ଡ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହି ସମ୍ମିଳନୀରେ ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ଓ ସ˚ପାଦକ ରମାଶିଷ ହାଜରା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର