ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ବୈଠକ

ଭୁବନେଶ୍ବର : ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ ପୁରୀ ଶ୍ରୀମନ୍ଦିରରେ ଭକ୍ତ ଓ ତୀର୍ଥଯାତ୍ରୀଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆଜି ଏଥିପାଇଁ ଲୋକସେବା ଭବନରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଶଶିକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ମୁଖ୍ୟତଃ ୩ଟି ଦିଗ ଉପରେ ଆଲୋଚନା ହୋଇଛି। ପ୍ରଥମରେ ଭକ୍ତ ଓ ତୀର୍ଥଯାତ୍ରୀ ଯେପରି ସୁବିଧାରେ ଦର୍ଶନ କରିପାରିବେ ସେ ନେଇ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି। ଦ୍ବିତୀୟରେ ବିନା ବାଧାବିଘ୍ନରେ ଶାନ୍ତିପୂର୍ଣ୍ଣ ଭାବେ ଶ୍ରୀଜୀଉଙ୍କ ଦର୍ଶନ ହୋଇପାରିବ ସେଥିପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ବିଷୟରେ ମଧ୍ୟ ଆଲୋଚନା ହୋଇଛି। ତୃତୀୟରେ ଏପରି ବ୍ୟବସ୍ଥାରେ ଶ୍ରୀମନ୍ଦିର ସଂସ୍କାର ବ୍ୟବସ୍ଥାରେ କେତେଦୂର ସୁଧାର ଆସିବ ସେ ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟକୁ ଜଣାଇବେ। ସୂଚନାଯୋଗ୍ୟ, ଶ୍ରୀମନ୍ଦିର ସଂସ୍କାର ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନେଇ ଆବେଦନକାରୀ ମୃଣାଳିନୀ ପାଢ଼ି ଦାୟର କରିଥିବା ମାମଲାର ଶୁଣାଣି କରି ଆବଶ୍ୟକ ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟ ଗତ ନଭେମ୍ବର ୪ ତାରିଖରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଭକ୍ତଙ୍କ ସୁରକ୍ଷା ଓ ଶାନ୍ତିପୂର୍ଣ୍ଣ ଦର୍ଶନ ପାଇଁ ବିଶେଷ ଅନୁଭୂତି ଥିବା ଆଇପିଏସ୍‌ ଅଧିକାରୀ ତଥା ଆଇଜି ସୌମେନ୍ଦ୍ର ପ୍ରୀୟଦର୍ଶୀ ବୈଠକରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲାପାଳ, ଏସ୍‌ପି ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର