ଆଉ ମୟୂରଭଞ୍ଜ ବାହାରକୁ ଯିବନି ନମୁନା, ପୂର୍ଣ୍ଣ କ୍ଷମତାରେ ପିଆରଏମ୍‌ରେ ଆରମ୍ଭ ହେଲା କରୋନା ପରୀକ୍ଷଣ ବ୍ୟବସ୍ଥା

ବାରିପଦା: କରୋନା ପରୀକ୍ଷା ନିମନ୍ତେ ମୟୂରଭଞ୍ଜରୁ ସଂଗୃହୀତ ହେଉଥିବା ନମୁନା ଆଉ ଜିଲ୍ଲା ବାହାରକୁ ଯିବ ନାହିଁ। ପିଆରଏମ୍‌ ମେଡିକାଲ୍‌ କଲେଜ୍‌ରେ ପୂର୍ଣ୍ଣ କ୍ଷମତାରେ ଆରମ୍ଭ ହୋଇଛି କରୋନା ପରୀକ୍ଷା ବ୍ୟବସ୍ଥା। ତେଣୁ ଆଉ କରୋନା ନମୁନା ପରୀକ୍ଷା ପାଇଁ ଆଉ କଟକ କିମ୍ବା ଭୁବନେଶ୍ବର ଉପରେ ନିର୍ଭର କରିବାକୁ ପଡ଼ିବନି ବୋଲି ଜିଲ୍ଲାପାଳ ବିନୀତ ଭରଦ୍ବାଜ ପ୍ରକାଶ କରିଛନ୍ତି।

ଗତମାସ ୩୧ରେ ପିଆରଏମ୍‌ ମେଡିକାଲ୍‌ କଲେଜ୍‌ରେ କରୋନା ପରୀକ୍ଷା ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଥିଲା। ତେବେ ଆରମ୍ଭରୁ କେବଳ ଟ୍ରୁନଟ୍ ମେସିନ୍‌ରେ ପରୀକ୍ଷା କରାଯାଉଥିଲା। ଏହାର କ୍ଷମତା କିନ୍ତୁ ଦିନକୁ ଅଳ୍ପ ଥିଲା। ମାତ୍ର ଏବେ ପିଆରଏମ୍‌ରେ ଉଭୟ ଆରଟି-ପିସିଆର୍‌ ଏବଂ ଟ୍ରୁନଟ୍‌ ମେସିନ୍‌ କାର୍ଯ୍ୟକ୍ଷମ ହୋଇଛି। ଫଳରେ ନମୁନା ପରୀକ୍ଷା କ୍ଷମତା ମଧ୍ୟ ବୃଦ୍ଧି ପାଇଛି। ଏବେ ଆବଶ୍ୟକ ପଡ଼ିଲେ ପିଆରଏମ୍‌ ଲ୍ୟାବ୍‌ରେ ଦିନକୁ ଶତାଧିକ ନମୁନା ପରୀକ୍ଷା ହୋଇପାରିବ। ଗତ ଦୁଇଦିନ ହେବ ଜିଲ୍ଲାରୁ ସଂଗୃହୀତ ହେଉଥିବା ନମୁନା ଆଉ କଟକ ଯାଉନଥିବା ଜଣାପଡ଼ିଛି।

ବର୍ତ୍ତମାନ ପରିସ୍ଥିତିରେ ଜିଲ୍ଲାରେ ଯେପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ନିଜସ୍ବ ପରୀକ୍ଷଣ ବ୍ୟବସ୍ଥାକୁ ମୟୂରଭଞ୍ଜକୁ କରୋନା ଯୁଦ୍ଧରେ ନିଶ୍ଚିତ ସହାୟକ ହେବ ବୋଲି ମତପ୍ରକାଶ ପାଇଛି। ଗତକାଲି ସୁଦ୍ଧା ଜିଲ୍ଲାରେ ନମୁନା ପରୀକ୍ଷା ସଂଖ୍ୟା ୪ହଜାର୮ଶହ ଟପିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର