ଟଙ୍କା ନଦେବାରୁ ୧୩ ଘଣ୍ଟା ପଡ଼ିଲା ଶବ, ବିଧାୟକଙ୍କ ହସ୍ତକ୍ଷେପ ପରେ ଛାଡ଼ିଲେ

ଆନନ୍ଦପୁର: ଚିକିତ୍ସା ବାବଦକୁ ଟଙ୍କା ଜମା ନକରିବାରୁ ଘରୋଇ ହସ୍ପିଟାଲରେ ୧୩ ଘଣ୍ଟା ପଡ଼ି ରହିଲା ଆଦିବାସୀ ମହିଳାଙ୍କ ଶବ। ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ହସ୍ପିଟାଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛନ୍ତି। ମୃତ ମହିଳା ଜଣଙ୍କ ହେଲେ ଆନନ୍ଦପୁର ବ୍ଲକ ଗୟଳମୁଣ୍ତା ପଞ୍ଚାୟତ ଉଲେଖକୁଣ୍ତା ଗ୍ରାମର ସିନି ହେମ୍ବ୍ରମ (୫୦)। ସ୍ବର୍ଗତ କୁନ୍ଦିଆ ହେମ୍ବ୍ରମଙ୍କ ପତ୍ନୀ ସିନିଙ୍କୁ ୨୮ ତାରିଖ ରାତିରେ ଘରେ ‌ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡ଼ିଥିଲା। ପରିବାର ଲୋକେ ଭୋର ପ୍ରାୟ ୫ଟା ବେଳେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନା ଆଣିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସିନିଙ୍କୁ କଟକ ବଡ଼ ଡାକ୍ତରଖାନା ପଠାଯାଇଥିଲା। ସେଠାରେ ସିନିଙ୍କୁ ଚିକିତ୍ସାରେ ଅବହେଳା କରାଯାଇଥିଲା। ଆଇସିୟୁ ନାହିଁ କହି ରୋଗୀଙ୍କୁ ତୁରନ୍ତ ଘରୋଇ ମେଡିକାଲ ନେବାକୁ ପରାମର୍ଶ ଦିଆଯାଇଥିଲା।

ସେଠାରୁ ଜଣେ ଦଲାଲ ରୋଗୀଙ୍କୁ ଜଗତପୁର ସ୍ଥିତ ଘରୋଇ ହସ୍ପିଟାଲକୁ ନେଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ପ୍ରାୟ ୨ଟା ବେଳେ ସିନିଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଚିକିତ୍ସା ବାବଦକୁ ୩୫ ହଜାର ଟଙ୍କା ଦାବି କରିଥିଲେ। ପରିବାର ଲୋକ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିବାକୁ ଶବ ଛାଡ଼ି ନଥିବା ଅଭିଯୋଗ ହୋଇଥିଲା। ଏନେଇ ଗ୍ରାମର ଯୁବକ କ୍ଷୀରୋଦ ଚନ୍ଦ୍ର ମହାନ୍ତ ଆନନ୍ଦପୁରର ଗଣମାଧ୍ୟମ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ଏନେଇ ବିଧାନସଭା ପ୍ରକୋଷ୍ଠରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଭେଟି ଜଣାଇଥିଲେ। ଘଟଣା ଅନ୍ୟ ମୋଡ଼ ନେଉଥିବା ଜାଣି ହସ୍ପିଟାଲ କର୍ତ୍ତୃପକ୍ଷ ୧୭ ହଜାର ଟଙ୍କା ଦେବାକୁ କହିଥିଲେ। ଶେଷର ଅପରାହ୍‌ଣ ପ୍ରାୟ ୩ଟା ବେଳେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲେ। କଟକ ବଡ଼ ମେଡିକାଲରେ ଶବ ବ୍ୟବଚ୍ଛେଦ ପରେ ରାତିରେ ଗ୍ରାମକୁ ଅଣାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର