ମାଟ୍ରିକ୍ ପରୀକ୍ଷା ବାତିଲ୍, କେମିତି ହେବ ମାର୍କିଂ? ଆଧାର ହେବ ପ୍ରାକ୍ଟିସ୍ ପରୀକ୍ଷା ମାର୍କ!
ସାଢ଼େ ୫ ଲକ୍ଷ ପିଲା ଦେଇଛନ୍ତି ପ୍ରାକ୍ଟିସ୍ ପରୀକ୍ଷା
ଶିକ୍ଷାବିତ୍ଙ୍କ ପରାମର୍ଶ ସ୍ବତନ୍ତ୍ର ପରୀକ୍ଷା ହେଉ
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର : ବାତିଲ୍ ହୋଇଛି ମାଟ୍ରିକ୍ ପରୀକ୍ଷା। ସିବିଏସ୍ଇ, ସିଆଇଏସ୍ସିଇ ବୋର୍ଡ ପରେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ କେଉଁ ଆଧାରରେ ଛାତ୍ରଛାତ୍ରୀଙ୍କୁ ମାର୍କ ମିଳିବ? ମୂଲ୍ୟାୟନ ପଦ୍ଧତି କ’ଣ ହେବ? ପ୍ରାକ୍ଟିସ୍ ବା ପ୍ରି-ବୋର୍ଡ ପରୀକ୍ଷା ଆଧାରରେ ମାର୍କ ଦିଆଯିବ ନା ୯ମ ଶ୍ରେଣୀ ବାର୍ଷିକ ପରୀକ୍ଷାକୁ ଗୁରୁତ୍ବ ଦିଆଯିବ? କେବେ ସୁଦ୍ଧା ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରାଯାଇ ଛାତ୍ରଛାତ୍ରୀଙ୍କୁ ଜଣାଯିବ? ମାଟ୍ରିକ୍ ପରୀକ୍ଷା ବାତିଲ୍ ନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିବା ପରେ ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏବେ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଅଭିଭାବକ ବି ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କୁ ଆଶ୍ବାସନା ଦେଇପାରୁ ନାହାନ୍ତି। ମାର୍କିଂର ଆଧାର କ’ଣ ରହିବ ସେନେଇ ସମସ୍ତେ ପ୍ରଶ୍ନ କରୁଥିବା ବେଳେ ସନ୍ତୋଷଜନକ ଉତ୍ତର କାହା ପାଖରେ ନାହିଁ।
ତେବେ ଚଳିତବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ଶହେ ଦିନିଆ ପାଠପଢ଼ା ହୋଇଛି। ଏହି ସମୟ ମଧ୍ୟରେ ସ୍କୁଲସ୍ତରରେ ୪ଟି ପ୍ରି-ବୋର୍ଡ(ପ୍ରାକ୍ଟିସ୍) ପରୀକ୍ଷା କରାଯାଇଛି। ଉକ୍ତ ୪ଟି ପ୍ରି-ବୋର୍ଡ ପରୀକ୍ଷାରୁ ସର୍ବାଧିକ ନମ୍ବର ରଖିଥିବା ପରୀକ୍ଷାକୁ ବିଚାରକୁ ନିଆଯାଇ ଛାତ୍ରଛାତ୍ରୀଙ୍କ ଚୂଡ଼ାନ୍ତ ମାର୍କ ସ୍ଥିର କରାଯାଇପାରେ। ଏଠାରେ ପ୍ରଶ୍ନ ଉଠୁଛି, ପରୀକ୍ଷା ମାର୍କିଂର ଆଧାର କ’ଣ ହେବ? ଗ୍ରେଡେସନ କିଭଳି ହେବ? ଯୁକ୍ତ୨ କଲେଜରେ କିଭଳି ନାମଲେଖା ହେବ? ମେରିଟ ଲିଷ୍ଟ କିଭଳି ପ୍ରସ୍ତୁତ ହେବ? ଯେଉଁମାନେ ପ୍ରି-ବୋର୍ଡ ପରୀକ୍ଷା ଦେଇନାହାନ୍ତି ସେମାନଙ୍କର କ’ଣ ହେବ?
ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ ପରୀକ୍ଷା ବାତିଲ୍ କରିବା ଛଡ଼ା ଆମ ପାଖରେ କୌଣସି ଉପାୟ ନ ଥିଲା। ବର୍ତମାନ ସମୟରେ ପରୀକ୍ଷା କରିବା ସମ୍ଭବ ନୁହେଁ। ସ୍ଥିତି ସୁଧୁରିବା ପରେ ବି ଯଦି ପରୀକ୍ଷା କରାଯାଇଥାନ୍ତା ତା’ହେଲେ ଆମ ପିଲାମାନେ ପଛରେ ପଡ଼ିଥାନ୍ତେ। ତେଣୁ ବାତିଲ୍ କରାଗଲା। ପ୍ରାକ୍ଟିସ୍ ପରୀକ୍ଷା ମାର୍କ ଆଧାରରେ ମୂଲ୍ୟାୟନ କରିବାକୁ ଯୋଜନା ହୋଇଛି। ତେବେ ବୋର୍ଡ ସହ ବିଚାରବିମର୍ଶ କରାଯିବା ପରେ ଚୂଡ଼ାନ୍ତ ଘୋଷଣା କରାଯିବ। ୬ ଲକ୍ଷ ୧୯ ହଜାର ରେଗୁଲାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରାୟ ସାଢ଼େ ୫ ଲକ୍ଷ ଛାତ୍ରଛାତ୍ରୀ ପ୍ରାକ୍ଟିସ୍ ପରୀକ୍ଷାରେ ଭାଗନେଇଛନ୍ତି। ଅଧିକାଂଶ ସରକାରୀ ଓ ଘରୋଇ ବିଦ୍ୟାଳୟଗୁଡ଼ିକ ଏହି ପରୀକ୍ଷା କରିଛନ୍ତି। ଅଳ୍ପ କିଛି ପିଲା ପରୀକ୍ଷା ଦେଇପାରି ନାହାନ୍ତି। କି ବିଦ୍ୟାଳୟକୁ ଆସି ନ ଥିବା ସୂଚନା ମିଳିଛି। ସେମାନଙ୍କ ଲାଗି କିଭଳି ବ୍ୟବସ୍ଥା ଗ୍ରହଣ କରାଯାଇପାରିବ ସେନେଇ ବି ତର୍ଜମା କରାଯାଉଛି। ଯେତେଶୀଘ୍ର ସମ୍ଭବ ପିଲାଙ୍କୁ ଜଣାଇବାକୁ ଆମେ ଉଦ୍ୟମ ଜାରି ରଖିଛୁ।
ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ କେତେକ ଶିକ୍ଷାବିତ୍ ନାପସନ୍ଦ କରିବା ସହ ମାର୍କିଂର ଆଧାର କ’ଣ ବୋଲି ପ୍ରଶ୍ନ ଉଠାଇଛନ୍ତି। ଶିକ୍ଷାବିତ୍ ଆର.ଏନ୍ ପଣ୍ଡାଙ୍କ କହିବା କଥା ହେଉଛି ଯେ ସିବିଏସ୍ଇକୁ ଆଧାର କରି ଓଡ଼ିଶା ବୋର୍ଡ ମାର୍କିଂ ଦେଇପାରିବ ନାହିଁ। ସିବିଏସ୍ଇ ବୋର୍ଡରେ ପିଲାଙ୍କୁ ସ୍କୁଲରୁ ଇଣ୍ଟରନାଲ୍ ମାର୍କ ଦିଆଯାଇଥାଏ। ଯାହାକି ଓଡ଼ିଆ ବୋର୍ଡରେ ନାହିଁ। ବହୁ ପିଲା ପ୍ରାକ୍ଟିସ୍ ପରୀକ୍ଷା ଦେଇପାରି ନାହାନ୍ତି। ତେଣୁ ସ୍କୁଲ ପରୀକ୍ଷାକୁ ଗୁରୁତ୍ବ ଦିଆ ନ ଯାଇ ଏକ ସ୍ବତନ୍ତ୍ର ପରୀକ୍ଷା ହେଉ। ଜୁଲାଇ କିମ୍ବା ଅଗଷ୍ଟ ମାସରେ କରୋନା ସ୍ଥିତିରେ ସୁଧାର ଆସିଲେ ଜେଇଇ ମେନ୍ ପରି ଓଏମ୍ଆର ସିଟ୍ରେ ଛାତ୍ରଛାତ୍ରୀଙ୍କ ପ୍ରବେଶିକା ପରୀକ୍ଷା କରାଯାଇ ମେଧାବୀ ପିଲା ଚୟନ କରାଯାଉ। ଏହା ସବୁଠାରୁ ସ୍ବଚ୍ଛତା ହେବ। ନ ହେଲେ ଏକାଦଶ ଶ୍ରେଣୀରେ ନାମଲେଖା ବେଳେ ଅସୁବିଧା ହେବ।