ସର୍ବଭାରତୀୟ କୋଟାରୁ ଫେରିନି ସିଟ୍‌ : ଦୁଇ ଦିନ ବିଳମ୍ବ ହେବ ମେଡିକାଲ ନାମଲେଖା

୨୬ରେ ବାହାରିପାରେ ଖାଲି ସିଟ୍‌ ତାଲିକା, ଜୁଲାଇ ୨୯ରୁ ୩୧ ଯାଏ ପ୍ରୋଭିଜ୍‌ନାଲ ନାମଲେଖା

ଭୁବନେଶ୍ବର : ରାଜ୍ୟରେ ଥିବା ମେଡିକାଲ କଲେଜର ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମ ପାଇଁ ପ୍ରଥମ ପର୍ଯ୍ୟାୟରେ ୯୩୩ ଏମ୍‌ବିବିଏସ୍‌ ଓ ୩୭ଟି ବିଡିଏସ୍‌ ସିଟ୍‌ ପୂରଣ ହୋଇଛି। ୭ଟି ସରକାରୀ ଓ ଗୋଟିଏ ଘରୋଇ ମେଡିକାଲ କଲେଜରେ ଖାଲିଥିବା ସିଟ୍‌ ସହ ସର୍ବଭାରତୀୟ କୋଟାରୁ ଫେରିଥିବା ସିଟ୍‌କୁ ମିଶାଇ ଜୁଲାଇ ୨୪ରେ ପ୍ରକାଶ ପାଇବାକୁ ଥିବା ତାଲିକା ଆସନ୍ତା ୨୬ ତାରିଖରେ ପ୍ରକାଶ କରାଯିବ। ସର୍ବଭାରତୀୟ କୋଟାରେ ଖାଲିଥିବା ସିଟ୍‌ ଫେରି ନଥିବାରୁ ଦ୍ବିତୀୟ ପର୍ଯ୍ୟାୟ ସିଟ୍‌ ଆଲ୍‌ଟମେଣ୍ଟରେ କିଛିଟା ପରିବର୍ତନ କରାଯାଇଛି।

ଓଜେଇଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ ଆଜିଠାରୁ ଅନ୍‌ଲାଇନ୍‌ ଆପ୍ଲିକେସନ ଓ ନାମ ପଞ୍ଜୀକରଣ ଆରମ୍ଭ ହୋଇଛି। ୨୫ ତାରିଖ ପୂର୍ବାହ୍ନ ୧୦ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ନୋଡାଲ ସେଣ୍ଟରରେ ଡକ୍ୟୁମେଣ୍ଟ ଯାଞ୍ଚ ହେବ। ୨୫ ତାରିଖରେ ସର୍ବଭାରତୀୟ କୋଟାରୁ ସିଟ୍‌ ଫେରିବ। ଏହାପରେ ଜୁଲାଇ ୨୬ ତାରିଖରେ ଖାଲି ସିଟ୍‌ ତାଲିକା ପ୍ରକାଶ କରାଯିବ। ୨୬ ତାରିଖ ପୂର୍ବାହ୍ନ ୧୦ଟାରୁ ୨୭ତାରିଖ ଅପରାହ୍‌ଣ ୩ଟା ମଧ୍ୟରେ ଛାତ୍ରଛାତ୍ରୀ ଚଏସ୍‌ ଲକିଂ ଓ ଫିଲିଂ କରିପାରିବେ। ୨୮ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ଆଲଟ୍‌ମେଣ୍ଟ ସହ ନାମ‌ଲେଖା ଲାଗି ଲେଟର ଡାଉନ୍‌ଲୋଡ୍‌ କରିହେବ। ଜୁଲାଇ ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଗଣ୍ଡମୁଣ୍ଡାସ୍ଥିତ ଓଜେଇଇ ସେଲ୍‌ରେ ପ୍ରୋଭିଜନାଲ ନାମଲେଖା ହେବ। ଜୁଲାଇ ୩୧ରେ ଛାତ୍ରଛାତ୍ରୀ ନାମଲେଖା ପ୍ରକ୍ରିୟାରୁ ଓହରିପାରିବେ। ଯଦି ଆବଶ୍ୟକ ପଡ଼େ, ତେବେ ସ୍ପଟ୍‌ କାଉନସେଲିଂ ପାଇଁ ଅଗଷ୍ଟ ୧ ଓ ୨ତାରିଖରେ ପଞ୍ଜୀକରଣ ଅନୁଷ୍ଠିତ ହେବ। ଦ୍ବିତୀୟ କାଉନସେଲିଂ ପରେ ସିଟ୍‌ ଖାଲି ପଡ଼ିଲେ ୪ରୁ ୮ତାରିଖ ମଧ୍ୟରେ ସ୍ପଟ୍‌ ନାମଲେଖା କରାଯିବ। ଆଲଟ୍‌ ହୋଇଥିବା ଶିକ୍ଷାନୁଷ୍ଠାନରେ ନାମଲେଖାର ଶେଷ ତାରିଖ ଅଗଷ୍ଟ ୧୨ରଖାଯାଇଥିବା ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି। ଘରୋଇ ମେଡିକାଲ କଲେଜରେ ଯୋଗ ଦେବାର ଶେଷ ତାରିଖ ଅଗଷ୍ଟ ୧୮ ରଖାଯାଇଛି।

ରାଜ୍ୟ କୋଟା ପାଇଁ ହେଉଥିବା ପ୍ରଥମ ପର୍ଯ୍ୟାୟ ନାମଲେଖାରେ କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜର ୧୭୩ ଏମ୍‌ବିବିଏସ୍‌ ସିଟ୍‌ ପୂରଣ ହୋଇଥିବା ବେଳେ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜର ୧୯୮, ବୁର୍ଲାସ୍ଥିତ ଭିଏସ୍‌ଏସ୍‌ ମେଡିକାଲ କଲେଜର ୧୫୯, ବାରିପଦା ମେଡିକାଲ କଲେଜର ୧୦୦, କୋରାପୁଟ ମେଡିକାଲ କଲେଜର ୯୯, ବାଲେଶ୍ବର ମେଡିକାଲ କଲେଜର ୮୨, ବଲାଙ୍ଗିର ମେଡିକାଲ କଲେଜର ୭୭ ସିଟ୍‌ ପୂରଣ ହୋଇଛି। ଏଥିସହ ହାଇଟେକ୍‌ ମେଡିକାଲ କଲେଜର ୪୫ଟି ଏମ୍‌ବିବିଏସ୍‌ ସିଟ୍‌ ପୂରଣ ହୋଇଛି। ସେହିପରି ବିଡିଏସ୍‌ ପାଠ୍ୟକ୍ରମରେ ଏସ୍‌ସିବି ମେଡିକାଲ କଲେଜର ୩୨, ହାଇଟେକ୍‌ ମେଡିକାଲ କଲେଜର ୫ଟି ସିଟ୍‌ରେ ନାମଲେଖା ହୋଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କଡ଼ା ନିର୍ଦେଶ ପରେ ଭୁବନେଶ୍ବର ହା‌ଇଟେକ୍‌ ମେଡିକାଲ କଲେଜ କର୍ତୃପକ୍ଷ ଆଲଟ୍ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମଲେଖା କରାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର