ମେ’ ପୂର୍ବରୁ ମାଟ୍ରିକ୍‌ ପରୀକ୍ଷା ସମ୍ଭାବନା କମ୍

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ସାଧାରଣ ପରିଷଦ ବୈଠକରେ ୨୦୨୧ ମାଟ୍ରିକ ପରୀକ୍ଷା ସଂକ୍ରାନ୍ତରେ କୌଣସି ନିଷ୍ପତ୍ତି ହୋଇପାରି ନାହିଁ। ଏଭଳି ସ୍ଥିତିରେ ବାସ୍ତବରେ ମେ ମାସ ପୂର୍ବରୁ ମାଟ୍ରିକ ପରୀକ୍ଷା ହେବାର ସମ୍ଭାବନା ଆଉ ଦେଖାଯାଉନାହିଁ। ବୋର୍ଡ ସଭାପତି ରାମାଶିଷ ହାଜରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କର ପାଠ୍ୟକ୍ରମ ହ୍ରାସ, ମାଟ୍ରିକ ପରୀକ୍ଷା ଆୟୋଜନ ସମୟ, ପରୀକ୍ଷାରେ କେତେ ପ୍ରଶ୍ନ ଆସିବ, ସେ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲେ ବି କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ପାରି ନଥିଲା। ଏବେ କୋର୍ସ ୩୦ ପ୍ରତିଶତ ହ୍ରାସ କରାଯାଇଥିବା ବେଳେ ଆଉ କିଛି କୋର୍ସ ହ୍ରାସ କରିବାକୁ ମତ ପ୍ରକାଶ ପାଇଥିଲା। ମାଟ୍ରିକ୍ ପରୀକ୍ଷାରେ ପ୍ରତି ବିଷୟର ମୋଟ ନମ୍ବର ୧୦୦ ବଦଳରେ ୮୦ କରିବା, ପ୍ରଶ୍ନପତ୍ରରେ ସବ୍‌ଜେକ୍ଟିଭ୍, ଅବ୍‌ଜେକ୍ଟିଭ୍ ପ୍ରଶ୍ନ ପରିମାଣ, ସହଜ ପ୍ରଶ୍ନପତ୍ର ପ୍ରସ୍ତୁତି ଇତ୍ୟାଦି ସଂପର୍କରେ ଆଲୋଚନା ହୋଇଥିଲା। ଆସନ୍ତା ବର୍ଷଠାରୁ ହାଇସ୍କୁଲ ପାଠ୍ୟକ୍ରମରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ‘ବନ୍ଦେ ଉତ୍କଳ ଜନନୀ…କୁ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ବୋର୍ଡର ବାର୍ଷିକ ବଜେଟକୁ ଗୃହୀତ କରାଯାଇଥିଲା।

ବାର୍ଷିକ ଅଧିବେଶନରେ ବୋର୍ଡ ସଂପାଦକ ଶ୍ରୀକାନ୍ତ ତରାଇଙ୍କ ସମେତ ବହୁ ଜିଲ୍ଲା ଶିକ୍ଷାଧିକାରୀ ଓ କିଛି କମିଟି ସଭ୍ୟ ମଧ୍ୟ ଅନୁପସ୍ଥିତ ରହିଥିବାକୁ ନେଇ ପ୍ରଶ୍ନ ଉଠିଥିବା ଜଣେ ଅଧିକାରୀ ତଥା କମିଟି ସଭ୍ୟ ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତରେ ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି, ଆଜି ବୋର୍ଡର ସାଧାରଣ ପରି‌ଷଦ ବୈଠକରେ କେବଳ ବାର୍ଷିକ ବଜେଟ୍ ପାସ୍ ହୋଇଛି। ସାଧାରଣ ପରି‌ଷଦ ବୈଠକରେ ବିଭିନ୍ନ କମିଟି ସଭ୍ୟଙ୍କ ଉପସ୍ଥିତିରେ ବଜେଟ୍ ପାସ୍ ହୋଇଥାଏ, ଯାହାକି ଆଜି କରାଯାଇଛି। ଅନ୍ୟପକ୍ଷ‌ରେ ଆସନ୍ତାକାଲି ସିବିଏସ୍‌ଇ ପକ୍ଷରୁ ପରୀକ୍ଷା ଓ ପ୍ରଶ୍ନପତ୍ର ଶୈଳୀ ବିଷୟରେ ଚୂଡାନ୍ତ ହେବାକୁ ରହିଥିବାରୁ ବୋର୍ଡ କର୍ତ୍ତୃପକ୍ଷ ଏହାକୁ ଅପେକ୍ଷା କରିଥିବା ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର