ବାଂଶପାଳ :  ଖଣ୍ଡାଧାରରେ ବୁଡ଼ି ଏମ୍‌ବିଏ ଛାତ୍ରଙ୍କ ମୃତ୍ୟୁ

ବାଂଶପାଳ : ପ୍ୟାରିସ୍‌ରେ ଏମ୍‌ବିଏ ପଢ଼ୁଥିଲେ। କିଛିଦିନ ତଳେ ଘରକୁ ଫେରିଥିଲେ। ଲକ୍‌ଡାଉନ୍‌ ସତ୍ତ୍ବେ ଆଜି ସାଙ୍ଗମାନଙ୍କ ସହ ବୁଲିବା ପାଇଁ ଖଣ୍ଡାଧାର ଆସିଥିଲେ। ସେଠାରେ ଗାଧୋଇବାବେଳେ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ‌ଜଣେ ଛାତ୍ରଙ୍କ ଅକାଳ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ କେନ୍ଦୁଝର ଚର୍ଚ୍ଚ ଛକର ସରୋଜ କୁମାର ମିଶ୍ରଙ୍କ ପୁଅ ସୌରଭ କୁମାର ମିଶ୍ର (୨୪)।

ସୌରଭ ଆଜି କଟକ ଏବଂ କେନ୍ଦୁଝର ସହରର ପ୍ରାୟ ୧୦ଜଣ ସାଙ୍ଗ ମିଶି ଆଜି କାର୍‌ରେ ଖଣ୍ଡାଧାର ବୁଲିବା ପାଇଁ ଯାଇଥିଲେ। ସେଠାରେ ସମସ୍ତେ ଗୋଧାଇବା ସମୟରେ ପୂର୍ବାହ୍‌ଣ ପ୍ରାୟ ସାଢ଼େ ୧୨ଟା ବେଳେ ଗୋଡ଼ ଖସିଯିବାରୁ ସୌରଭ ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଏ ସମ୍ପର୍କରେ ନୟାକୋଟ ଥାନାକୁ ଜଣାଇଥିଲେ। ଥାନା ଅଧିକାରୀ ଓ ଦମକଳ ବାହିନୀ ପହଞ୍ଚି ଦୀର୍ଘ ୫ ଘଣ୍ଟା ଧରି ଖୋଜାଖୋଜି କରିବା ପରେ ତାଙ୍କୁ ଉଦ୍ଧାର କରି ବାଂଶପାଳ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ସୌରଭଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ନୟାକୋଟ ଥାନା ପୁଲିସ କେସ୍‌ ନମ୍ବର ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ସୂଚନାଯୋଗ୍ୟ, ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳ ଖଣ୍ଡାଧାରକୁ ବର୍ଷର ବିଭିନ୍ନ ସମୟରେ ହଜାର ହଜାର ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି। ଏଠାରେ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଫଳକ ଲଗାଯାଉ ନଥିବା ବେଳେ ସୁରକ୍ଷା ବାଡ଼ ମଧ୍ୟ ନାହିଁ।

ସମ୍ବନ୍ଧିତ ଖବର